ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ମୁଖ୍ଯ ଡାକ୍ତରଖାନାରେ ଉତ୍ତେଜନା,ମେଡିକାଲ କର୍ମଚାରୀଙ୍କ ସହ ମୃତ ବ୍ଯକ୍ତିଙ୍କ ପରିବାର ଲୋକଙ୍କ ଧସ୍ତାଧସ୍ତି

ଭଦ୍ରକ(କେନ୍ୟୁଜ୍): ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ମୁଖ୍ଯ ଡାକ୍ତରଖାନାରେ ଉତ୍ତେଜନା। ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ପରେ ଏହି ଘଟଣା କୁ ନେଇ ମେଡିକାଲ କର୍ମଚାରୀଙ୍କ ସହ ମୃତ ବ୍ଯକ୍ତିଙ୍କ ପରିବାର ଲୋକଙ୍କ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାକୁ ନେଇ ଏବେ ସମ୍ପୂର୍ଣ୍ଣ ମେଡିକାଲ ପରିସରକୁ ପୋଲିସ ଛାଉଣୀ କରାଯାଇଛି। ସୂଚନା ଅନୁଯାୟୀ, ଧୂଷୁରୀ ଥାନା ଠାକୁରପାଟଣା ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ସତ୍ୟେନ୍ଦୁ ମଲିକ ଗଡ଼ିଆରେ ବୁଡି ଯାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକ ତାଙ୍କୁ ପ୍ରଥମେ ଧୂଷୁରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଭଦ୍ରକ ମୁଖ୍ଯ ଡାକ୍ତରଖାନାକୁ ଆଣିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା ।
ରୋଗୀଜଣଙ୍କର ମୃତ୍ୟୁ ପରେ ମେଡିକାଲରେ ଦେଖାଦେଇଥିଲା ଉତ୍ତେଜନା। ମୃତ ବ୍ଯକ୍ତିଙ୍କ ପରିବାର ଲୋକ ଡାକ୍ତରଙ୍କୁ ଦୁର୍ବ୍ଯବହାର କରିବା ସହ ମେଡିକାଲ କର୍ମଚାରୀଙ୍କୁ ପାଟି ତୁଣ୍ଡ କରିଥିଲେ। ପରେ ମେଡିକାଲ କର୍ମଚାରୀଙ୍କୁ ଧସ୍ତାଧସ୍ତି କରିଥିଲେ । ଏପରିକି ମେଡିକାଲ ଆଉଟଡୋରରେ ରୋଗୀଙ୍କ ସମ୍ପର୍କୀୟମାନେ ପଶି ହଟଗୋଳ କରିଥିଲେ । ଗୁରୁତର ଅବସ୍ଥାରେ ଆସିଥିବା ରୋଗୀ ଜଣଙ୍କୁ ଡାକ୍ତର ପ୍ରଥମେ ଦେଖିନଥିଲେ,ରୋଗୀଟିକୁ ଠିକ ସେ ନଦେଖିବା ଫଳରେ ରୋଗୀଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ପରିବାର ଲୋକ। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଘଟଣାର ଅନୁଧ୍ୟାନ କରୁଥିଲେ ମଧ୍ୟ ଉତେଜନା କମିନାହିଁ ।