ନିଜେ ଚାଲିଗଲେ ଅଫେରା ରାଇଜକୁ, ବଞ୍ଚାଇ ଦେଲେ ୬ ଜୀବନ

ଭଞ୍ଜନଗର(କେନ୍ୟୁଜ୍):   ଦଇବ ଯେ କେତେବେଳେ କାହାକୁ ନେଇ କେଉଁ ମୋଡରେ ଠିଆ କରିଦେବ ତାହା କେହି ବି କହିପାରିବେ ନାହିଁ । ଯେଉଁଠି ସୃଷ୍ଟି ନିୟନ୍ତା ଦଇବ ହାତରେ ବନ୍ଧା ସେଠି ଛାର ମଣିଷ ଏଥିରୁ କିପର ବର୍ତ୍ତିବ ? ସେଥିପାଇଁ ତ ଓଡିଆରେ ଗୋଟିଏ କଥା ଅଛି ‘ଦଇବ ଦଉଡି ମଣିଷ ଗାଈ ଯେଣିକି ଟାଣଇ ତେଣିକି ଯାଇ’। ଠିକ୍‌ ସେମିତି ସୂରଜଙ୍କୁ ଅଲ୍ପ ବୟସରୁ ସ୍ବର୍ଗଗାମୀ କରିବାରେ ଦଇବର ନିର୍ଦ୍ଦେଶ ଥିଲା । ଯେଉଁଥିପାଇଁ ଏକ ଦୁର୍ଘଟଣାରେ ଗୁରୁତର ଆହତ ହେଲେ ଏବଂ ଶେଷରେ ପ୍ରାଣ ହରାଇଲେ। କିନ୍ତୁ ମୃତ୍ୟୁର କେଇ ଘଣ୍ଟା ପୂର୍ବରୁ ନିଜର ଅଙ୍ଗଦାନ କରି ଛଅ ଜଣଙ୍କ ଦେହରେ ବଞ୍ଚି ରହିଲେ ସୂରଜ। ଯାହା ମହାନୀୟତାର ସବୁଠାରୁ ବଳିଷ୍ଠ ଉଦାହାରଣ ବୋଲି ଧରିବାକୁ ହେବ।
ସୂରଜ ବେହେରା । ଘର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟ ଲାଲସିଂ ଗାଁରେ । ସୁରତର ଏକ କପଡା କାରଖାନାରେ କାମ କରୁଥିଲେ ସେ । ଗତ ଅକ୍ଟୋବର ୨୯ରେ ଏକ ଦୁର୍ଘଟଣାର ଶିକାର ହୋଇ ବ୍ରେନ ଡେଡ ଅବସ୍ଥାକୁ ଚାଲି ଯାଇଥିଲେ। ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସି ନଥିଲା । ଏହାପରେ ସୂରଜଙ୍କ ସକ୍ରିୟ ଥିବା ହୃତପିଣ୍ଡ, ଆଖି, କିଡନୀ, ଲିଭର ଆଦି ଅନ୍ୟମାନଙ୍କ ଶରୀରରେ ପ୍ରତିରୋପଣ କରାଯିବାକୁ ନିଷ୍ପତ୍ତି ନେଇଥିଲେ ସୂରଜଙ୍କ ପରିବାର ଲୋକେ । କହିଲେ, ଆମ ପିଲା ତ ବଞ୍ଚିବ ନାହିଁ ଆଉ ଯଦି ତାର ଅଙ୍ଗ ଅନ୍ୟମାନଙ୍କ କାମରେ ଆସିବ ତେବେ ତାହା ସବୁଠାରୁ ପୁଣ୍ୟ କାମ ହେବ । ସୂରଜର ମୃତ୍ୟୁ ମଧ୍ୟ ଅଯଥାରେ ଜୀବନାହିଁ ।ସେଇଆ ହେଲା । ତାଙ୍କର ଅଙ୍ଗଗୁଡ଼ିକୁ ଅତ୍ୟନ୍ତ ଆବଶ୍ୟକ ଥିବା ଅନ୍ୟ ବ୍ୟକ୍ତିଙ୍କ ଶରୀରରେ ରୋପଣ କରାଗଲା ।

ଆଜି ସୂରଜ ନାହାନ୍ତି ସତ । ହେଲେ ତାଙ୍କ ଅନୁପସ୍ଥିତିରେ ତାଙ୍କର ହୃତପିଣ୍ଡ କାହାକୁ ନୂଆ ଜୀବନ ଦେଇଛି ତ ଆଉ କାହାକୁ ତାଙ୍କ ଆଖି ସବୁଦିନ ଅନ୍ଧାରରୁ ମୁକ୍ତି ଦେଇ ନୂଆ ଦୁନିଆ ଦେଖାଇଛି । ଏମିତି ତାଙ୍କର ବିଭିନ୍ନ ଅଙ୍ଗ ବଞ୍ଚାଇଛି ୬ ଜଣଙ୍କ ଜୀବନ । ଆଉ ସୂରଜ ଏବେ ଜଣେ ନୁହେଁ ଛଅ ଛଅ ଜଣଙ୍କ ଭିତରେ ବଞ୍ଚି ରହିଛନ୍ତି । ସତରେ ଧନ୍ୟ ତୁମେ ସୂରଜ ଓ ଧନ୍ୟ ତୁମର ପରିବାର । ଯେଉଁମାନଙ୍କ ସମୟୋଚିତ ନିଷ୍ପତ୍ତି ଏଭଳି ଏକ ବିଶାଳ ଉଦାହରଣ ସୃଷ୍ଟି କରିପାରିଲା ।
ତେଣୁ ଆପଣମାନଙ୍କୁ ବି ନିବେଦନ, ଏଭଳି ସ୍ଥିତିରେ ଆପଣମାନେ ମଧ୍ୟ ସୂରଜଙ୍କ ପରିବାର ଭଳି ବହୁତ କିଛି କରିପାରିବେ ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ରତ୍କାକର ସାହୁ, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.