ଲୁଣ ଦେଇ କରୁଛନ୍ତି ରୋଗୀଙ୍କ ଅପରେସନ୍ : ଭିମସାର ନିର୍ଦ୍ଦେଶକଙ୍କ ବିରୋଧରେ ଗୁରୁତର ଅଭିଯୋଗ

ସମ୍ବଲପୁର : ବୁର୍ଲା ମେଡିକାଲ ଓଟିରେ ଚାଲିଛି, ଅପରେସନ। ପେଟର ଅପରେସନ ହେଉଛି। ଏ ସମୟରେ ଡାକ୍ତର ମାଗୁଛନ୍ତି ଲୁଣ । ପେଟରେ ପକାଯାଉଛି ଟାଟା ସଲ୍ଟ। ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରିଙ୍କ ନିର୍ଦ୍ଦେଶରେ ଏପରି ଅପରେସନ କରାଯାଉଥିବା ଡାକ୍ତରୀ ଛାତ୍ର ଅଭିଯୋଗ ଆଣିଛନ୍ତି। ଏପରି ପଦ୍ଧତି ମେଡିକାଲ ସାଇନ୍ସ ସମ୍ମତ ନୁହଁ। ରୋଗୀଙ୍କୁ ବିପଦ ମୁହଁକୁ ଠେଲି ଦିଆଯାଉଛି। ଏପରି କିଛି ଅଭିଯୋଗ ଆଣି, ଭିମସାର ନିର୍ଦ୍ଦେଶକଙ୍କ ବଦଳି ଦାବି କରୁଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ । କହୁଛନ୍ତି, ନିର୍ଦ୍ଦେଶକ ଯାହାବି କରୁଛନ୍ତି, ମନମୁଖୀ ଭାବେ କରୁଛନ୍ତି । ଯାହା ମେଡିକାଲ ଏଥିକ୍ସ ବିରୋଧୀ ।

ନିର୍ଦ୍ଦେଶକଙ୍କ ବଦଳି ଦାବିରେ, ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ୧୭ ଦିନରେ ପହଞ୍ଚିଛି। ଜୁନିଅର ଡାକ୍ତରମାନେ ଜିଦରେ ଅଟଳ ଯୋଗୁଁ ରୋଗୀ ସେବା ପ୍ରଭାବିତ। ଜୁନିଅର ଡାକ୍ତର ଆସୋସିଏସନ-ଜେଡିଏର ଏକ ପ୍ରତିନିଧି ଦଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଦିନେ ଦୁଇ ଦିନ ଭିତରେ ବୈଠକ କରି ଆନ୍ଦୋଳନ ପ୍ରତ୍ୟାହାର ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ସେପଟେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ଭିମସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀ । ଆନ୍ଦୋଳନ ବିଷୟରେ ସେ କୁଳାଧିପତିଙ୍କୁ ଅବଗତ କରାଇଥିଲେ । ପ୍ରଫେସର ପୁଜାହାରୀ କହିଛନ୍ତି, ନିର୍ଦ୍ଦେଶକଙ୍କୁ ପରିବର୍ତ୍ତନ ନିଷ୍ପତ୍ତି ସରକାର ନେବେ। ବର୍ତ୍ତମାନ ଯାଏ ସରକାରଙ୍କ ପକ୍ଷରୁ ଏଭଳି କୌଣସି ନିର୍ଦ୍ଦେଶ ତାଙ୍କ ପାଖକୁ ଆସିନାହିଁ । ଭିମସାରର ଆନ୍ଦୋଳନକୁ ନେଇ ସେ ଗତ ୨୮ ତାରିଖରେ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖି ଜଣାଇଛନ୍ତି। ରୋଗୀ ସେବା ବ୍ୟାହତ ହେଉଥିବାରୁ ୬୦ ଜଣ ଡାକ୍ତରଙ୍କୁ ପଠାଇବାକୁ କହିଥିଲେ। ଏହା ସହ ଆନ୍ଦୋଳନରୁ ଓହରିବାରୁ ଜୁନିୟର ଡାକ୍ତରଙ୍କୁ ଅନୁରୋଧ କରିଛନ୍ତି ଭିମସାର ନିର୍ଦ୍ଦେଶକ।

ପୂର୍ବରୁ ନିର୍ଦ୍ଦେଶକଙ୍କ ବିରୋଧରେ ଜେଡିଏ ଆଣିଥିବା ଅଭିଯୋଗର ତଦନ୍ତ କରିଛି ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ ଟିମ୍‌। ଏହାସହ ନିର୍ଦ୍ଦେଶକଙ୍କ ସମର୍ଥନରେ ବୁର୍ଲା ନାଗରିକ କମିଟି ଆନ୍ଦୋଳନକୁ ଓହ୍ଲାଇଛି। ନିର୍ଦ୍ଦେଶକ-ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛକାପଞ୍ଝା। ଏହି ଟଣା ଓଟରା ଭିତରେ ରୋଗୀ ହନ୍ତସନ୍ତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.