ଟୋଲ୍ ଗେଟ୍ କର୍ମଚାରୀଙ୍କ ଔଦ୍ଧତ୍ୟ: ଛତିଶଗଡ଼ର ପର୍ଯ୍ୟଟକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ, ୪ ଜଣଙ୍କୁ ଗିରଫ କଲା ଆଠଗଡ଼ ପୋଲିସ
ମହିଳା, ପୁରୁଷ, ପିଲା କି ବୁଢ଼ା କାହାକୁ ବି ଛାଡିଲେନି । କାହା ମୁଣ୍ଡ ଫଟାଇଲେ ତ କାହାର ହାତ ଭାଙ୍ଗିଲେ । ଗତକାଲି ମୁଣ୍ଡୁଳି ଟୋଲ୍ ଗେଟ୍ ନିକଟରେ ଏମିତି ଅମାନୁଷିକ ଭାବରେ ଆକ୍ରମଣ କରିଥିଲେ ଟୋଲ୍ ଗେଟ୍ କର୍ମଚାରୀ
ଆଠଗଡ଼(କେନ୍ୟୁଜ୍):ଅତିଥିଙ୍କୁ ଏମିତି ଆତିଥ୍ୟ । ପର୍ଯ୍ୟଟକଙ୍କୁ ନିସ୍ତୁକ ମାଡ଼ । ଟୋଲ୍ ଗେଟ୍ କର୍ମଚାରୀଙ୍କ ଔଦ୍ଧତ୍ୟ । ଗୋଡ଼େଇ ଗୋଡ଼େଇ ପିଟିଲେ । ଠେଙ୍ଗା ଓ ପାଇପ୍ରେ ମାଡ଼ ମାରି ଲହୁଲୁହାଣ କଲେ । ମହିଳା, ପୁରୁଷ, ପିଲା କି ବୁଢ଼ା କାହାକୁ ବି ଛାଡିଲେନି । କାହା ମୁଣ୍ଡ ଫଟାଇଲେ ତ କାହାର ହାତ ଭାଙ୍ଗିଲେ । ଗତକାଲି ମୁଣ୍ଡୁଳି ଟୋଲ୍ ଗେଟ୍ ନିକଟରେ ଏମିତି ଅମାନୁଷିକ ଭାବରେ ଆକ୍ରମଣ କରିଥିଲେ ଟୋଲ୍ ଗେଟ୍ କର୍ମଚାରୀ । ଟଙ୍କା ଆଦାୟକୁ ନେଇ ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଭାଙ୍ଗିଥିଲେ ବସ୍ କାଚ । ଆକ୍ରମଣରେ ଆହତ ହୋଇଥିଲେ ୧୦ରୁ ଅଧିକ ପର୍ଯ୍ୟଟକ । ଏମିତି କିଛି ସମୟ ତୁମୁଳକାଣ୍ଡ ଘଟାଇଥିଲେ ଟୋଲ୍ ଗେଟ୍ କର୍ମଚାରୀ ।
ଆକ୍ରମଣର ଭିଡିଓ ସାମନାକୁ ଆସିବା ପରେ ଆକ୍ସନ ମୁଡକୁ ଆସିଛି ପୋଲିସ ପ୍ରଶାସନ । ବନ୍ଦ ହୋଇଛି ମୁଣ୍ଡୁଳି ଟୋଲ୍ ଗେଟ୍ । ପରବର୍ତ୍ତୀ ଆଦେଶ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଆଠଗଡ଼ ପ୍ରଶାସନ । ଓଡ଼ିଶା ବ୍ରିଜ୍ ଏଣ୍ଡ କନଷ୍ଟ୍ରକସନ୍ କର୍ପୋରେସନ୍ ବା ଓବିସିସି ସହ ଆଲୋଚନା ପରେ ଟୋଲ୍ ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଠଗଡ଼ ଉପଜିଲ୍ଲାପାଳ କହିଛନ୍ତି । ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଆଠଗଡ଼ ପୋଲିସ । ଏଥିରେ ୧୫ରୁ ଅଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ଜାଣିବାକୁ ପାଇଛି ପୋଲିସ । ଛତିଶଗଡ଼ର ୭୦ରୁ ଅଧିକ ମହିଳା, ପୁରୁଷ ଓ ଛୋଟ ପିଲା ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ଫେରୁଥିଲେ । ଟୋଲ୍ ଗେଟ୍ କର୍ମଚାରୀଙ୍କ ଏଭଳି ଅମାନୁଷିକ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରାଯାଉଛି । ଏନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।
ଟୋଲ୍ ଗେଟ୍ କର୍ମଚାରୀଙ୍କ ଔଦ୍ଧତ୍ୟ । ଛତିଶଗଡ଼ର ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ । କଟକ ଜିଲ୍ଲା ମୁଣ୍ଡୁଳି ଟୋଲ୍ ଗେଟ୍ରେ ଗତକାଲି କିଛି ପର୍ଯ୍ୟଟକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଟୋଲ୍ କର୍ମଚାରୀ । ଏହି ଘଟଣା ପରେ ଟୋଲ୍ ଗେଟ୍କୁ ବନ୍ଦ କରାଯାଇଛି । ୪ ଜଣ ଆକ୍ରମଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆଠଗଡ଼ ପୋଲିସ। ଆଉ କିଛି ଲୋକଙ୍କର ସଂପୃକ୍ତି ବି ରହିଛି । ପର୍ଯ୍ୟଟକଙ୍କୁ ମାଡ଼ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି ।