ପଦ୍ମପୁରରେ ଆଜି ବି ରେଡ୍‌ ଚଳାଇଛି ଆୟକର ବିଭାଗ, ଚଢ଼ାଉକୁ ନେଇ ବିଜେଡି-ବିଜେପି ଛକାପଞ୍ଝା

ପଦ୍ମପୁର(କେନ୍ୟୁଜ୍): ଉପନିର୍ବାଚନକୁ ନେଇ ପଦ୍ମପୁର ପଡୁଛି ଉଠୁଛି । ମତଦାନ ତାରିଖ ପାଖେଇବା ସହ ରାଜନୀତି ତାତି ବଢ଼ିବାରେ ଲାଗିଛି । ବିଜେଡି ଓ ବିଜେପି ଭିତରେ ରାଜନୈତିକ ତିକ୍ତତା ବଢୁଥିବା ବେଳେ ପଦ୍ମପୁରରେ ଆୟକର ଓ ଜିଏସଟି ବିଭାଗର ଚଢ଼ାଉ ରାଜନୈତିକ ବାତାରଣରକୁ ଅଧିକ ଉଷ୍ଣ କରିଛି । ଗତକାଲି ଓ ଆଜି ପଦ୍ମପୁରରେ ଆୟକର ବିଭାଗ ରେଡ୍‌ ଚଳାଇଛି ।

୩ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରେ ଗତକାଲି ପଞ୍ଝା ମାରିଥିଲା ଆୟକର ବିଭାଗ । ଆଜି ବି ସେମାନଙ୍କ ଘରେ ଚଢ଼ାଉ ଚାଲିଛି । ଯେଉଁମାନଙ୍କର ଘରେ ରେଡ୍‌ ହୋଇଛି ସେମାନଙ୍କର ବିଜେଡି ସହ ସମ୍ପର୍କ ଥିବା କୁହାଯାଉଛି । ସେହିପରି ଗତକାଲି ସନ୍ଧ୍ୟାରେ ପଦ୍ମପୁରରେ ପଶିଥିଲା ଜିଏସଟି ବିଭାଗ । ୮ଟି ସ୍ଥାନରେ ଜିଏସଟି ଫାଙ୍କିବା ଅଭିଯୋଗରେ ଚଢ଼ାଉ ହୋଇଥିଲା ।

ପଦ୍ମପୁରରେ ଏକ ପେଟ୍ରୋଲ ପମ୍ପ, ଲୁଗା ଦୋକାନ ଓ ପାଇକମାଳ, ଝାରବନ୍ଧରେ ବ୍ୟବସାୟିକ ଅନୁଷ୍ଠାନରେ ହୋଇଥିଲା ରେଡ୍‌ । ଜିଏସଟି ରେଡ୍‌ ହୋଇଥିବା ବ୍ୟବସାୟିକ ପ୍ରତିଷ୍ଠାନ ମାଲିକଙ୍କର ବିଜେପି ସହ ଲିଙ୍କ ଥିଲା ଚର୍ଚ୍ଚା ହେଉଛି । ପଦ୍ମପୁରରେ ପ୍ରଚାର ଲଢ଼େଇ ଭିତରେ ରେଡ୍‌ ରାଜନୀତି ଉପନିର୍ବାଚନ ରାଜନୀତିକୁ ନୂଆ ମୋଡ଼ ଦେଇଛି । ବିଜେଡି-ବିଜେପି ଭିତରେ ଆରମ୍ଭ ହୋଇଛି ଛକାପଞ୍ଝା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.