ରାସ୍ତା ଉପରେ ସ୍କୁଟି, ସ୍କୁଟି ଉପରେ ଯୁବକ ଆଉ ଯୁବକଙ୍କ ଉପରେ ବିଶାଳକାୟ ଗଛ, ସଂଘର୍ଷ ପରେ ଶେଷରେ ଚାଲିଗଲା ଜୀବନ

ବାରିପଦା (କେନ୍ୟୁଜ) : ଦୁର୍ଘଟଣା କେତେବେଳେ ଯେ କାହାକୁ ଜଗି ବସିଥାଏ ସେକଥା କେହି ଜାଣନ୍ତିନି। ଭଲ ଖୁସିରେ ଯାଉଥିବା ଲୋକଟିର ହଠାତ୍‌ ଏମିତି କିଛି ସ୍ଥିତି ହୋଇଯାଏ ଯେ ସାଧାରଣ ପରିସ୍ଥିତି ପାଲଟିଯାଏ ଦୁଃଖରେ। ଏ ଚିତ୍ର ଦେଖିଲେ ଆପଣଙ୍କ ଛାତି ଏକଦମ୍‌ ବିଚଳିତ ହୋଇଯିବ ଆଉ ମନ ଏକଦମ୍‌ ବ୍ୟଥିତ ହୋଇଯିବ। ଆଉ ପାଟିରୁ ବାହାରିପଡିବ ହେ ଭଗବାନ…. ସ୍କୁଟି ଉପରେ ଯୁବକ ଆଉ ଯୁବକଙ୍କ ଉପରେ ବିଶାଳକାୟ ଗଛ। ଏ ସ୍ଥିତିକୁ ଯିଏ ଦେଖୁଥିଲା ମନ ଏକଦମ ବିଚଳିତ ହୋଇଯାଉଥିଲା। ଆଉ ସମସ୍ତଙ୍କ ପାଟିରୁ ଗୋଟିଏ କଥା ଆସୁଥିଲା ହେ ଭଗବାନ ଏ ଯୁବକ ଜଣଙ୍କୁ ଗଛ ତଳୁ ବାହାର କରିଦିଅ ତାର ଜୀବନ ବଞ୍ଚାଇଦିଅ। କିନ୍ତୁ ବୋଧହୁଏ ରାସ୍ତା ପାଖରେ ଥିବା ଏହି ଗଛରେ ଜଗି ବସିଥିଲା ମୃତ୍ୟୁ ରୂପୀ ରାକ୍ଷସ।

ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ଜନ ଗହଳି ପୂର୍ଣ୍ଣ ଅଞ୍ଚଳରେ ଥିବା ବିଜୁ ପଟ୍ଟନାୟକ ପାର୍କ ନିକଟରେ ଶୁକ୍ରବାର ଅପରାହ୍ନ ୫ ଟାବେଳେ ଦେଖିବାକୁ ମିଳିଥିଲା ଏ ଛାତି ଥରା ଦୃଶ୍ୟ। ଗଛ ତଳେ ସ୍କୁଟି ସହ ଚାପି ହୋଇ ରହିଥିଲେ ଅଗ୍ନୀଶମ କର୍ମଚାରୀ ବ୍ରଜକିଶୋର ମହାନ୍ତି। ବାରିପଦା କାର୍ଯ୍ୟାଳୟରୁ ଅଫିସ କାମରେ ଡାକ ନେଇ ବାହାରି ଯାଉଥିବା ବେଳେ ଘଟିଗଲା ଏକ ବଡ ଅଘଟଣ।

ନିଜ ସ୍କୁଟିରେ ଯାଉଥିବାବେଳେ ବିଜୁ ପଟ୍ଟନାୟକ ପାର୍କ ନିକଟରେ ହଠାତ୍‌ ଏକ ବିରାଟକାୟ ଗଛ ଭାଙ୍ଗି ପଡିଲା ବ୍ରଜକିଶୋରଙ୍କ ଉପରେ। ଆଉ ଗଛ ତଳେ ସ୍କୁଟି ସହ ଚାପି ହୋଇରହିଗଲେ ସେ। ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରିବାକୁ ପହଁଚିଗଲେ, ହେଲେ ଗଛରେ ଥିବା ମହୁଫେଣା ଭାଙ୍ଗି ଯିବାରୁ ମହୁମାଛି ଆକ୍ରମଣ କରିଥିଲେ ଯାହା ଫଳରେ କେହି ବି ସହଜରେ ପହଁଚିପାରିଲେନି ବ୍ରଜକିଶୋରଙ୍କ ନିକଟକୁ। ଗଛ ତଳେ ଚାପି ରହିଥିବା ବ୍ରଜକିଶୋର ବି ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଥିଲେ।

