ଆଜି ପବିତ୍ର ମହାଳୟା: ପିଣ୍ଡଦାନ ପାଇଁ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶକୁ ବାରଣ, ବିନ୍ଦୁସାଗରରେ ବି ସମାନ ବ୍ଯବସ୍ଥା

ପୁରୀ(କେନ୍ଯୁଜ୍): ଆଜି ପବିତ୍ର ମହାଳୟା । ପିତୃ ପୁରୁଷଙ୍କୁ ଦିଆଯାଉଛି ପିଣ୍ଡଦାନ । ପିତୃପକ୍ଷର ଶେଷ ଦିନରେ ପିତୃ ପୁରୁଷଙ୍କ ଅମର ଆତ୍ମାର ସଦଗତି କାମନା କରି ପୁଷ୍କରୀଣୀ ତଥା ମହୋଦଧିରେ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ଆଜି ହେଉଛି ଶେଷ ଦିନ । ତେଣୁ ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ହୋଇଛି ।
ତେବେ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ମଧ୍ୟକୁ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି । ଫଳରେ ମନ୍ଦିର ବାହାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ଲୋକେ ।
ସେହିପରି ବିନ୍ଦୁସାଗରରେ ‘ମହାଳୟା’ ମନା। ଭୁବନେଶ୍ୱର ବିନ୍ଦୁସାଗରରେ ‘ମହାଳୟା’ ଶ୍ରାଦ୍ଧ ପାଇଁ ବାରଣ କରାଯାଇଛି। କୋଭିଡକୁ ଦୃଷ୍ଟିରେ ରଖି BMC ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବ୍ରାହ୍ମଣ ଭୋଜନ ଉପରେ ମଧ୍ୟ କଟକଣା ଲଗାଇଛି ଭୁବନେଶ୍ୱର ମହାନଗର ନିଗମ। ସମ୍ପୃକ୍ତ ଅଞ୍ଚଳରେ ଗହଳି ନ କରିବାକୁ ଜନସାଧାରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହାଳୟା ଆସିଲେ ପିତୃ ପୁରୁଷଙ୍କୁ ଶ୍ରାଦ୍ଦ ଦେବା ପାଇଁ ପ୍ରତିବର୍ଷ ବିନ୍ଦୁ ସାଗର କୂଳରେ ଅନେକ ଲୋକଙ୍କ ଭିଡ ଜମିଥାଏ।