ଗୁହାରୀ ଶୁଣିଲାନି ପ୍ରଶାସନ, ଶେଷରେ ରାସ୍ତା ତିଆରି କଲେ ଗାଁ ଲୋକେ

ରାଇରଙ୍ଗପୁର(କେନ୍ଯୁଜ୍): ରାସ୍ତା ଖଣ୍ଡିଏ ପାଇଁ ପ୍ରଶାସନଙ୍କୁ ଗୁହାରୀ କରି କରି ଥକି ଯାଇଥିଲେ ଗାଁ ଲୋକେ।  ଶେଷରେ ପ୍ରଶାସନ ଉପରୁ ତୁଟିଗଲା ଭରଷା ଓ ନିଜ ପାଇଁ ନିଜେ ରାସ୍ତା ତିଆରି କଲେ ଗାଁ ଲୋକେ। ମୟୁରଭଂଜ ଜିଲ୍ଲା ବହଳଦା ବ୍ଲକ ଖେଜୁରୀଟାଣ୍ଡି ଗ୍ରାମରେ  ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।  ଖେଜୁରୀଟାଣ୍ଡି ଗ୍ରାମରେ ନାହିଁ ଭଲ ରାସ୍ତା । ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମା ହେଉଥିବା ନେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ବଡ଼ ବଡ଼ ଖାଲ ଯୋଗୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରେ ନାହିଁ ।

ରାସ୍ତା ଖଣ୍ଡିଏ ପାଇଁ ସରପଞ୍ଚ ଠୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। କେବଳ ମିଳୁଥିଲା ପ୍ରତିଶ୍ରୁତି । ଶେଷରେ ଗାଁ ର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ । ଆଉ ହାତକୁ ହାତ ମିଳାଇ ମରାମତି କଲେ ଗାଁ ରାସ୍ତା । ଟ୍ରାକ୍ଟରରେ ମୋରମ ଓ ମାଟି ଆଣି ନିଜେ ଶ୍ରମଦାନ କରି ଗାଁ ପାଇଁ ରାସ୍ତା ତିଆରି କରି ଉଦାହରଣ ସୃଷ୍ଟି କରିଛନ୍ତି ଗାଁ ଲୋକେ। ତେବେ ଗ୍ରାମବାସୀ ଏହି ରାସ୍ତା ତିଆରି କରିଥିଲେ ମଧ୍ୟ ସ୍ଥାୟୀ ରାସ୍ତା ତିଆରି କରିବା ନେଇ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.