ପୁଅ ମୋଟର ସାଇକେଲ ନଦେବାରୁ ମା’କୁ ଠେଲି ଦେଲା ପଡ଼ୋଶୀ, ମୁଣ୍ଡ ଫାଟି ଯିବାରୁ ମା’ ମୃତ
ପୁଅ ମୋଟର ସାଇକେଲ ନଦେବାରୁ ମାଆକୁ ଠେଲି ମାରିଦେଲା ପଡ଼ୋଶୀ। ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସୋରିଷଦା ଗାଁରେ।
ଆଳି : ପୁଅ ମୋଟର ସାଇକେଲ ନଦେବାରୁ ମାଆକୁ ଠେଲି ମାରିଦେଲା ପଡ଼ୋଶୀ। ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସୋରିଷଦା ଗାଁରେ। ମିଳିଥିବା ଅଭିଯୋଗ ଅନୁଯାୟୀ, ଗତକାଲି ଅପରାହ୍ନରେ ସୋରିଷଦା ଗାଁର ବେଣୁଧର ଶର୍ମାଙ୍କ ପୁଅ ତାପସ ଶର୍ମାଙ୍କୁ ପଡ଼ୋଶୀ ସୁଧୀର ଶର୍ମା ମୋଟର ସାଇକେଲ ମାଗିଥିଲେ।
ହେଲେ ତାପସ ତାଙ୍କ ଗାଡ଼ି ନଦେବାରୁ ସୁଧୀର ଘର ପାଖରେ ପହଁଚି ଗାଳିଗୁଲଜ କରିବା ସହ ତାପସଙ୍କ ହାତକୁ ଧରି ଘର ବହାରକୁ ଘୋଷାଡ଼ି ଆଣିଥିଲେ। ଏହା ଦେଖି ତାପସଙ୍କ ମା’ ସଂଧ୍ୟାରାଣୀ ପ୍ରତିବାଦ କରିବାରୁ ସୁଧୀର ଜୋରସେ ଠେଲି ଦେଇଥିଲେ ।
ଫଳରେ ସଂଧ୍ୟାରାଣୀ ପାଖରେ ଥିବା ଏକ ନଡ଼ିଆ ଗଛରେ ପିଟିହୋଇ ପକ୍କା ରାସ୍ତାରେ ପଡିଯାଇଥିଲେ। ଫଳରେ ସଂଧ୍ୟାରାଣୀଙ୍କ ମୁଣ୍ଡ ଫାଟିଯିବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ପଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।
ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସଂଧ୍ୟାରାଣୀଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ହତ୍ୟାମାମଲା ରୁଜୁ କରିବା ସହ ଅଭିଯୁକ୍ତ ସୁଧୀରକୁ ଗିରଫ କରିଛି। ଏନେଇ ପୋଲିସର ପତିକ୍ରିୟା ମିଳିପାରିନାହିଁ।