ଡାବୁଗାଁ ବିଧାୟକଙ୍କ କାମ ପ୍ରେରଣାଦାୟୀ, ଟ୍ୱିଟ ଜରିଆରେ ଏମିତି କିଛି ଲେଖିଲେ ଉପରାଷ୍ଟ୍ରପତି

ନବରଙ୍ଗପୁର (କେ ନ୍ୟୁଜ): ଓଡିଶା ପାଇଁ ଆଉ ଏକ ଖୁସି ଖବର । ଉପାନ୍ତ ଅଞ୍ଚଳର ଜଣେ ବିଧାୟକଙ୍କୁ ପ୍ରଶଂସା କଲେ ଖୋଦ ଉପରାଷ୍ଟ୍ରପତି । ଜଣେ ବିଧାୟକ ହୋଇଥିଲେ ମଧ୍ୟ ନିଜ ବିଲରେ ମୂଲ ଲାଗି ହଳ କରି ମୂଲିଆଙ୍କ ସହିତ ଚାଷ କାମ କରି ଭାରତର ଉପରାଷ୍ଟ୍ରପତିଙ୍କ ଠାରୁ ପ୍ରଶଂସା ସାଉଁଟିଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ନିକଟରେ ନିଜ ଜମିରେ ଚାଷ କରୁଥିବା ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହୋଇଥିଲା । ମନୋହରଙ୍କ ଏହି ଚାଷୀ ପୁଅ ଅବତାର ଯେମିତି ସମସ୍ତଙ୍କ ମନ ଜିଣି ନେଇଥିଲା । ଏମିତିକି ଜାତୀୟ ସ୍ତରରେ ପହଞ୍ଚିଥିଲା ଏହି ଖବର । ଘଟଣା ପ୍ରଘଟ ହେବା ପରେ ମନୋହରଙ୍କ ଏହି ଚଷା ଅବତାରକୁ ପ୍ରଶଂସା କରିଛନ୍ତି ଭାରତର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ।

ନିଜେ ବିଧାୟକ ହୋଇଥିଲେ ମଧ୍ୟ ମନରୁ ଏହି ଗର୍ବ ତ୍ୟାଗ କରି ଖରା, ବର୍ଷାକୁ ଖାତର ନ କରି ସାଧାରଣ ମୂଲିଆ ବେଶରେ ହଳ କରୁଥିଲେ ଡାବୁଙ୍ଗା ବିଧାୟକ ମନୋହର । କହିରଖିବା ଉଚିତ ହେବକି, ନବରଙ୍ଗପୁର ଜିଲ୍ଲାର ଦୁଇଟି ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀରୁ ତିନି ତିନି ଥର ବିଧାୟକ ହୋଇଛନ୍ତି ମନୋହର ରନ୍ଧାରୀ । ଏହାର ପ୍ରଶଂସା କରିବା ସହିତ ବିଧାୟକଙ୍କ ଏପରି କାର୍ଯ୍ୟକୁ ଅନୁସରଣ କରିବା ପାଇଁ ଉପରାଷ୍ଟ୍ରପତି ଯୁବ ସମାଜକୁ ଆହ୍ୱାନ ଜଣାଇଛନ୍ତି । ଏପରି ପ୍ରସଂଶନୀୟ, ପ୍ରେରଣାଦାୟୀ କାମକୁ ନେଇ ଉପରାଷ୍ଟ୍ରପତି ନିଜ ଟୁଇଟର୍ ଆକାଉଣ୍ଟରେ ପୋଷ୍ଟ କରି ଡାବୁଙ୍ଗା ବିଧାୟକଙ୍କୁ ପ୍ରଶଂସା କରିଥିଲେ ।

ଏବାବଦରେ ତାଙ୍କୁ ପଚରା ଯିବାରୁ ସେ କହିଥିଲେକି, ନିଜ ପିତାଙ୍କ ଦେହାନ୍ତ ପରେ ବ୍ୟକ୍ତିଗତ ଭାବେ ନିଜ ଜମିର ସେ ଚାଷ କାମ ବୁଝିବା ସହିତ ନିଜେ ମଧ୍ୟ କ୍ଷେତର କାମ କରିବାକୁ ଭଲ ପାଆନ୍ତି । ଏହା ସହ ସେ କହିଛନ୍ତିକି ସରକାର କୃଷି କ୍ଷେତ୍ରକୁ ନେଇ କୃଷି ଶିଳ୍ପ ପ୍ରତିଷ୍ଠା କରିବାକୁ ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି । ଯଦି ଯୁବ ସମାଜ ଆଗେଇ ଆସନ୍ତେ ତେବେ ସରକାରଙ୍କର ଏହି ଯୋଜନା ଶତ ପ୍ରତିଶତ ସଫଳତା ହାସଲ କରିପାରନ୍ତା । କୃଷି କ୍ଷେତ୍ରରେ ମଧ୍ୟ ବିନିଯୋଗ କରି ଯୁବ ସମାଜ ରୋଜଗାରକ୍ଷମ ହୋଇପାରିବେ ବୋଲି କହିଛନ୍ତି ଶ୍ରୀ ରନ୍ଧାରୀ । ଖାଲି ଉପରାଷ୍ଟ୍ରପତି ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ବିଧାୟକଙ୍କ କାମକୁ ପ୍ରଶଂସା କରିବା ସହ ଏବାବଦରେ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.