ପ୍ରାଚୀନ ବେଲେଶ୍ଵର ମନ୍ଦିରର ରହିଛି ଅନେକ ମାହାତ୍ମ୍ୟ, ହେଲେ ସମୁଦ୍ର ଗର୍ଭରେ ଏହା ଲୀନ ହେବାକୁ ବସିଲାଣି

ଦ୍ଵାଦଶ ସମ୍ଭୂଙ୍କ ମଧ୍ୟରୁ ଶେଷ ଏବଂ ଶ୍ରେଷ୍ଠ ସମ୍ଭୂ ବା ଶୈବ ପୀଠ ହେଉଛନ୍ତି କେଳୁଣୀ ମୁହାଣ ନିକଟରେ ରହିଥିବା ସର୍ବ ପ୍ରାଚୀନ ଶୈବପୀଠ ବେଲେଶ୍ଵର ଶୈବପୀଠ । ଏହି ଶୈବପୀଠଟି ପ୍ରାଚୀ ,ଦେବୀ ଏବଂ କାଦୁଆ ଏହି ତିନୋଟି ନଦୀର ସଂଗମ ସ୍ଥଳୀ । କେଳୁଣୀ ମୁହାଣର ତ୍ରିକୋଣ ଭୂମିର ମଧ୍ୟଭାଗରେ ଅବସ୍ଥିତ । ଏହି ଶୈବପୀଠଟି ସର୍ବ ପୁରାତନ ଏବଂ ସ୍ଵୟସମ୍ଭୂ ହୋଇଥିବାରୁ ଏହାର ଅନେକ ମାହାତ୍ମ୍ୟ ରହିଛି ।

କାକଟପୁର(କେନ୍ୟୁଜ): ଐତିହ୍ୟ ଏବଂ ପରମ୍ପରାର ରାଜ୍ୟ ହେଉଛି ଆମ ରାଜ୍ୟ ଓଡ଼ିଶା । ଓଡ଼ିଶାକୁ ମନ୍ଦିର ମାଳିନୀ ଓଡ଼ିଶା ମଧ୍ୟ କୁହାଯାଇଥାଏ । ଏହି ରାଜ୍ୟରେ ପ୍ରବାହିତ ହୋଇଛି ସର୍ବ ପୁରାତନ ପ୍ରାଚୀ ନଦୀ । କୁହାଯାଇଥାଏ ଯେ ଗଙ୍ଗା ନଦୀ ଠାରୁ ପୁରାତନ ନଦୀ ହେଉଛି ପ୍ରାଚୀ ନଦୀ । ପ୍ରାଚୀ ନଦୀର ଅବବାହିକାରେ ଅନେକ ମଠ ଏବଂ ମନ୍ଦିର ଗଢି ଉଠିଛି । ସେଥି ମଧ୍ୟରୁ ଏକାଦଶ ମାଧବ ଏବଂ ଦ୍ଵାଦଶ ସମ୍ଭୂ ପୀଠ ଏହି ପ୍ରାଚୀ ନଦୀର ଅବବାହିକାରେ ରହିଥିବା ଦେଖିବାକୁ ମିଳିଥାଏ ।

ଦ୍ଵାଦଶ ସମ୍ଭୂଙ୍କ ମଧ୍ୟରୁ ଶେଷ ଏବଂ ଶ୍ରେଷ୍ଠ ସମ୍ଭୂ ବା ଶୈବ ପୀଠ ହେଉଛନ୍ତି କେଳୁଣୀ ମୁହାଣ ନିକଟରେ ରହିଥିବା ସର୍ବ ପ୍ରାଚୀନ ଶୈବପୀଠ ବେଲେଶ୍ଵର ଶୈବପୀଠ । ଏହି ଶୈବପୀଠଟି ପ୍ରାଚୀ ,ଦେବୀ ଏବଂ କାଦୁଆ ଏହି ତିନୋଟି ନଦୀର ସଂଗମ ସ୍ଥଳୀ । କେଳୁଣୀ ମୁହାଣର ତ୍ରିକୋଣ ଭୂମିର ମଧ୍ୟଭାଗରେ ଅବସ୍ଥିତ । ଏହି ଶୈବପୀଠଟି ସର୍ବ ପୁରାତନ ଏବଂ ସ୍ଵୟସମ୍ଭୂ ହୋଇଥିବାରୁ ଏହାର ଅନେକ ମାହାତ୍ମ୍ୟ ରହିଛି ।

ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଜୁଆର ଭଟ୍ଟା ସମୟରେ ଡଙ୍ଗା ପାରି ହୋଇ ଆସିଥାନ୍ତି ଏବଂ ଜୁଆର ଛାଡିଯିବା ପରେ ନଦୀର ପଠା ଶୁଖିଲା ପଡିଥାଏ । ଏହି ପଠାରେ ଚାଲିଚାଲି ନଦୀ ପାର ହୋଇ ଆସିଥାନ୍ତି । ଅସ୍ତରଙ୍ଗ ଅଞ୍ଚଳର ଏହା ବେଶ ପ୍ରସିଦ୍ଧ ଶୈବପୀଠ ହୋଇଥିବା ବେଳେ ବିଭିନ୍ନ ପର୍ବପର୍ବାଣୀ ଯଥା ସଂକ୍ରାନ୍ତି ,ଜାଗର ,ପୂର୍ଣ୍ଣିମା ତିଥିରେ ଶତାଧିକ ଶ୍ରଦ୍ଧାଳୁ ଏବଂ ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିଥାଏ । ଏଠାର ପ୍ରାକୃତିକ ସୌନ୍ଦର୍ଜ୍ୟ ଶ୍ରଦ୍ଧାଳୁ ଏବଂ ଭକ୍ତ ମାନଙ୍କୁ ଏଠାକୁ ବାରମ୍ବାର ଆସିବାକୁ ଆକର୍ଷିତ କରିଥାଏ। ଦକ୍ଷିଣ ଦିଗରେ ସମୁଦ୍ର ସାଙ୍ଗକୁ ପଶ୍ଚିମ ଦିଗ ଏବଂ ଉତର ଦିଗ ରେ ପ୍ରାଚୀ ,ଦେବୀ ଏବଂ କାଦୁଆ ନଦୀର ସଂଗମର ଦୃଶ୍ୟ ଏହି ଶୈବପୀଠ ଟିକୁ ସ୍ବତନ୍ତ୍ର ଉପମାରେ ଚିତ୍ରଣ କରିଛି । କିନ୍ତୁ ଏହି ଶୈବପୀଠ ଟିକୁ କାଳ ସାଜିଛି କେଳୁଣୀ ମୁହାଣ ଏବଂ ପ୍ରାଚୀ ନଦୀର ମୁହାଣ ଧାର । ନଦୀର ପ୍ରଖର ସ୍ରୋତ ଏହି ଶୈବପୀଠର ବାଲିବନ୍ତକୁ କ୍ଷୟ କରିଚାଲିଛି ,ଯାହାଦ୍ବାରା ଶୈବପୀଠ ପରିସରରେ ରହିଥିବା ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି ।

ଏପଟେ କେଳୁଣୀ ମୁହାଣରୁ ନଦୀକୁ ଆସୁଥିବା ପ୍ରଖର ସ୍ରୋତ ବେଲେଶ୍ଵର ଶୈବପୀଠ ଅବସ୍ଥାନ କରିଥିବା ବାଲିବନ୍ତକୁ ଖାଇ ଖାଇ ଚାଲିଛି, ଯାହାଫଳରେ ମୁହାଣରୁ ବାହାରିଥିବା ନଦୀ ଠାରୁ ମାତ୍ର କିଛି ଫୁଟ ଦୂରରେ ରହିଛି ମନ୍ଦିର ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ସ୍ଥାନୀୟ ଅଧିବାସୀ । ଏହି ବେଲେଶ୍ଵର ଶୈବପୀଠକୁ ସୌନ୍ଦର୍ଯ୍ୟ କରଣ ପାଇଁ 5t ପକ୍ଷରୁ ୯ ଲକ୍ଷ ଟଙ୍କା ଅନୁଦାନରେ କାର୍ଯ୍ୟ କରାଯାଇଥିବା ବେଳେ ଏହିପୀଠଟି ଏବେ ମୁହାଣ ମୁହଁରେ ନିଶ୍ଚିର୍ଣ୍ଣ ହେବାକୁ ବସିଛି ।

