ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାକୁ ଚାହୁଁଥିଲେ CPI ବିଧାୟକ, ଠେଲାପେଲା କରି ହଟାଇଦେଲେ ସୁରକ୍ଷାକର୍ମୀ
ସିମରିଆରେ ବିହାର ସରକାର ୧୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ବିକାଶ କାର୍ଯ୍ୟ କରାଇଛନ୍ତି । ଏଠାରେ ୫୫୦ ମିଟରରେ ତିଆରି ସିଢ଼ି ଘାଟ ଏବଂ ପାର୍କ ଉଦ୍ଘାଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପହଞ୍ଚିଥିଲେ ।

ବିହାରରେ ବେଗୁସରାୟର ସିମରିଆ ଗଙ୍ଗାଧାମ ଅଞ୍ଚଳରେ ଶନିବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ଉଦ୍ଘାଟନ ସମାରୋହରେ ପହଞ୍ଚିଥିଲେ । ଏହି ଅବସରରେ ବିରୋଧୀ ଦଳ ସିପିଆଇର ବିଧାୟକ ରାମରତନ ସିଂ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେବେ ଉଦ୍ଘାଟନ ସମାରୋହ ବେଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ ରାମରତନ ସିଂଙ୍କୁ ଠେଲାପେଲା କରିଥିବା ମାମଲା ସାମ୍ନାକୁ ଆସିଛି ।
ସୂଚନା ରହିଛି, ଉଦ୍ଘାଟନ ବେଳେ ସିଏମ୍ଙ୍କ ସହ ଛିଡ଼ା ହୋଇଥିବା ଲୋକଙ୍କ ମଧ୍ୟରେ ସିପିଆଇ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ । ସେ ଶେଷ ଆଡ଼କୁ ଛିଡ଼ା ହୋଇଥିଲେ ଏବଂ ସିଏମ୍ଙ୍କୁ ଭେଟିବାକୁ ଚାହୁଁଥିଲେ । ଏହି ସମୟରେ ସୁରକ୍ଷା କର୍ମୀମାନେ ତାଙ୍କୁ ପ୍ରଥମେ ଅଟକାଇଥିଲେ ଏବଂ ପରେ ଠେଲାପେଲା କରି ସେଠାରୁ ତାଙ୍କୁ ହଟାଇ ଦେଇଥିଲେ ।
ସିପିଆଇ ବିଧାୟକ ରାମରତନ ସିଂ ବେଗୁସରାୟ ଜିଲ୍ଲାର ତେଘରା ନିର୍ବାଚନମଣ୍ଡଳୀରୁ ବିଧାୟକ ଅଛନ୍ତି । ସିଏମ୍ ନୀତୀଶ କୁମାର ଉଦ୍ଘାଟନ ସମାରୋହ ପାଇଁ ଯେଉଁ ଜାଗାରେ ପହଞ୍ଚିଥିଲେ, ସେହି ଜାଗା ତେଘରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରହିଛି । ସିମରିଆରେ ବିହାର ସରକାର ୧୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ବିକାଶ କାର୍ଯ୍ୟ କରାଇଛନ୍ତି । ଏଠାରେ ୫୫୦ ମିଟରରେ ତିଆରି ସିଢ଼ି ଘାଟ ଏବଂ ପାର୍କ ଉଦ୍ଘାଟନ କରିବା ପାଇଁ ସିଏମ୍ ପହଞ୍ଚିଥିଲେ ।