ଆଜି ପଞ୍ଚୁକର ଦ୍ବିତୀୟ ଦିନ: ଶ୍ରୀମନ୍ଦିରରେ ବାଙ୍କଚୁଡ଼ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ(କେନ୍ୟୁଜ୍): ଆଜି କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥି ତଥା ପଞ୍ଚୁକର ଦ୍ବିତୀୟ ଦିନ। ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁ ଅତ୍ୟନ୍ତ ଚିତାକର୍ଷକ ବାଙ୍କଚୁଡ଼ ବେଶ ଅନୁଷ୍ଠିତ ହୋଇଛି । ଯେତେବେଳେ ଅକ୍ରୁର ଗୋପପୁରକୁ ଯାଇଥିଲେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ, ସେହି ସମୟରେ ବ୍ରଜ ଦାଣ୍ଡରେ ଏହି ରୂପରେ ଅକ୍ରୁର ଦର୍ଶନ କରିଥିଲେ। ସେହି ସ୍ମୃତିରେ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଅଛି ।

ଏହି ବେଶରେ ଠାକୁର ମାନେ ସୁନାର ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଚୁଡା ମଧ୍ୟ ଧାରଣ କରିଥାନ୍ତି। ମସ୍ତକରେ ଏହି ଚୁଡା ବା ଚୁଳ ଦକ୍ଷିଣ ଦିଗକୁ ଢଳି ରହିଥାଏ। ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କଚୁଡ଼ ବେଶ କୁହାଯାଏ । ମହାପ୍ରଭୁଙ୍କ ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହୋଇଛି ।

ତେବେ ଆଜିର ତିଥିରେ ମହାପ୍ରଭୁଙ୍କ ଏହି ଚିତାକର୍ଷକ ବେଶ ଯିଏ ଦର୍ଶନ କରିଥାନ୍ତି ତାଙ୍କୁ ଅପାର ଆନନ୍ଦ ଲାଭ ସହ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତିମିଳେ ବୋଲି ବିଶ୍ୱାସ ରହିଛି। ଆସନ୍ତାକାଲି ମହାପ୍ରଭୁଙ୍କ ତିବିକ୍ରମ ବେଶ ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.