Below header

୨୦୨୪ ସାଧାରଣ ନିର୍ବାଚନ ପାଇଁ ବଡ଼ ସନ୍ଦେଶ, ପ୍ରଭାବକୁ ନେଇ ଅଙ୍କକଷା ଆରମ୍ଭ ହେଲାଣି

୨୦୨୪ ସାଧାରଣ ନିର୍ବାଚନକୁ ବର୍ଷକରୁ କମ୍‌ ସମୟର ରହିଛି। ଏହା ପୂର୍ବରୁ କର୍ଣ୍ଣାଟକରେ ବିଜେପିକୁ ଶକ୍ତ ଧକ୍କା। କଂଗ୍ରେସ ପୁଣି ଫେରି ପାଇଛି କ୍ଷମତା। ଦକ୍ଷିଣ ଭାରତରେ ବିଜେପି କ୍ଷମତା ହରାଇଛି। ସେପଟେ ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିଜୟ ସହ ନିଜର ବିଜୟ ଧାରା ବଜାୟ ରଖିଛି। କଣ ରହିବ ସାଧାରଣ ନିର୍ବାଚନରେ ଏହାର ପ୍ରଭାବ ତାକୁ ନେଇ ଅଙ୍କକଷା ଆରମ୍ଭ ହେଲାଣି ।

କେନ୍ୟୁଜ୍(ବ୍ୟୁରୋ): କର୍ଣ୍ଣାଟକ କିଙ୍ଗ କଂଗ୍ରେସ। ଝାରସୁଗୁଡ଼ାରେ ବିଜେଡିର ବାଜିମାତ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜନାଦେଶର ବଡ଼ ବାର୍ତ୍ତା। କର୍ଣ୍ଣାଟକ ନିର୍ବାଚନରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ। ଏହା ସହ ଦକ୍ଷିଣ ଭାରତରୁ ଶାସନ କ୍ଷମତାରୁ ହଟିଛି ବିଜେପି। କର୍ଣ୍ଣାଟକରେ ଗତ ୩୫ ବର୍ଷ ମଧ୍ୟରେ ସର୍ବାଧିକ ଆସନ ଓ ଭୋଟ ସେୟାରରେ କଂଗ୍ରେସ ବିଜୟୀ ହୋଇଛି। ୨୦୧୩ ବିଧାନସଭା ନିର୍ବାଚନରେ ୧୨୨ଟି ଆସନରେ ବିଜୟୀ ହୋଇଥିଲା କଂଗ୍ରେସ। ଭୋଟ ହାର ଥିଲା ୩୬.୬ ପ୍ରତିଶତ। ଚଳିତ ଥର କିନ୍ତୁ ସର୍ବାଧିକ ଆସନ ସହ ୪୩.୧ ପ୍ରତିଶତ ଭୋଟ ହାସଲ କରିଛି କଂଗ୍ରେସ। ଗତ ୨୦୧୯ ସାଧାରଣ ନିର୍ବାଚନରେ କର୍ଣ୍ଣାଟକରେ ବିଜେପି ୨୫ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା। କଂଗ୍ରେସକୁ ମିଳିଥିଲା ମାତ୍ର ଗୋଟିଏ ଲୋକସଭା ଆସନ। ବର୍ତ୍ତମାନ ୨୦୨୩ର ବିଧାନସଭା ନିର୍ବାଚନ ରେଜଲ୍‌ଟ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ପାଇଁ ଚିନ୍ତାର କାରଣ ପାଲଟିପାରେ।

୨୦୧୯ ନିର୍ବାଚନରେ ଓଡ଼ିଶାରେ ଥିଲା ଅଷ୍ଟମ ଉପନିର୍ବାଚନ। ୭ଟି ଆସନରେ ବିଜେଡି ବିଜୟୀ ହୋଇଥିବା ବେଳେ ଗୋଟିଏ ଆସନରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। ବରଗଡ଼ ଲୋକସଭା ଆସନ ବିଜେପି ଦଖଲରେ ରହିଛି। କିନ୍ତୁ ୪ଟି ଉପନିର୍ବାଚନରେ ବିିଜେଡି ବୃହତ ବ୍ୟବଧାନରେ ବିଜୟୀ ହୋଇଛି। ପଶ୍ଚିମ ଓଡ଼ିଶାରେ ବିଜେପି ପାଖରେ ୫ଟି ଲୋକସଭା ଆସନ ରହିଛି। କିନ୍ତୁ ବିଧାନସଭା କ୍ଷେତ୍ରରେ ପ୍ରଭାବ ବିସ୍ତାର କରୁଛି ବିଜେଡି। ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିଲେ ମଧ୍ୟ ବିଧାନସଭା ଆସନରେ ବିଜେଡିର ବିଜୟ ଧାରା ଆଗକୁ ମାଡ଼ି ଚାଲିଛି।

କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର, ବରିଷ୍ଠ ନେତା ଡେରା ପକାଇ କ୍ୟାମ୍ପେନ କରୁଥିଲେ ମଧ୍ୟ ଗ୍ରାଉଣ୍ଡରେ ଏହା ପ୍ରଭାବ ଶୂନ୍ୟ ରହିଛି। ଗତ ୬ମାସରେ ପଦ୍ମପୁର ଓ ଝାରଗୁସୁଡ଼ାରେ ଉପନିର୍ବାଚନରେ ଲଗାତାର ବିଜେଡି ବିଜୟୀ ହୋଇଛି। ପଶ୍ଚିମ ଓଡ଼ିଶାରେ ବିଜେଡିର ଶକ୍ତି ବୃଦ୍ଧି ସହ ସଂଗଠନ ଆହୁରି ଦୃଢ ହୋଇଛି। ଆଗକୁ ସାଧାରଣ ନିର୍ବାଚନରେ ଏହା ବିଜେପିକୁ ପ୍ରଭାବ ପକାଇପାରେ। ୨୦୨୪ ସାଧାରଣ ନିର୍ବାଚନକୁ ବର୍ଷକରୁ କମ୍‌ ସମୟ ରହିଛି। କର୍ଣ୍ଣାଟକ ପରେ ରାଜସ୍ତାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ରହିଛି ବିଧାନସଭା ନିର୍ବାଚନ। ଏହାର ରେଜଲ୍‌ଟ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରର କ୍ଷମତାସୀନ ବିଜେପି ପାଇଁ ସେମି ଫାଇନାଲ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.