ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ସନ୍ଦେହ

ଗୋଟିଏ ପରେ ଗୋଟିଏ ଦାଦନ ଶ୍ରମିକଙ୍କ ଶବ ଫେରିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦାଦନ ଗଡ଼ରେ ଦାଦନ ଶ୍ରମିକ ଚାଲାଣ ରୋକିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଆଉ ଏହାରି ଭିତରେ ନିର୍ଯାତନା ସହ ଶ୍ରମିକଙ୍କ ମୃତ୍ୟ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ସନ୍ଦେହ ବଢ଼ିଚାଲିଛି ।

ଟିଟିଲାଗଡ଼ (କେନ୍ୟୁଜ): ପେଟ ପାଇଁ ଦୁଇ ମୁଠା ଆହାର ଯୋଗାଡ଼ କରିବାକୁ ଯାଇଥିଲେ । ଘରର ଅବସ୍ଥା ଭଲ ନଥିଲା । ଘର ଚଳାଇବା ପାଇଁ ଘରଠୁ ଦୂରକୁ ଦାଦନ ଖଟିବାକୁ ଯାଇଥିଲେ । କିନ୍ତୁ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଏଭଳି ମୃତ୍ୟୁ କୁ ନେଇ ସନ୍ଦେହ ବଢ଼ିବା ସହ ଚର୍ଚ୍ଚା ଜୋର ଧରିଛି । ତାଙ୍କୁ ହତ୍ୟା କରାଯାଇଛି ନା ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି ତାକୁ ନେଇ ଏବେ ସନ୍ଦେହ ବଢ଼ିଚାଲିଛି ।

ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ପଡିଛି ଶ୍ରମିକ ଙ୍କ ମୃତ ଦେହ । ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁସାରେ କଣ୍ଟାବାଞ୍ଜି ନୂଆପଡାର ଯୋଗେନ୍ଦ୍ର ବେହେରା ଅନ୍ୟ କେତେକ ଶ୍ରମିକଙ୍କ ସହ ତିରୁପତି ନିକଟସ୍ଥ ଚନ୍ଦ୍ର ହାସ ଅଞ୍ଚଳରେ ଥିବା ମାଲିକ ଚନ୍ଦ୍ରଙ୍କ ଇଟା ଭାଟିକୁ ଯାଇଥିଲେ । ହେଲେ କେତେକ ଶ୍ରମିକ ଚାଲିଆସିବାରୁ ଯୋଗେନ୍ଦ୍ର ବେହେରା ମଧ୍ୟ ଷ୍ଟେସନକୁ ଆସିଥିଲେ । କିନ୍ତୁ ମାଲିକ ଷ୍ଟେସନରୁ ଯୋଗେନ୍ଦ୍ରକୁ ନେଇ ଘରେ ତାଲା ମାରି ରଖିବା ସହ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ସାଙ୍ଗରେ ଥିବା ଶ୍ରମିକ ।

ସୂଚନା ଅନୁସାରେ କଣ୍ଟାବାଞ୍ଜିର ଦାଦନ ଶ୍ରମିକ ଦଲାଲ ସୁରୁ ନାଗ ଶ୍ରମିକ ମାନଙ୍କୁ ଅଗ୍ରିମ ୧୦ ହଜାର ଟଙ୍କା ଦେଇ ତିରୁପତି ନିକଟସ୍ଥ ଚନ୍ଦ୍ର ହାସ କୁ ଇଟା ଗଢିବା ପାଇଁ ପଠାଇ ଥିଲେ । କିନ୍ତୁ ସେଠାରେ ଶ୍ରମିକ ମାନଙ୍କୁ ନିର୍ଯାତନା ଦିଆଯାଉଥିଲା । ଯୋଗେନ୍ଦ୍ର ବେହେରାଙ୍କ ମୃତ୍ୟୁ ପରେ କୁଆଡେ ତାଙ୍କ ଶବ କୁ ଅନ୍ୟ ଜଣେ ଶ୍ରମିକ ଏବଂ ଦାଦନ ଦଲାଲ ସୁରୁ ନାଗ କଣ୍ଟାବାଞ୍ଜି କୁ ଆଣିବା ପରିବର୍ତ୍ତେ କେସିଙ୍ଗା ରେଳ ଷ୍ଟେସନରେ ଓଲ୍ଲାଇ ଟିଟିଲାଗଡ଼କୁ ଆଣିଥିଲେ । ଟିଟିଲାଗଡ଼ ପୋଲିସ ଖବର ପାଇ ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତକ ଯୋଗେନ୍ଦ୍ର ବେହେରାଙ୍କ ଶବ ରକ୍ତାକ୍ତ ଅବସ୍ଥାରେ ରହିଥିଲା । ଯାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଅନ୍ୟପଟେ ଦାଦନ ଦଲାଲ ସୁରୁ ନାଗ ଫେରାର ମାରିଛି । କଣ ପାଇଁ କଣ୍ଟାବାଞ୍ଜି ରେଳ ଷ୍ଟେସନ ବଦଳରେ କେସିଙ୍ଗା ରେଳ ଷ୍ଟେସନରେ ଶବକୁ ଓଲ୍ଲାଇ ଦିଆଗଲା ତାକୁ ନେଇ ସନ୍ଦେହ ଉପୁଜିଛି । କେସିଙ୍ଗା ରେଳ ଷ୍ଟେସନରେ ରେଳ ସୁରକ୍ଷା ବଳ ପୋଲିସ ଥାଇ ମଧ୍ୟ ଶବକୁ କେମିତି ଏକ ଆମ୍ବୁଲାନ୍ସ ଯୋଗେ ଛାଡି ଦିଆଗଲା ତାକୁ ନେଇ ଏବେ ମାମଲା ଆହୁରି ସଙ୍ଗୀନ ହୋଇଛି । ଟିଟିଲାଗଡ଼ ଏସ.ଡି.ପି.ଓ ଅଙ୍କିତା କୁମ୍ଭାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି ।

ଗୋଟିଏ ପରେ ଗୋଟିଏ ଦାଦନ ଶ୍ରମିକଙ୍କ ଶବ ଫେରିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦାଦନ ଗଡ଼ରେ ଦାଦନ ଶ୍ରମିକ ଚାଲାଣ ରୋକିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଆଉ ଏହାରି ଭିତରେ ନିର୍ଯାତନା ସହ ଶ୍ରମିକଙ୍କ ମୃତ୍ୟ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ସନ୍ଦେହ ବଢ଼ିଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.