କୁକୁଡ଼ାଙ୍କୁ ଜେଲଦଣ୍ଡ ! ଜୁଆ ଖେଳରେ ଧରାପଡ଼ି ୨୫ ଦିନ ହେବ କାରାଗାରରେ ଅଛନ୍ତି ୨ ଜୀବ

୨୫ ଦିନ ହେବ ଜେଲ ଦଣ୍ଡ ଭୋଗୁଛନ୍ତି କୁକୁଡ଼ା। ଶୁଣିବାକୁ ଅଜବ ଲାଗୁଥିଲେ ବି ଏହା ସତ। ଏ ପୃଥିବୀର ଦଣ୍ଡ ଭୋଗିବା ନିୟମ କେବଳ ମଣିଷଙ୍କ ପାଇଁ ହିଁ ତିଆରି ହୋଇଛି। କିନ୍ତୁ ଏହି ନିୟମରେ ଏବେ ପଶୁପକ୍ଷୀ ବି ଦଣ୍ଡ ପାଇଛନ୍ତି। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟରେ। ଏଠାରେ ୨୫ ଦିନ ହେଲା ଜେଲ ଦଣ୍ଡ ଭୋଗୁଛନ୍ତି ଦୁଇ କୁକୁଡ଼ା। କୋର୍ଟ ନିର୍ଦ୍ଦେଶ ନ ଆସିବା ଯାଏଁ ହାଜତରେ ରହିବେ। ତାଙ୍କର ଦେଖାରଖା କରୁଛନ୍ତି ମୁଦିଗଣ୍ଡା ପୋଲିସ।

chicken2

ତେଲେଙ୍ଗାନା ଖମମ ଜିଲ୍ଲା ଅନ୍ତର୍ଗତ ବାନାପୁରମ ଗାଁରେ ମକର ସଂକ୍ରାନ୍ତି ପୂର୍ବରୁ ପୋଙ୍ଗଲ ଉପଲକ୍ଷେ କୁକୁଡ଼ା ଲଢେଇ ଖେଳ ହୁଏ। ଗତ ଜାନୁଆରୀ ୧୦ ତାରିଖରେ ଜୁଆ ଖେଳରେ ପୋଲିସ ହାତରେ ଧରାପଡିଥିଲେ ଦୁଇ ଜୁଆଡ଼ିଆ। ସେମାନେ ଏହି ଦୁଇଟି ଗଞ୍ଜା କୁକୁଡ଼ାଙ୍କ ଲଢେଇ ପାଇଁ ବାଜି ଲଗାଇଥିଲେ କିଛି ଟଙ୍କା। ଯେଉଁ କୁକୁଡ଼ା ଜିତିବ ସେଇ କୁକୁଡ଼ାର ମାଲିକ ବାଜି ଲାଗିଥିବା ଟଙ୍କା ନେବ। ପୋଲିସ ଏହି ଖବର ପାଇବା ପରେ ଚଢ଼ାଉ କରିଥିଲା। ଧରାପଡିଲେ ଲଢେଇ ଲାଗୁଥିବା ଦୁଇ କୁକୁଡ଼ା ଆଉ ଦୁଇ ଜୁଆଡ଼ିଆ। କଥା କୋର୍ଟ କୁ ଗଲା। ମାତ୍ର ଜାମିନ ପାଇ ଖସିଗଲେ ଦୁଇ ଜୁଆଡ଼ିଆ। କିନ୍ତୁ ଦୁଇ କୁକୁଡ଼ାଙ୍କୁ କେହି ଜାମିନରେ ନେଲେନି। ନିରୀହ ଜୀବ ନିଜ ଜୀବନକୁ ବାଜିରେ ଲଗାଇ ମାଲିକର ପକେଟ ଗରମ କରୁଥିଲେ। କିନ୍ତୁ ଏହି ଦୁଇ କୁକୁଡ଼ା ଏବେ ଅଲୋଡ଼ା ହୋଇଯାଇଛନ୍ତି ସେହି ମାଲିକ ପାଇଁ । ଆପେ ବଞ୍ଚିଲେ ବାପର ନାଁ ଭଳି ନିଜେ ଜେଲରୁ ମୁକୁଳିଲା ପରେ କୁକୁଡ଼ାକୁ କିଏ ପଚାରେ। ପୋଲିସ କହିଛି କୋର୍ଟ ନିର୍ଦ୍ଦେଶ ପରେ ଦୁଇ କୁକୁଡ଼ାଙ୍କୁ ନିଲାମ କରାଯିବ। ଯିଏ ଅଧିକ ବୋଲି ଲଗାଇବ ସିଏ ଏହି କୁକୁଡ଼ାଙ୍କୁ ନେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.