କୁହୁଡ଼ି ବଳୟରେ ଟ୍ବିନ ସିଟି

ଭୁବନେଶ୍ବର(କେନ୍ୟୁଜ୍) : ଲଗାତାର ଦୁଇଦିନ ଧରି ରାଜ୍ୟରେ କୁହୁଡ଼ିର ବଳୟ। ଘନ କୁହୁଡ଼ିରେ ଜନଜୀବନ ବାଧାପ୍ରାପ୍ତ। କେବଳ ଟ୍ଵିନ ସିଟି ନୁହେଁ, ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ଆସ୍ତରଣରେ ଘୋଡ଼ାଇ ହୋଇରହିଛି ସହର। ଯାନବାହାନ ଚଳାଚଳରେ ବାଧା ଉପୁଜିଥିବା ବେଳେ ବିଳମ୍ବିତ ହୋଇଛି ବିମାନ ସେବା। ପୁରୀରେ କୁହୁଡ଼ି ବଳୟରେ ଶ୍ରୀମନ୍ଦିର ଓ ନୀଳଚକ୍ର। ଆଗାମୀ ୪୮ ଘଣ୍ଟା ଯାଏ ଏଭଳି ସ୍ଥିତି ଲାଗି ରହିବ ବୋଲି କହିଛି ପାଣିପାଗ ବିଭାଗ।

ଲଗାତାର ଦୁଇଦିନ ଧରି ରାଜ୍ୟରେ କୁହୁଡ଼ିର ଆବରଣ। ଘନ କୁହୁଡ଼ିରେ ଅନେକ ସ୍ଥାନ ଆଚ୍ଛାଦିତ ହୋଇ ରହିଥିବା ଦେଖାଯାଇଛି। ଘରୁ ବାହାରିଲେ ଖାଲି କୁହୁଡ଼ି ଆଉ କୁହୁଡ଼ି। ଏହା ସହ କାକର ବୁନ୍ଦା ପଡ଼ି ବର୍ଷାର ଭ୍ରମ ସୃଷ୍ଟି କରିଥିଲା। ଗତକାଲି ଭଳି ଆଜି ସକାଳେ ମଧ୍ୟ କୁହୁଡ଼ି ଚାଦରରେ ଘୋଡ଼ାଇ ହୋଇରହିଥିଲା ଟ୍ଵିନ ସିଟି। ରାତି ପ୍ରାୟ ୨ଟାରୁ ଭିଜିବିଲିଟି କମିବା ସହ ସାମାନ୍ୟ କୁହୁଡ଼ି ସକାଳେ ବହଳିଆ ଆସ୍ତରଣ ଭଳି ଜମି ରହିଥିଲା।

ଭିଜିବିଲିଟି ୫୦ମିଟରକୁ ମଧ୍ୟ କମି ଆସିଥିଲା। ଫଳରେ ରାସ୍ତାରେ ଯାନବାହନ ଚଳାଚଳରେ ବାଧା ଉପୁଜିଥିଲା। ସକାଳ ୯ଟାରେ ମଧ୍ୟ ଗାଡ଼ିରେ ଲାଇଟ ଲଗାଇ ଚଳାଚଳ ହେଉଥିଲା। ରେଳ ସେବା ଓ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଭୁବନେଶ୍ୱର ବିମାନ ବନ୍ଦରରୁ ସକାଳ ୧୧ଟା ଯାଏ ବିମାନ ଉଡ଼ାଣ କରିପାରିନଥିଲା। ଅନେକ ବିମାନ ବିଳମ୍ବରେ ଚଳାଚଳ କରୁଛି। ଶୀତର ମାତ୍ରା ସାମାନ୍ୟ କମ୍ ଥିବା ବେଳେ କୁହୁଡ଼ି ସମସ୍ୟାକୁ ବଢ଼ାଇ ଦେଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ସମସ୍ୟା

ପୁରୀ ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହିଥିଲା। ଘନ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ବଡ଼ ଦାଣ୍ଡରେ କୁହୁଡି ଯୋଗୁଁ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଶ୍ରୀମନ୍ଦିରକୁ ମଧ୍ୟ ଘୋଡାଇ ରଖିଥିଲା କୁହୁଡ଼ି ଚାଦର। ଖୁବ ପାଖରୁ ମଧ୍ୟ ଶ୍ରୀମନ୍ଦିର ଓ ନୀଳଚକ୍ର ଦେଖାଯାଉନଥିଲା।

ଆହୁରି ୪୮ ଘଣ୍ଟା ଯାଏ କୁହୁଡି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ କେତେକ ସ୍ଥାନରେ ଶୀତ ଜାରି ରହିବ। ପାରଦ ମଧ୍ୟ ୧୦ଡିଗ୍ରୀ ତଳକୁ ଖସିପାରେ ବୋଲି କହିଛି ପାଣିପାଗ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.