ଶ୍ରେଣୀ ଗୃହ ନଥିବାରୁ ବାରଣ୍ଡାରେ ପାଠ ପଢ଼ୁଛନ୍ତି କୁନି କୁନି ଛାତ୍ରଛାତ୍ରୀ, ସମସ୍ୟା ସମାଧାନକୁ ଅପେକ୍ଷା

ବଙ୍ଗୋମୁଣ୍ଡା ବ୍ଲକ ଖଇରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହେଉଛି ଏକ ପୁରୁଣା ସ୍କୁଲ । କ୍ଲାସ ରୁମର ଅଭାବ ଥିବାରୁ ସ୍କୁଲ ବାରଣ୍ଡାରେ ସବୁଦିନ ପାଠ ପଢ଼ା ଚାଲେ । ବର୍ଷା ହେଉ କି ଖରା ହେଉ ବର୍ଷ ତମାମ ଖଇରା ବିଦ୍ୟାଳୟରେ ଏଭଳି କ୍ଲାସ ଚାଲିଥାଏ ।

କୁନି କୁନି ପିଲା ହେଉଛନ୍ତି ଆମ ଆଗାମୀ ଭବିଷ୍ୟତ । ଯଦି ତାଙ୍କ ପାଠ ପଢ଼ାରେ ସମସ୍ୟା ହୁଏ ତେବେ ଆମ ଭବିଷ୍ୟତ ଯେ କଣ ହେବ ତାହା ନକହିବା ଭଲ । ଭବିଷ୍ୟତକୁ ଆଖି ଆଗରେ ରଖି ସରକାର ଏହି କୁନି କୁନି ପିଲାଙ୍କ ପାଇଁ ନାନା ଯୋଜନା ମାନ କରୁଛନ୍ତି । ଛାତ୍ର ଛାତ୍ରୀଙ୍କୁ ଏକ ଉତ୍ତମ ପରିବେଶରେ ଶିକ୍ଷା ଦେବା ପାଇଁ ସରକାର ସମସ୍ତ ଚେଷ୍ଟା କରୁଛନ୍ତି କିନ୍ତୁ ଏହି ଯୋଜନାଗୁଡ଼ିକ ସବୁ ସ୍ଥାନରେ ପହଞ୍ଚି ପାରୁନି । ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ ଯେଉଁ ସମସ୍ୟାର ସାମ୍ନା କରୁଛନ୍ତି ତାର ଅଭାବନୀୟ ଚିତ୍ର ଅନେକ ସ୍ଥାନରେ ଦେଖିବାକୁ ମିଳେ । ସମାନ ଭାବେ ସରକାରଙ୍କ ଶିକ୍ଷା ଯୋଜନାରୁ ବଞ୍ଚିତ ହୋଇଛନ୍ତି ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଖଇରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ । ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ହେଲେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ସ୍କୁଲ ବାରଣ୍ଡାରେ ପାଠ ପଢୁଛନ୍ତି । ଏଭଳି ଭାବେ ଗୋଟିଏ ସ୍ଥାନରେ ପାଠ ପଢ଼ିବା ଫଳରେ ଠିକ ଭାବରେ ପାଠ ପଢା ହୋଇ ପାରୁନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରୁଛନ୍ତି ।

ବଙ୍ଗୋମୁଣ୍ଡା ବ୍ଲକ ଖଇରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହେଉଛି ଏକ ପୁରୁଣା ସ୍କୁଲ । କ୍ଲାସ ରୁମର ଅଭାବ ଥିବାରୁ ସ୍କୁଲ ବାରଣ୍ଡାରେ ସବୁଦିନ ପାଠ ପଢ଼ା ଚାଲେ । ବର୍ଷା ହେଉ କି ଖରା ହେଉ ବର୍ଷ ତମାମ ଖଇରା ବିଦ୍ୟାଳୟରେ ଏଭଳି କ୍ଲାସ ଚାଲିଥାଏ । ଏହି ସ୍କୁଲରେ ପ୍ରଥମ ରୁ ସପ୍ତମ ଶ୍ରେଣୀର ପିଲାମାନେ ପାଠ ପଢନ୍ତି । ପ୍ରାୟ ୨୫୩ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି। ଏହି ଛାତ୍ର ଛାତ୍ରୀଙ୍କ ପାଇଁ କ୍ଲାସ ରୁମର ଅଭାବ ଫଳରେ ଛାତ୍ର ଛାତ୍ରୀମାନେ ବାଧ୍ୟ ହୋଇ ସ୍କୁଲ ବାରଣ୍ଡାରେ ପାଠ ପଢ଼ୁଥିବାର ଦେଖାଯାଇଛି । ବାରଣ୍ଡାରେ ପାଠ ପଢୁଥିବାରୁ ଛାତ୍ର ଛାତ୍ରୀ ଅନେକ ଅସୁବିଧାର ସାମ୍ନା କରୁଛନ୍ତି ।

କେବଳ କ୍ଲାସ ରୁମ୍‌ ନାହିଁ ତାହା ନୁହେଁ ବରଂ ସ୍କୁଲକୁ ଆସୁଥିବା ବିଭିନ୍ନ ଶିକ୍ଷଣୀୟ ସାମଗ୍ରୀ ,ଏମଡିଏମ ଚାଉଲ ମଧ୍ୟ ରଖିବାକୁ ସ୍ଥାନ ନଥିବାରୁ ତାହା ମଧ୍ୟ ଖରାପ ହେଉଛି । ସ୍କୁଲରେ କ୍ଲାସ ରୁମ କମ ଥିବାରୁ ଦୀର୍ଘ ୨ ବର୍ଷ ହେବ ଅଭିଭାବକ ସ୍କୁଲ କମିଟି ମଧ୍ୟ ଜଣାଇଛି ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ । ଏନେଇ ଟିଟିଲାଗଡ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ଏହି ଅଭିଯୋଗକୁ ସ୍ୱୀକାର କରିବା ସହ ଖୁବ୍‌ ଶୀଘ୍ର ସ୍କୁଲରେ ଶ୍ରେଣୀ ଗୃହକୁ ତିଆରି କରାଯାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

କୁନି କୁନି ପିଲାମାନଙ୍କର ପାଠ ପଢ଼ିବା ପାଇଁ ଇଚ୍ଛାଶକ୍ତି ଥିଲେ ମଧ୍ୟ ଏପରି ସମସ୍ୟା ପାଇଁ ସେମାନେ ସ୍କୁଲ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଯଦି ସେମାନଙ୍କ ପାଇଁ ସ୍କୁଲରେ କୋଠରୀ ନିର୍ମାଣ ହୋଇ ପାରନ୍ତା ତେବେ ସେମାନଙ୍କ ପାଠ ପଢ଼ା ଠିକ ଭାବେ ହୋଇ ପାରିବ ବୋଲି ଅଭିଭାବକମାନେ ଆଶା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.