ଶିକାରୀ ଓ ଗ୍ରାମବାସୀଙ୍କ ମାଡ଼ରେ ରେଞ୍ଜ ଅଧିକାରୀଙ୍କ ମୁଣ୍ଡ ଫାଟିଲା, ୨ ବନକର୍ମଚାରୀ ଗୁରୁତର

କରଞ୍ଜିଆ(କେନ୍ୟୁଜ୍):ବିଳମ୍ବିତ ରାତି କେନ୍ଦୁମୁଣ୍ଡି ବନ୍ଯପ୍ରାଣୀ ରେଞ୍ଜ ଅଧିକାରୀ ଓ ଷ୍ଟାଫଙ୍କୁ ଆକ୍ରମଣ ସହ ରଖାଗଲା ଅଟକ । ବନ୍ଯଜନ୍ତୁ ଶିକାରୀ ଓ ଗ୍ରାମବାସୀଙ୍କ ମାଡ଼ରେ ରେଞ୍ଜ ଅଧିକାରୀଙ୍କ ମୁଣ୍ଡ ଫାଟିବା ସହ ଦୁଇ ବନକର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣ କରିବା ପରେ ମଧ୍ୟ ଦୀର୍ଘ ସମୟ ଅଟକ ରଖିଥିଲେ ଉତ୍ୟକ୍ତ ଗ୍ରାମବାସୀ ଓ ବନ୍ଯଜନ୍ତୁ ଶିକାରୀ। ପାଖାପାଖି ୨ଘଣ୍ଟା କାଳ ଅଟକ ରହିବା ପରେ ଠାକୁରମୁଣ୍ଡା ପୋଲିସ ଓ କରଞ୍ଜିଆ ବନବିଭାଗର ଅଧିକାରୀ ମିଳିତ ଭାବେ ଗାଁକୁ ଯାଇ ଅଟକ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ ।

ଉଦ୍ଧାର ପରେ ଗୁରୁତର ରେଞ୍ଜ ଅଧିକାରୀ ଓ ଆହତ ୨ ଷ୍ଟାଫଙ୍କୁ କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଆହୁରି ଗୁରୁତର ହେବାରୁ ରେଞ୍ଜ ଅଧିକାରୀ ଓ ଜଣେ ଷ୍ଟାଫଙ୍କୁ ବିଳମ୍ବିତ ରାତି କେନ୍ଦୁଝର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ୩ଜଣ ଗୁରୁତର ଅଛନ୍ତି । ଘଟଣା ସମ୍ପର୍କରେ ଥାନାରେ ଏତଲା ହେଇନଥିବା ବେଳେ ବର୍ତ୍ତମାନ କର୍ମଚାରୀଙ୍କ ସ୍‌ୱାସ୍ଥ୍ୟବସ୍ଥାକୁ  ଗୁରୁତ୍ୱ ଦିଆଯାଉଥିବା ଉତ୍ତର ଶିମିଳିପାଳ ବନ୍ଯପ୍ରାଣୀ ଡିଭିଜନର ଉପନିର୍ଦ୍ଦେଶକ ସାଇ କୀରଣ ଡି ଏନ ଦେଲେ ସୂଚନା ଦେଇଛନ୍ତି।

ଠାକୁରମୁଣ୍ଡା ବ୍ଲକ ଏଦେଲବେଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ବନ୍ଯଜନ୍ତୁ ସାମଗ୍ରୀ ତଲାସୀ କରିବା ସମୟରେ ଅତର୍କିତ ଭାବେ ଆକ୍ରମଣର ଶିକାର ହୋଇ ଅଟକ ଥିଲେ ପାଖାପାଖି ୭ ବନ କର୍ମଚାରୀ। ବନ୍ଯଜନ୍ତୁ ଶିକାରୀ ଓ ଗ୍ରାମବାସୀ ମିଳିତ ଭାବେ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.