ନଦୀ ଏବଂ ସମୁଦ୍ରର ସ୍ରୋତରୁ ଏହି ପୀଠଟିକୁ ରକ୍ଷା କରିବା ପାଇଁ କୌଣସି ସରକାରୀ ବା ପ୍ରଶାସନିକ ବେବସ୍ଥା ଏଠାକୁ ପହଞ୍ଚି ପାରିନାହିଁ । ମନ୍ଦିରର ସୁରକ୍ଷା ପାଇଁ ପ୍ରଶାସନିକ ସହାୟତା ଏଠାରେ ସାତସପନ ହେବା ପରେ ଏହି ପୀଠକୁ ସୁରକ୍ଷା କରିବା ପାଇଁ ଅଣ୍ଟା ଭିଡିଛନ୍ତି କୋରଣା ପଂଚାୟତର ନଟରା ,କରାଳ ,ବଡଗୋଲା ,ବେଳଙ୍ଗ ,କେଉଟଜଙ୍ଗା ,ରାଇବେରୁହାଁ ,ରାଇକଣା ସାତଟି ଗ୍ରାମର ଗ୍ରାମବାସୀ । ଏହି ସବୁ ଗ୍ରାମର ଗ୍ରାମବାସୀମାନେ ଗ୍ରାମର ପ୍ରତିଟି ଘରୁ ପ୍ଲାଷ୍ଟିକ ବ୍ୟାଗ ସଂଗ୍ରହ କରି ସେହି ବ୍ୟାଗରେ ବାଲି ଭର୍ତି କରି ମୁଣ୍ଡରେ ମୁଣ୍ଡାଇ ନଦୀର ସ୍ରୋତ କୁ ଅଟକାଇବା ପାଇଁ ନଦୀରେ ଏକ ବନ୍ଧ ବାନ୍ଧିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।

ଶତାଧିକ ଗ୍ରାମବାସୀ ଆଜିକୁ ପାଞ୍ଚଦିନ ଧରି ପାଞ୍ଚ ହଜାର ବାଲିବସ୍ତା ଏହି ନଦୀରେ ପକାଇ ଏକ ବନ୍ଧ ସୃଷ୍ଟି କରିବାକୁ ପ୍ରୟାସ ଆରମ୍ଭ କରିଥିବା ବେଳେ ନଦୀର ସ୍ରୋତ ସେମାନଙ୍କ ପାଇଁ ଦାଉ ସାଜୁଛି । ନଦୀରେ ପଡୁଥିବା ବାଲିବସ୍ତାକୁ ନଦୀର ସ୍ରୋତ ଭସାଇ ନେଇଯାଉଛି । ଯାହାଫଳରେ ମନ୍ଦିର ପ୍ରତି ଅଧିକ ବିପଦ ମାଡିଆସୁଛି । ବର୍ଷା ଦିନରେ ଲଘୁଚାପ ହେଉଥିବା ସମୟ ଏବଂ ପୂର୍ଣ୍ଣମା ତିଥି ମାନଙ୍କରେ ଏହି ସ୍ଥାନର ସମୁଦ୍ର ଭୟଙ୍କର ରୂପ ଧାରଣ କରିଥାଏ । ସମୁଦ୍ରର ଉଚ୍ଚ ଉଚ୍ଚ ଲହଡି ବେଲେଶ୍ଵର ବାଲିବନ୍ତ ଦେହରେ ମାଡ଼ ହୋଇଥାଏ। ଯାହାଫଳରେ ବାଲିବନ୍ତ ସାଂଘାତିକ ଭାବରେ କ୍ଷୟ ହୋଇଥାଏ ଏବଂ ବେଲେଶ୍ୱର ମନ୍ଦିର ପରିସର ରେ ସମୁଦ୍ର ପାଣି ପ୍ରବେଶ କରି ବିପଦ ସଙ୍କୁଳ ପରିସ୍ଥିତି ସୃଷ୍ଟି କରିଥାଏ ।

ଅପରପଟେ ପୌରାଣିକ କିମ୍ବଦନ୍ତୀକୁ ବହନ କରୁଥିବା ଏହି ସର୍ବପୁରାତନ ଶୈବପୀଠ ଏବେ ଧ୍ୱଂସାଭିମୁଖୀ ଆଡକୁ ଯାଉଛି । ରାଜ୍ୟ ସରକାର ବିଭିନ୍ନ ମଠ ମନ୍ଦିରର ପୁନରୁଦ୍ଧାର ପାଇଁ ବିଭିନ୍ନ କାମ ହାତକୁ ନେଉଥିବା ବେଳେ ବେଲେଶ୍ଵର ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବହନ କରୁଥିବା ଏକ ଶୈବ ପୀଠକୁ ସୁରକ୍ଷା ଦେବାପାଇଁ କିଛି ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ମାନେ ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.