ଭଦ୍ରକ: ପୋଲିସ ଚେକିଂ ବେଳେ ବାଇକ ଦୁର୍ଘଟଣା, ଟାୟାର ଜାଳି ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଭଦ୍ରକ(କେନ୍ୟୁଜ୍):  ପୋଲିସ ଚେକିଂ ବେଳେ ବାଇକ ଦୁର୍ଘଟଣା। ପରେ ଯୁବକଙ୍କୁ ମାଡ଼ ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଟାୟାର ଜାଳି ରାସ୍ତାରୋକ। ଭଦ୍ରକ-ଚାନ୍ଦବାଲି ରାସ୍ତାର ହଳଦୀଦିହ ବାଇପାସ ଠାରେ ଦୁର୍ଘଟଣା ପରେ ରାସ୍ତାରୋକ। ସନ୍ଧ୍ୟା ବେଳେ ଭଦ୍ରକ ହଳଦୀଦିହ ବାଇପାସ ଠାରେ ହେଲମେଟ ଓ ମାସ୍କ ଚେକିଂ କରୁଥିଲା ପୋଲିସ। ଏହି ସମୟରେ ଜଣେ ବାଇକ ଆରୋହୀଙ୍କୁ ରାସ୍ତା ମଝିରେ ଅଟକାଇ ଚେକିଂ କରୁଥିଲା ବେଳେ ଅନ୍ୟ ଏକ ବାଇକ ତାଙ୍କୁ ପଛରୁ ଧକ୍କା ଦେଇଥିଲା।

ଏନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିବା ବେଳେ ପାଖରେ ଯାଉଥିବା ଜଣେ ଯୁବକଙ୍କୁ ପୋଲିସ ହଠାତ ବାଡ଼େଇଥିଲା। ଏହି ଘଟଣା ଜଣାପଡିବା ପରେ ଆଖପାଖ ଅଞ୍ଚଳରୁ ଶହ ଶହ ଲୋକ ସେଠାରେ ରୁଣ୍ଡ ହୋଇ ଟାୟାର ଜାଳି ପୋଲିସ ଜୁଲମକୁ ବିରୋଧ କରି ରାସ୍ତାରୋକ ଆନ୍ଦୋଳନ କରିଥିଲେ। ଏହା ଫଳରେ ସେଠାରେ ତୀବ୍ର ଉତ୍ତେଜନା ଦେଖାଯିବା ସହ ଉଭୟ ପାର୍ଶ୍ୱରେ ଗାଡି ଚଳାଚଳ ବନ୍ଦ ହୋଇଥିଲା। ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତଙ୍କ ସହ ଆଲୋଚନା କରିବା ପରେ ଦୀର୍ଘ ୨ଘଣ୍ଟା ରାସ୍ତାରୋକ ହଟିଥିଲା।