ରାଇରଙ୍ଗପୁର : ପ୍ରଶାସନ ଉପରୁ ତୁଟିଲା ଭରସା, ନିଜ ପାଇଁ ନିଜେ ବ୍ରିଜ ନିର୍ମାଣ କରି ଉଦାହରଣ ପାଲଟିଲେ ଗ୍ରାମବାସୀ

ରାଇରଙ୍ଗପୁର: ସରକାର ଖଣି ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଆଜି ବି ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରାଜ୍ୟକୁ ମୋଟା ଅଙ୍କର ରାଜସ୍ୱ ଦେଉଥିବା ଅଞ୍ଚଳ। ବାରମ୍ବାର ପ୍ରଶାସନକୁ ଗୁହାରୀ କରି ବିଫଳ ହେବାପରେ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଉପରେ ଭରସା ଓ ବିଶ୍ବାସ ନକରି ନିଜ ପାଇଁ ନିଜେ ବ୍ରିଜ ନିର୍ମାଣ କରି ଉଦାହରଣ ପାଲଟିଛନ୍ତି ମୟୂରଭଞ୍ଜ ଜିଲ୍ଲା ସୁଲେଇପାଟ ଲୌହ ଖଣି ଅଞ୍ଚଳର ବାଲିକଠା ଓ ମୁରୁମଡ଼ିହି ଗ୍ରାମର ଲୋକେ ।

bridge 1ମୟୂରଭଞ୍ଜ ଜିଲ୍ଲାର ଲୌହଖଣି ଅଞ୍ଚଳ ସୁଲେଇପାଟ। ସୁଲେଇପାଟ ଅଞ୍ଚଳଟି କୁସୁମୀ ବ୍ଲକର ମୟୁରଦର ପଞ୍ଚାୟତ ଅଧିନସ୍ଥ ହୋଇଥିଲେ ମଧ୍ୟ ବିଜାତଳା ବ୍ଲକର ୭ଟି ଗ୍ରାମର ଲୋକେ ଏହି ଅଞ୍ଚଳ ଉପରେ ନିର୍ଭରଶୀଳ। ସକାଳ ପାହିଲେ ମେଡିକାଲ କାମ , ମାଇନ୍ସ ଡ୍ୟୁଟି ,ବ୍ୟାଙ୍କ କାର୍ଯ୍ୟ , ହାଟ ବଜାର ,ସ୍କୁଲ ଓ ଥାନା କାମ ପାଇଁ ଶହ ଶହ ଲୋକେ ସୁଲେଇପାଟକୁ ଆସିଥାନ୍ତି। କିନ୍ତୁ ଯିବାଆସିବା ପାଇଁ ଖଡଖାଇ ନଦୀ ପାରିହେବାକୁ ପଡିଥାଏ ।

ନଦୀ ଉପରେ ବ୍ରିଜଟିଏ ନଥିବାରୁ ଯିବାଆସିବା ପାଇଁ ଭୋଗିବାକୁ ପଡେ ଅନେକ ସମସ୍ୟା।  ବିପଦପୂର୍ଣ୍ଣ ଭାବେ ପ୍ରତିଦିନ ଛାତ୍ରଛାତ୍ରୀ ଓ ଜନସାଧାରଣ ଜୀବନକୁ ବାଜି ଲଗାଇ ନଦୀ ଆର ପଟକୁ ଯାଇଥାନ୍ତି। ବର୍ଷା ଦିନରେ ୬ ଫୁଟ ପାଣି ପ୍ରବାହିତ ହୋଇଥାଏ । ବ୍ରିଜ ନଥିବାରୁ ମାସ ମାସ ଧରି ଅନେକ ଗାଁର ସୁଲେଇପାଟ ଅଞ୍ଚଳ ସହ ଯୋଗାଯୋଗ ବିଛିନ୍ନ ହୋଇଯାଏ । ଆପାତକାଳୀନ ସମୟରେ ବୁଲାବାଟ ଡ୍ୟାମ ବ୍ରିଜ ଦେଇ ଯାତାୟାତ କରି ଅଧିକ ଖର୍ଚାନ୍ତ ହୋଇଥାନ୍ତି ଲୋକେ ।

riverବ୍ରିଜ ନିର୍ମାଣ ନେଇ ସରପଞ୍ଚଙ୍କ ଠାରୁ ବିଧାୟକ ଓ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରତିଶ୍ରୁତି ଛଡା ଆଉ କିଛି ମିଳିନଥିଲା। ଶେଷରେ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଉପରେ ଭରସା ଓ ବିଶ୍ବାସ ନକରି ନିଜେ କରିଛନ୍ତି ବ୍ରିଜ ନିର୍ମାଣ। ବାରମ୍ବାର ଗୁହାରୀ କରି ବିଫଳ ହେବା ପରେ ନଦୀ ପାର୍ଶବର୍ତୀ ଗ୍ରାମ ବାଲିକଠା ଓ ମୁରୁମଡ଼ିହି ଗ୍ରାମର ଲୋକେ ଚାନ୍ଦା ଆଦାୟ କରି ନିଜ ପାଇଁ ନିଜେ ବ୍ରିଜ ତିଆରି କଲେ । ଅଞ୍ଚଳର ଦୁଃଖ ପାଲଟିଥିବା ନଦୀ ଉପରେ ବ୍ରିଜ ନିର୍ମାଣ କରି ଉଦାହରଣ ସାଜିଛନ୍ତି ଏହି ଗ୍ରାମବାସୀ ।

ମାସ ମାସ ଧରି ଦାବି କରିବା ସତ୍ତ୍ୱେ ଯେଉଁ କାମ ପ୍ରଶାସନ କରିପାରିଲା ନାହିଁ, ସେହି କାମକୁ ଗ୍ରାମବାସୀ ଗୋଟିଏ ଦିନରେ କରି ଦେଖାଇଛନ୍ତି। ତେବେ ଏହା ଏକା ଅସ୍ଥାୟୀ ବ୍ରିଜ ହୋଇଥିବାରୁ ଏକ ସ୍ଥାୟୀ ବ୍ରିଜ ନିର୍ମାଣ କରବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.