ପନୀର ପ୍ରସ୍ତୁତ କମ୍ପାନୀ ପ୍ରତିଷ୍ଠା କରି ରୋଜଗାରକ୍ଷମ ହୋଇଛନ୍ତି ଦୁଇ ଯୁବ ଇଞ୍ଜିନିୟର, ୨୦ରୁ ଅଧିକ ଯୁବକଙ୍କୁ କରାଇଛନ୍ତି ସ୍ୱାବଲମ୍ବୀ

ଇଞ୍ଜିନିୟରିଂ ପାସ କରିବା ପରେ ଚାକିରି ପ୍ରତି ଲୋଭ ନକରି ନିଜ ଉଦ୍ୟମରେ ପନିର କାରଖାନା ପ୍ରତିଷ୍ଠା କରି ନିଜେ ରୋଜଗାର କରିବା ସହିତ ସ୍ଥାନୀୟ ଅଞ୍ଚଳର ଯୁବକ ମାନଙ୍କୁ ଦେଇଛନ୍ତି ନିଯୁକ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମୁନସିପାଲଟି ଅନ୍ତର୍ଗତ ନହଞ୍ଜରା ଗ୍ରାମର ସଞ୍ଜୟ କୁମାର ବ୍ରହ୍ମ ଏବଂ ନୂଆ ବଜାରର କେଶବ କୁମାର ଦେ ।

ଜଳେଶ୍ୱର (କେନ୍ୟୁଜ): ଦୃଢ ଇଚ୍ଛାଶକ୍ତି ହି ସଫଳତାର ମାପ କାଠି, ଯାହା ପ୍ରମାଣିତ କରି ଦେଖାଇଛନ୍ତି ଦୁଇ ଯୁବ ଇଞ୍ଜିନିୟର ସଞ୍ଜୟ ଏବଂ କେଶବ । ଇଞ୍ଜିନିୟରିଂ ପାସ କରିବା ପରେ ଚାକିରି ପ୍ରତି ଲୋଭ ନକରି ନିଜ ଉଦ୍ୟମରେ ପନିର କାରଖାନା ପ୍ରତିଷ୍ଠା କରି ନିଜେ ରୋଜଗାର କରିବା ସହିତ ସ୍ଥାନୀୟ ଅଞ୍ଚଳର ଯୁବକ ମାନଙ୍କୁ ଦେଇଛନ୍ତି ନିଯୁକ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମୁନସିପାଲଟି ଅନ୍ତର୍ଗତ ନହଞ୍ଜରା ଗ୍ରାମର ସଞ୍ଜୟ କୁମାର ବ୍ରହ୍ମ ଏବଂ ନୂଆ ବଜାରର କେଶବ କୁମାର ଦେ ।

ଏହି ଦୁଇ ବନ୍ଧୁ ଭୁବନେଶ୍ୱରରେ ଇଞ୍ଜିନିୟରିଂ ପାସ କରିବା ପରେ ଉଭୟ ଏକ ପ୍ରତିଷ୍ଠିତ କମ୍ପାନୀରେ ଇଞ୍ଜିନିୟର ଭାବରେ ଚାକିରି କରିଥିଲେ । ମାତ୍ର ସେମାନଙ୍କର ସ୍ୱପ୍ନ ଥିଲା ନିଜ ଅଞ୍ଚଳରେ କିଛି କରିବା ପାଇଁ ଏନେଇ କଣ କରିବେ ଚିନ୍ତା କରୁ କରୁ ପନୀର ତିଆରି କାରଖାନା ପ୍ରତିଷ୍ଠା କରିବା ପାଇଁ ସ୍ଥିର କରିଥିଲେ ଉଭୟ । ଯେଉଁ ପନିରର ନିଜ ଅଞ୍ଚଳରେ ଆବଶ୍ୟକତା ରହିଥିବା ବେଳେ ଲୋକେ ବାହାର ରାଜ୍ୟ ଉପରେ ନିର୍ଭର କରୁଛନ୍ତି । ତେଣୁ ନିଜ ଅଞ୍ଚଳରେ ପନୀର ତିଆରି କାରଖାନା ବସାଇବା ପାଇଂ ପ୍ରସ୍ତୁତି ଆରମ୍ଭ କରିଥିଲେ ଦୁଇ ବନ୍ଧୁ ।

ଚାକିରି ଛାଡି ଗତ ବର୍ଷ ଜୁନ ମାସରେ ନିଜର କିଛି ସଞ୍ଚିତ ଅର୍ଥ ଏବଂ ବ୍ୟାଙ୍କରୁ ଲୋନ ଆଣି ନିଜ ଗାଁ ନହଞ୍ଜରାରେ ଏକ ପନୀର ତିଆରି କାରଖାନା ପ୍ରତିଷ୍ଠା କରିଛନ୍ତି । ନିଜେ କାମ କରିବା ସହ ୨୦ ରୁ ଉର୍ଦ୍ଧ୍ୱ ସ୍ଥାନୀୟ ଯୁବକଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି । ଏହି ଦୁଇ ବନ୍ଧୁ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ନିଯୁକ୍ତି ଦେଇ ବେଶ ଖୁସି ଅଛନ୍ତି । ପନୀର ତିଆରି ପାଇଁ ସ୍ଥାନୀୟ ଅଞ୍ଚଳରୁ କ୍ଷୀର ସଂଗ୍ରହ କରିବା ସହିତ ମିଲ୍କ ପାଉଡର ସମେତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ରାଜସ୍ଥାନରୁ ଆଣିଥାନ୍ତି ।

ପନୀର ପ୍ରସ୍ତୁତ ହେବା ପରେ ସ୍ଥାନୀୟ ଅଞ୍ଚଳ ସମେତ ସମଗ୍ର ଓଡିଶା, ଛତିଶଗଡ, ଝାଡଖଣ୍ଡ, ପଶ୍ଚିମବଙ୍ଗରେ ବିକ୍ରୀ କରନ୍ତି । ସମସ୍ତ କାମ ମେସିନ ଦ୍ୱାରା କରା ଯାଉଥିବାରୁ କର୍ମାଚାରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିନଥାଏ । ଏହି କାରଖାନାରୁ ଦୈନିକ ଦୁଇ ରୁ ତିନି କୁଇଣ୍ଟାଲ ପନୀର ଉତ୍ପାଦନ ହୋଇ ପାରୁଛି । ଏବେ ପନୀରର ମଧ୍ୟ ଭଲ ଚାହିଦା ରହି ଥିବାରୁ ଅଧିକ ପରିମାଣରେ ଅର୍ଡର ମଧ୍ୟ ଆସୁଛି, ତେଣୁ ଅଧିକ ମେସିନ ବସାଇ ଆହୁରି ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ ରଖିଛନ୍ତି ଏହି ଦୁଇ ବନ୍ଧୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.