ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଗାଁ ସ୍କୁଲ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍. ବାଲକ୍ରିଷ୍ନନ୍

ଏଥର ଚମକିବ ବିଦ୍ୟାଳୟ। ସୃଷ୍ଟି ହେବ ଉନ୍ନତ ଶୈକ୍ଷିକ ବାତାବରଣ। ଏଣିକି ବିଦ୍ୟାଳୟର ଶ୍ରେଣୀ ଗୃହ ହେଉ କି ବିଜ୍ଞାନାଗାର, ସ୍କୁଲ ପାଚେରୀ ହେଉକି ଖେଳପଡିଆ।ଆଉ କୌଣସି ଥିରେ ଅସୁବିଧା ରହିବ ନାହିଁ। ସବୁ ସମସ୍ୟାର ସମାଧାନ ହେବ। ସ୍କୁଲର ଶିକ୍ଷକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ଗ୍ରାମବାସୀ ବେଶ୍ ଖୁସି।

୧୯୯୨ ମସିହାରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଘୁମୁସର ନୂଆଗାଁଠାରେ ପ୍ରତିଷ୍ଠା ହୋଇଥିବା ଡାଃ ସଦାନନ୍ଦ ତ୍ରିପାଠୀ ବିଦ୍ୟାପୀଠକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍. ବାଲକ୍ରିଷ୍ନନ୍ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି। ଏ ନେଇ ସୂଚନା ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏହି ବିଦ୍ୟାଳୟ ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୈତୃକଗାଁର। ଏ ବିଷୟରେ ନିଜେ ଆର୍. ବାଲକ୍ରିଷ୍ନନ୍ ଫୋନ୍ ଯୋଗେ କଥା ହୋଇଥିବା ନେଇ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି।

ଏବେ ସ୍କୁଲରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ହେଉଛି। ଚଳିତବର୍ଷ ୮୭ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ସ୍କୁଲରେ ୮ ଜଣ ଶିକ୍ଷକ ଓ ଦୁଇ ଜଣ ଅଣଶିକ୍ଷକ ଥିବା ବେଳେ ୩ଟି ଶ୍ରେଣୀଗୃହ ରହିଛି। ବିଦ୍ୟାଳୟରେ କୋଠରୀ ସହ ବିଜ୍ଞାନାଗାର, ପାଠାଗାର, ଖେଳପଡିଆ ଓ ପାଚେରୀ ଭଳି ସମସ୍ୟା ରହିଛି। ଏତେ ସବୁ ସମସ୍ୟା ଥିଲେ ମଧ୍ୟ ସ୍କୁଲରେ ଭଲ ପାଠପଢା ସାଙ୍ଗକୁ ପରିବେଶ ସୁରକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଦ୍ୟାଳୟକୁ “ପ୍ରକୃତିମିତ୍ର” ପୁରସ୍କାର ମିଳିଛି। ଏବେ ପୋଷ୍ୟ ବିଦ୍ୟାଳୟ ହେବା ପରେ ଗୁଣାତ୍ମକ ଶିକ୍ଷା ଓ ବିଭିନ୍ନ ପାରଦର୍ଶିତା କାର୍ଯ୍ୟର ଆହୁରି ବିକାଶ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.