ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ଓ ବଡ଼ବଡୁଆ ଡାକ ପାଇଁ ପ୍ରବଳ ଭିଡ଼, ମଙ୍ଗୁମଠ ଓ କାକୁଡ଼ିଖାଇ ଛକ ମଧ୍ୟରେ ୨ଟି ସ୍ଥାନରେ କାଉଁରିଆ ଜାଳିଛନ୍ତି ଶ୍ରଦ୍ଧାଳୁ

ପୁରୀ(କେନ୍ୟୁଜ୍): ଆଜି ଦୀପାବଳି ଅମାବାସ୍ୟା । ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ଓ ବଡ଼ବଡୁଆ ଡାକ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଆସନ୍ତାକାଲି ସୂର୍ଯ୍ୟୋପରାଗ ପଡୁଥିବାରୁ ଆଜି ପୟା ଶ୍ରାଦ୍ଧ ପାଳନ କରାଯାଉଛି । ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଉଛନ୍ତି ଶ୍ରଦ୍ଧାଳୁ । ମଙ୍ଗୁମଠ ଓ କାକୁଡ଼ିଖାଇ ଛକ ମଧ୍ୟରେ ୨ଟି ସ୍ଥାନରେ କାଉଁରିଆ ଜାଳିଛନ୍ତି ଶ୍ରଦ୍ଧାଳୁ । ମର୍ତ୍ତ୍ୟମଣ୍ଡଳକୁ ଆସିଥିବା ପିତୃପୁରୁଷମାନେ ଆଜି ସ୍ୱର୍ଗଲୋକକୁ ବିଦାୟ ନେଉଥିବାରୁ ଶ୍ରୀକ୍ଷେତ୍ରରେ ପିଣ୍ଡଦାନ ସହ କାଉଁରିଆ କାଠି ଜାଳିବାର ପରମ୍ପରା ରହିଛି ।

ସୂଚନା ଥାଉକି, ଶ୍ରୀମନ୍ଦିରରେ ସୂର୍ଯ୍ୟୋପରାଗ ନୀତି ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଏହି ସ୍ୱତନ୍ତ୍ର ନୀତି ମୁତାବକ ଆଜି ରାତି ଶେଷ ପ୍ରହର ଅର୍ଥାତ୍‌ ୨୫ ତାରିଖ ଭୋର ୪ଟା ୫୭ ମିନିଟରୁ ପାକ ତ୍ୟାଗ, ଦେବ ନୀତି ନିଷେଧ ହେବ। ପରାଗ ସ୍ପର୍ଶ ବିଧି ୨୫ ତାରିଖ ମଙ୍ଗଳବାର ଅପରାହ୍ନ ୪ଟା ୫୬ ମିନିଟ୍‌ରେ ଶେଷ ହେବ। ସେଦିନ ସନ୍ଧ୍ୟା ୬ଟା ୨୬ମିନିଟ୍‌ ୫୨ ସେକେଣ୍ଡରେ ପରାଗ ସର୍ବମୋକ୍ଷ ହେବ। ତାପରେ ପରାଗ ମହାସ୍ନାନ ହୋଇ ପରାଗ ନୀତି ସମ୍ପାଦନ ହେବ।

ସୂର୍ଯୋପରାଗ ପାଇଁ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁଯାୟୀ ସୋମବାର ରାତି ୧୨ଟା ୧୦ ମିନିଟରେ ଦ୍ୱାର ଫିଟା ପରେ ଭିତର ଶୋଧ, ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ ,ରୋଷହୋମ ସରିବ। ଦିନ ୨ଟା ସୁଦ୍ଧା ମହାପ୍ରଭୁଙ୍କ ରାଧାଦାମୋଦର ବେଶ କରାଯିବ। ଏହାପରେ ଗୋପାଳବଲ୍ଲଭ, ସକାଳ ଧୂପ, ବାଳଭୋଗ ସହ ଭୋଗ ମଣ୍ଡପ ଉଠିବ। ବାଳଧୂପ ଶେଷ ହୋଇ ଅମାବାସ୍ୟା ଦିଅଁ ସାଗର ବିଜେ କରିବେ। ସୂର୍ଯୋପରାଗ ପାଇଁ ମନ୍ଦିରରେ ଦର୍ଶନ ବନ୍ଦ ରହିବ ନାହିଁ। ଭକ୍ତମାନେ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.