ବ୍ରଜକିଶୋରଙ୍କ ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଖବର ଦେଇଥିଲେ ଅଗ୍ନୀଶମ ବିଭାଗ ଏବଂ ଆମ୍ବୁଲାନ୍ସକୁ। ଯିଏ କୌଣସି ବି ବିପର୍ଯ୍ୟୟରୁ ଅନ୍ୟକୁ ଉଦ୍ଧାର କରିବାକୁ ଆଗେଇ ଆସୁଥିଲେ ଆଜି ତାଙ୍କୁ ଉଦ୍ଧାର କରିବାକୁ ପଡିଲା ସଂଘର୍ଷ। ଗୋଟିଏ ପଟେ ଅଗ୍ନିଶମ ବିଭାଗର ଚେଷ୍ଟା ଚାଲିଥିଲା ତାଙ୍କୁ ଗଛ ତଳୁ ବାହାରକୁ ଆଣିବା ପାଇଁ ଅନ୍ୟପଟେ ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇଛିଡା ହୋଇଥିଲା ବ୍ରଜକିଶୋରଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ। କିନ୍ତୁ ସ୍କୁଟି ଉପରେ ବ୍ରଜ କିଶୋର, ଆଉ ତାଙ୍କ ଉପରେ ପଡିରହିଥିବା ବିଶାଳକାୟ ଗଛକୁ କାଟି ବାହାର କରିବା ଥିଲା ବହୁ କାଠିକର ପାଠ।

କିନ୍ତୁ ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଗଛକୁ କାଟି ବ୍ରଜ କିଶୋରଙ୍କୁ ତୁରନ୍ତ ବାରିପଦା ପଣ୍ଡିତ୍‌ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ନେଇଗଲେ। ସଙ୍ଗେ ସଙ୍ଗେ ଆରମ୍ଭ ହୋଇଗଲା ଚିକିତ୍ସା। ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ କଟକ ବଡ ଡାକ୍ତରଖାନାରେ ପହଁଚିବା ପୂର୍ବରୁ ବାଲେଶ୍ୱର ପହଁଚିବା ପୂର୍ବରୁ ହିଁ ଆଖି ବୁଜିଦେଲେ ବ୍ରଜକିଶୋର। ତାଙ୍କର ଏପରି ଅକସ୍ମାତ୍‌ ବିୟୋଗରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ଶୋକ ସନ୍ତପ୍ତ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ରାଶି ଦେବା ସହିତ ୫୦ ହଜାର ଟଙ୍କା ଶୁଦ୍ଧିକ୍ରିୟା ପାଇଁ ଦେଇଛି ଅଗ୍ନିଶମ ବିଭାଗ।

ତେବେ ଅଘଟଣ କେତେବେଳେ, କେମିତି କେଉଁଠି ଆଉ କାହା ସହିତ ଘଟିବ ତାହା କେହି ହେଲେ ବି ଜାଣିନାହାଁନ୍ତି। କିନ୍ତୁ ଆପଣ ସବୁବେଳେ ସତର୍କ ରୁହନ୍ତୁ। ବର୍ଷା କିମ୍ବା ପବନ ହେଉଥିଲେ ରାସ୍ତାରେ ଗାଡି ନେଇ ଯାଆନ୍ତୁ ନାହିଁ କି ରାସ୍ତାରେ ଥିବା ଗଛ ପାଖରେ ଚାଲିକି ବି ଯାଆନ୍ତୁନାହିଁ। କାହିଁକିନା କେତେବେଳେ ବି ଗଛ ଭାଙ୍ଗିଯାଇପାରେ ଆଉ ଆପଣ ଆହତ ହୋଇପାରନ୍ତି ତେଣୁ ସାବଦାନ ରୁହନ୍ତୁ ଆଉ ସତର୍କରେ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.