ପାଣିରେ ନିଶା ମିଶାଇ ଫଳ ବ୍ୟବସାୟୀଙ୍କୁ କରୁଛନ୍ତି ଟାର୍ଗେଟ, ଗୋଟିଏ ସପ୍ତାହ ମଧ୍ୟରେ ହେଲାଣି ଚାରିରୁ ଅଧିକ ଲୁଟ୍‌

ରାତି ଅନ୍ଧକାର ଭିତରେ ନୁହେଁ, ଦିନ ଦ୍ଵିପହରରେ ଜନ ଗହଳିପୂର୍ଣ ଅଞ୍ଚଳରେ ପାଣିରେ ନିଶା ମିଶାଇ କରୁଛନ୍ତି ଲୁଟ୍‌ । ଆଉ ଆଶ୍ଚର୍ଯ୍ୟର କଥା ଲୁଟର ଶିକାର ସମସ୍ତ ବ୍ୟକ୍ତି ହେଉଛନ୍ତି ରାସ୍ତା କଡ ଫଳ ବ୍ୟବସାୟୀ ।

କଟକ (କେନ୍ୟୁଜ୍‌): ସାବଧାନ କଟକ ସହରରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ। ଗୋଟିଏ ସପ୍ତାହ ମଧ୍ୟରେ ଚାରିରୁ ଅଧିକ ଲୁଟ ହୋଇଛି । ରାତି ଅନ୍ଧକାର ଭିତରେ ନୁହେଁ, ଦିନ ଦ୍ଵିପହରରେ ଜନ ଗହଳିପୂର୍ଣ ଅଞ୍ଚଳରେ ପାଣିରେ ନିଶା ମିଶାଇ କରୁଛନ୍ତି ଲୁଟ୍‌ । ଆଉ ଆଶ୍ଚର୍ଯ୍ୟର କଥା ଲୁଟର ଶିକାର ସମସ୍ତ ବ୍ୟକ୍ତି ହେଉଛନ୍ତି ରାସ୍ତା କଡ ଫଳ ବ୍ୟବସାୟୀ । ଜଣେ ଫଳ ବ୍ୟବସାୟୀଙ୍କ ୨୪ ଘଣ୍ଟା ପରେ ମଧ୍ୟ ଚେତା ଫେରି ନଥିଲା । ଏ ଘଟଣା ଏବେ ବାଦାମବାଡ଼ି ଥାନା ପୋଲିସର ଚିନ୍ତା ବଢ଼ାଇ ଦେଇଛି । ଆଗେଇ ଚାଲିଛି ଗୋଟିଏ ପରେ ଗୋଟିଏ ସିସି ଟିଭି ଫୁଟେଜର ଯାଞ୍ଚ। କିନ୍ତୁ ଧରା ପଡୁ ନାହାନ୍ତି ଲୁଟେରା ।

ବଜ୍ରକବାଟିରୁ ବାଦାମବାଡି ଭିତରେ ଗତ ଏକ ସପ୍ତାହ ଭିତରେ ଚାରିଟି ଲୁଟ୍ ହେଲାଣି । ଗତ ୧୬ ତାରିଖ ଦିନ ଦୋଳମୁଣ୍ଡାଇ-ବାଦାମବାଡ଼ି ରାସ୍ତାରେ ଫଳ ବ୍ୟବସାୟ କରୁଥିବା ଗିରିଧାରୀ ବେହେରାଙ୍କୁ ନିଶାଦେଇ ତାଙ୍କ ଟଙ୍କା ବାକ୍ସରୁ ପାଖାପାଖି ୧୫ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଥିଲେ ଦୁବୃର୍ତ୍ତ। ଠିକ ତା ପରଦିନ ଅର୍ଥାତ ଫେବୃୟାରୀ ୧୭ ତାରିଖ ଦିନ ଦୋଳମୁଣ୍ଡାଇ ଇଲେକ୍ଟ୍ରି ଅଫିସ୍ ସାମ୍ନାରେ ଫଳ ବ୍ୟବସାୟ କରୁଥିବା ଜଗନ୍ନାଥ ସାହୁଙ୍କଠାରୁ ମଧ୍ୟ ଅନୁରୁପ ଉପାୟରେ ଲୁଟ୍ ହୋଇଥିଲା । ୧୮ ତାରିଖ ସନ୍ଧ୍ୟାରେ ଫଳ ବ୍ୟବସାୟୀ ବାବୁଲି ପ୍ରଧାନଙ୍କଠାରୁ ଲୁଟ୍ କରିବା ପରେ ଚମ୍ପଟ ମାରିଥିଲେ ଦୁବୃର୍ତ୍ତ । ୧୯ ତାରିଖ ସନ୍ଧ୍ୟା ୭ଟା ସମୟରେ ବଜ୍ରକବାଟି ବି.ଏସ୍.ଏନ୍.ଏଲ୍ ସମ୍ମୁଖରେ ଫଳ ବ୍ୟବସାୟ କରୁଥିବା ବୟସ୍କ ବ୍ୟକ୍ତି ଶ୍ରଦ୍ଧାନନ୍ଦ ମଧ୍ୟ ଏହି ଲୁଟର ଶିକାର ହୋଇଥିଲେ । ସମସ୍ତ ଲୁଟ ଏକା ଭଳି ଥିଲା। କାହାକୁ ଚାହାରେ ନିଶା ଦିଆଯାଇ ଥିଲା ତ କାହାକୁ ଥଣ୍ଡା ପାନୀୟରେ ନିଶା ଦିଆଯାଇଥିଲା । ଆଉ କାହାକୁ ସ୍ପ୍ରେ ବ୍ୟବହାର କରି ବେହୋସ କରିବାରେ ସଫଳ ହୋଇଥିଲେ ଲୁଟେରା ଗ୍ୟାଙ୍ଗ।

ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଲୁଟର ଶିକାର ଫଳ ବ୍ୟବସାୟୀ ବାବୁଲି ପ୍ରଧାନଙ୍କର ଚେତା ଫେରି ନାହିଁ । ସେ ଏବେ ଏସ ସି ବି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏଭଳି ଅଭିନବ ଲୁଟ୍ ଘଟଣା ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ଓ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି କାରଣ ଶ୍ରଦ୍ଧାନନ୍ଦଙ୍କୁ ନିଶା ସ୍ପ୍ରେ କରାଯାଇ ବେହୋସ କରାଯାଇ ଲୁଟ୍ କରାଯାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଘରେ ପଶି ଯଦି ଲୁଟେରା ମାନେ ଏହି ସ୍ପ୍ରେ’ର ବ୍ୟବହାର କରନ୍ତି ତେବେ ପରିସ୍ଥିତି କ’ଣ ହେବ ତାହା ଚିନ୍ତାର ବିଷୟ ପାଲଟିଛି । ଅନ୍ୟପଟେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ବାଦାମବାଡ଼ି ଥାନା ପୋଲିସ । ଗୋଟିଏ ପରେ ସିସି ଟିଭି ଯାଞ୍ଚ ହେଉଛି । ଲୁଟର ଶିକାର ବ୍ୟକ୍ତି ତଥା ଆଖପାଖ ଅଞ୍ଚଳରୁ ତଥ୍ୟ ସଂଗ୍ରହ କରୁଛି ପୋଲିସ। ସମସ୍ତ ଲୁଟେରା ଫଳ କିଣିବା ବାହାନାରେ ଆସି କଥାବାର୍ତ୍ତା ହେବା ପରେ ବ୍ୟବସାୟୀଙ୍କ ନିକଟତର ହେବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି । କୌଣସି ଅଜ୍ଞାତ ଲୋକଙ୍କଠାରୁ ଖାଦ୍ୟ ବା ପାନୀୟ ଗ୍ରହଣ କରିବା ଅନୁଚିତ ବୋଲି କମିଶନରେଟ ପୋଲିସ ତରଫରୁ ସୂଚନା ମିଳିଛି । ଲୁଟେରାଙ୍କୁ ଧରିବା ପାଇଁ ସମସ୍ତ ଉଦ୍ୟମ ଜାରି ରହିଥିବା ଅତିରିକ୍ତ ଡିସିପି କହିଛନ୍ତି ।

ନିଶା ଦେଇ ଲୁଟ କରିବାର କୌଶଳ ପୁରୁଣା, କିନ୍ତୁ ରାସ୍ତା କଡ଼ ଫଳ ବ୍ୟବସାୟୀମାନଙ୍କୁ ଏହି ଲୁଟେରା କାହିଁକି ଟାର୍ଗେଟ କଲେ ଆଉ ଜନ ଗହଳିପୂର୍ଣ ଅଞ୍ଚଳରେ ଲୁଟ୍‌ କରି କିପରି ସଫଳ ହେଲେ ତାହା ଏବେ ଏକ ବଡ଼ ପ୍ରଶ୍ନ ହୋଇଛି ।