UPSC ଫଳାଫଳକୁ ନେଇ ଲଢ଼େଇ! ୧୮୪ ରାଙ୍କ୍‌ ପାଇଥିବା ଅସଲି ଆୟେଶା କିଏ?

ୟୁପିଏସ୍‌ସି ରେଜଲ୍ଟରେ ୧୮୪ ରାଙ୍କ୍‌ ଆୟେଶାଙ୍କୁ ମିଳିଛି। ଏବେ ଦୁଇଜଣ ଝିଅ ଦାବି କରିଛନ୍ତି ଯେ ଏହା ତାଙ୍କର ରେଜଲ୍ଟ। ବର୍ତ୍ତମାନ ଉଭୟଙ୍କ ଘରେ କିନ୍ତୁ ଖୁସିର ମାହୋଲ ରହିଛି।

ସଂଘ ଲୋକସେବା ଆୟୋଗ (UPSC) ଦ୍ୱାରା ୨୦୨୨ର ସିଭିଲ୍‌ ସର୍ଭିସେଜ୍‌ ପରୀକ୍ଷା (CSE) ଫଳାଫଳ ଘୋଷଣା କରି ଦିଆଯାଇଛି। ଏହି କଠିନ ପରୀକ୍ଷାରେ ମୋଟ ୯୩୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଫଳ ବାହାରିବା ପରେ ସଫଳ ହୋଇଥିବା ଅନେକ ଛାତ୍ରଛାତ୍ରୀଙ୍କ ଘରେ ଖୁସିର ଲହରୀ ଦେଖିବାକୁ ମିଳିଛି।

ହେଲେ ଏହାରି ଭିତରେ ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ରୋଲ୍‌ ନମ୍ବରରେ ଦୁଇ ଦୁଇଜଣ ଛାତ୍ରୀ ନିଜ ନିଜର ଦାବି ରଖିଛନ୍ତି। ୟୁପିଏସ୍‌ସି ରେଜଲ୍ଟରେ ୧୮୪ ରାଙ୍କ୍‌ ଆୟେଶାଙ୍କୁ ମିଳିଛି। ଏବେ ଦୁଇଜଣ ଛାତ୍ରୀ ଦାବି କରିଛନ୍ତି ଯେ ଏହା ତାଙ୍କର ରେଜଲ୍ଟ। ବର୍ତ୍ତମାନ କିନ୍ତୁ ଉଭୟଙ୍କ ଘରେ ଖୁସିର ମାହୋଲ ରହିଛି।

ଆୟେଶା ନାମ୍ନୀ ଦୁଇ ଝିଅ ୧୮୪ତମ ରାଙ୍କ୍‌ ନିଜର ବୋଲି ଦାବି କରିଛନ୍ତି। କହି ରଖୁଛୁ ଯେ ପ୍ରଥମ ଝିଅ ଆୟେଶା ଫାତିମା ହେଉଛନ୍ତି ଦେବାସ୍‌ର ନିବାସୀ। ସେହିପରି ଦ୍ୱିତୀୟ ଝିଅ ଆୟେଶା ମକରାନୀ ହେଲେ ଅଲିରାଜପୁରର ନିବାସୀ। ଦ୍ୱନ୍ଦ୍ୱ ଉପୁଜିବାରୁ ଉଭୟଙ୍କ ଆଡ୍‌ମିଟ କାର୍ଡ ଯାଞ୍ଚ କରାଯାଇଥିଲା, ଯେଉଁଥିରେ ଆୟେଶା ମକରାନୀଙ୍କ ଆଡ୍‌ମିଟ କାର୍ଡରେ ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା। ଏଥିରେ ଆୟୋଗର ଓ୍ଵାଟର ମାର୍କ ନ ଥିବାବେଳେ କ୍ୟୁଆର୍‌ କୋର୍ଡ ମଧ୍ୟ ଗାଏବ ରହିଛି।

ସେପଟେ ଆୟେଶା ଫାତିମାଙ୍କ ଆଡ୍‌ମିଟ କାର୍ଡରେ ଓ୍ଵାଟର ମାର୍କ ଏବଂ କ୍ୟୁଆର୍‌ କୋର୍ଡ ଉଭୟ ରହିଛି। କ୍ୟୁଆର୍‌ କୋଡ୍‌ ସ୍କାନ୍‌ କଲେ ଆୟେଶା ଫାତିମାଙ୍କର ସମ୍ପୂର୍ଣ୍ଣ ବିବରଣୀ ସାମ୍ନାକୁ ଆସିଯାଉଛି। ଏଭଳି ସ୍ଥିତିରେ ଉଭୟଙ୍କ ଘରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଏପଟେ କିନ୍ତୁ ଆୟେଶା ମକରାନୀ ତାଙ୍କ ସହିତ ଠକେଇ ହେବା କଥା କହିଛନ୍ତି। ବର୍ତ୍ତମାନ ଏହି ମାମଲାର ଯାଞ୍ଚ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.