ହସ୍ପିଟାଲରେ ମିଳିଲାନି ମହାପ୍ରୟାଣ ଗାଡି, ଅଟୋରେ ମୃତଦେହକୁ ବୋହି ଘରକୁ ନେଲେ ପରିବାର ଲୋକେ

ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ମିଳିଲାନି ମହାପ୍ରୟାଣ ଗାଡି । ବାଧ୍ୟ ହୋଇ ପରିବାର ଲୋକେ ଅଟୋରେ ମୃତଦେହକୁ ବୋହି ଘରକୁ ନେଇଛନ୍ତି ।

ପରିବାରର କୌଣସି ସଦ୍ୟସଙ୍କର ମୃତ୍ୟୁ ହେଲେ ପରିବାରର ଲୋକଙ୍କ କଷ୍ଟ ବଢ଼ିଯାଏ । ମୃତ୍ୟୁ ପରେ ମୃତକଙ୍କର ଶରୀରକୁ ସମ୍ମାନର ସହିତ ତାଙ୍କ ଅନ୍ତିମ ସସ୍କାର କରାଯାଏ । ଯଦି ହସ୍ପିଟାଲରେ ହିଁ କାହାର ମୃତ୍ୟୁ ହୋଇଯାଏ ତେବେ ହସ୍ପିଟାଲରେ ମହାପ୍ରୟାଣ ଗାଡ଼ି ଥାଏ । ଯାହା ଦ୍ୱାରା ମୃତ ଶରୀରକୁ ତାଙ୍କ ଘରକୁ ପଠା ଯାଇଥାଏ । କିନ୍ତୁ ଏବେ ବି କିଛି ସ୍ଥାନ ଏପରି ଅଛି ଯେଉଁଠାରେ ସ୍ୱାସ୍ଥ୍ୟ ବିଭାଗର ଅବହେଳାର ଶିକାର ହୁଅନ୍ତି ନୀରିହ ଜନ ସାଧାରଣ । ସମାନ ଭାବେ ପୁଣି ସ୍ୱାସ୍ଥ୍ୟ ବିଭାଗର ଅପାରଗତା ପଦାରେ ପଡିଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ମିଳିଲାନି ମହାପ୍ରୟାଣ ଗାଡି । ବାଧ୍ୟ ହୋଇ ପରିବାର ଲୋକେ ଅଟୋରେ ମୃତଦେହକୁ ବୋହି ଘରକୁ ନେଇଛନ୍ତି । ପରିବାର ସଦସ୍ୟମାନେ କାହାକୁ ବା କହିଥାନ୍ତେ । ଗରିବ ଗୁରୁବା ଲୋକ ଏମାନେ ନିଜ ପେଟ ପାଇଁ ସଂଘର୍ଷ କରି ବଞ୍ଚୁଥିବା ବେଳେ ତାଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ତାଙ୍କୁ ମହାପ୍ରୟାଣ ଗାଡ଼ିର ସୁବିଧା ମିଳିଲାନି । ଯାହା ସମସ୍ତଙ୍କୁ ହତାଶ କରିଛି ।

ଏଭଳି ଅଭାବନୀୟ ଘଟଣା ଗଜପତି ଜିଲ୍ଲା ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ମୋହନା ବ୍ଲକ ଅଡ଼ବା ଥାନା ଅନ୍ତର୍ଗତ ଜାମଗଣ୍ଡା ଗାଁରେ ଦେଖିବାକୁ ମିଳିଛି । ଏହି ଗାଁର ରିମା ମଲ୍ଲିକ ବହୁ ଦିନ ଧରି କୌଣସି ଏକ ରୋଗରେ ଆକ୍ରାନ୍ତ ଥିଲେ । ତେଣୁ ତାଙ୍କୁ ପରିବାର ଲୋକେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗୁରୁବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଲା କିନ୍ତୁ ଗାଁକୁ ଶବ ନେବା ପାଇଁ ମହାପ୍ରୟାଣ ଗାଡି ମିଳିଲାନି । ପରିବାର ବର୍ଗ ବାଧ୍ୟ ହୋଇ ମଧ୍ୟାହ୍ନ ୧୨.୩୦ ମିନିଟ ସମୟରେ ମୋହନା ମେଡିକାଲରୁ ଏକ ଅଟୋ ଯୋଗାଡ଼ କରି ଶବକୁ ନେଇଥିଲେ ।

ମୋହନା ଅଞ୍ଚଳରେ ବାରମ୍ବାର ଏଭଳି ଦୃଶ୍ୟ ସାମ୍ନାକୁ ଆସୁଥିଲେ ମଧ୍ୟ ସ୍ୱାସ୍ଥ୍ୟବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଲୋକମାନେ ସାମାନ୍ୟ ସୁବିଧାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ଏ ଅବହେଳା ଆଉ କେତେ ଦିନ ରହିବ । ଲୋକମାନେ ନିଜ ମୌଳିକ ସୁବିଧା କେବେ ପାଇବେ, ଏଭଳି ପ୍ରଶ୍ନ ବାରମ୍ବାର ଉଠୁଛି । ତେବେ ଦେଖିବାକୁ ବାକି ରହିଲା ମୋହନା ଅଞ୍ଚଳବାସୀଙ୍କୁ ଏ ସୁବିଧା କେବେ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.