ଶାଶୁ ଘରେ ତପସ୍ୱିନୀ ଘର ଲୋକ ବାହାରେ, କୋର୍ଟରେ ଚାଲିଛି ପିଟିସନ୍‌ ଯୁଦ୍ଧ

ବ୍ରହ୍ମପୁର (କେନ୍ୟୁଜ୍‌) : ସୁମିତ୍ ଓ ତପସ୍ୱିନୀଙ୍କ ପ୍ରସଙ୍ଗରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ତା ଉପରେ ସମସ୍ତଙ୍କ ନଜର । ଏବେ ତପସ୍ୱିନୀ ରହିଛନ୍ତି ନିଜ ଶାଶୁ ଘରେ ଆଉ ଶୁଶୁ ଘର ଲୋକେ ବାହାରେ । ଆଇନଗତ ଲଢ଼େଇ ଭିତରେ ଉଭୟଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପିଟିସନ୍ ଯୁଦ୍ଧ । ଜିଲ୍ଲା ଦୌରାଜଜ୍‌ଙ୍କ ଆଦେଶ ପ୍ରକାରେ ୧୦ ତାରିଖ ସୁଦ୍ଧା ତପସ୍ୱିନୀଙ୍କ ଭରଣପୋଷଣ ବାବଦରେ ସୁମିତଙ୍କୁ ୧୭ ହଜାର ଟଙ୍କା ପଇଠ କରିବାର ଥିଲା । ତେବେ ତାହା ହୋଇନଥିବାରୁ ତପସ୍ୱିନୀଙ୍କ ପକ୍ଷରୁ ଏନେଇ ତାଙ୍କ ଓକିଲଙ୍କ ଦ୍ୱାରା ଏସଡିଜେଏମ୍ କୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଛି । ସ୍ୱାମୀ ସୁମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଯାହାର ଶୁଣାଣି ୧୯ ତାରିଖରେ ହେବ ।

ଅନ୍ୟ ପଟେ ସୁମିତଙ୍କ ପକ୍ଷରୁ ହାଇକୋର୍ଟରେ ଜିଲ୍ଲା କୋର୍ଟର ଆଦେଶ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଆଉ ତା ବିରୋଧରେ ତପସ୍ୱିନୀଙ୍କ ଓକିଲଙ୍କ ଦ୍ୱାରା ଆପତ୍ତି ପିଟିସନ୍ ମଧ୍ୟ ଦାଖଲ ହୋଇଛି । ସେହିପର ଶ୍ୱଶୁର ଘରେ ରହିବା ନେଇ ଓ ଭରଣପୋଷଣ ପାଇଁ ମଧ୍ୟବର୍ତ୍ତିକାଳୀନ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ତପସ୍ୱିନୀଙ୍କ ପକ୍ଷରୁ ଦାଖଲ ହୋଇଥିବା ମୂଳ ପିଟିସନ୍‌ର କାଉଣ୍ଟର୍ ସୁମିତ୍‌ଙ୍କ ତରଫରୁ ଦାଖଲ ହୋଇଥିଲେ ବି ତାହାର ଶୁଣାଣି ଆସନ୍ତା ୧୭ ତାରିଖକୁ ରହିଛି ।

ଏପଟେ ସୁମିତଙ୍କ ମାଅ ଓ ଜେଜେ ମାଆଙ୍କ ପକ୍ଷରୁ ଘରୋଇ ହିଂସା ଆଇନରେ ତପସ୍ୱିନୀ ଓ ତାଙ୍କ ବାପା ମାଆଙ୍କ ବିରୋଧରେ ଦାଖଲ ହୋଇଥିବା ପିଟିସନ୍‌ର ଶୁଣାଣି ୧୯ ତାରିଖକୁ ରହିଛି । ଗତ ୧୦ ତାରିଖରେ ହୋଇଥିବା ସେହି ଶୁଣାଣିରେ ତପସ୍ୱିନୀ ତାଙ୍କ ଓକିଲଙ୍କ ମାଧ୍ୟମରେ ହାଜର ହେବା ପରେ ତାର ଶୁଣାଣି କରି ମଧ୍ୟବର୍ତ୍ତିକାଳୀନ ଆଦେଶ ପ୍ରକାରେ ଏସଡିଜେଏମ୍‌୍‌ଙ୍କ ପକ୍ଷରୁ ସେହି ପିଟିସିନ୍ ରଦ୍ଦ ହୋଇଥିବା ତପସ୍ୱିନୀଙ୍କ ଓକିଲ କହିଛନ୍ତି । ତେବେ କୋଭିଡ୍ ସଂକ୍ରମଣ ପାଇଁ ହାଇକୋର୍ଟ ବନ୍ଦ ହୋଇଯାଇଛି । ତେଣୁ ଆସନ୍ତା ୧୭ ତାରିଖ ଦିନ ହେବାକୁ ଥିବା ଏସଡିଜେଏମ୍ କୋର୍ଟର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି ।

ଅବଶ୍ୟ ହାଇକୋର୍ଟରେ ମାମଲା ରୁଜୁ କଲା ବେଳେ ସୁମିତ କିଛି ଏମିତି କଥା କହିଛନ୍ତି ଯାହା ମାମଲାକୁ ସକାରାତ୍ମକ ରାସ୍ତାରେ ନେଇଯାଇ ପାରେ । ସୁମିତ କହିଛନ୍ତି କି ମୁଁ ତପସ୍ୱିନୀଙ୍କୁ ଭଲ ପାଇଛି । ଆମେ ପୁଣି ମିଶି ପାରୁ । ହେଲେ ଭଲ ପାଇଛି ବୋଲି ମୋର କଣ ସମ୍ମାନ ହାନି କରିବି ? ତେଣୁ ଯଦି ଉଭୟ ବସି ଭଲ ଭାବେ ଆଲୋଚନା କରନ୍ତି ତେବେ ହୁଏତ ଏ ମାମଲା ପଦାରୁ ଯାଇ ପୁଣି ଘର ଭିତରେ ଲୁଚିଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.