ଆନ୍ଧ୍ର ଅଭିମୁଖେ ଅବପାତ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁରେ ହେବ ପ୍ରବଳ ବର୍ଷା

ଭୁବନେଶ୍ବର(କେନ୍ୟୁଜ୍) : ଅଧିକ ଘନୀଭୂତ ହେଉଛି ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଯାହାଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବ। ଆସନ୍ତା ୧୩ ତାରିଖ ସନ୍ଧ୍ୟା ବେଳକୁ ଗଭୀର ଅବପାତରେ ପରିଣତ ହୋଇ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଅଭିମୁଖେ ଅଗ୍ରସର ହେବ। ୧୪ ତାରିଖ ରାତି କିମ୍ବା ୧୫ ତାରିଖ ସକାଳ ସୁଦ୍ଧା ଏହା ସ୍ଥଳ ଭାଗ ଛୁଇଁବ। ଏହାର ପ୍ରଭାବରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।
ସମ୍ଭାବ୍ୟ ଝଡ଼ବର୍ଷକୁ ଦୃଷ୍ଟିରେ ରଖି ଗତକାଲି ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ଦୁଇ ରାଜ୍ୟର ମତ୍ସଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ୧୨ ତାରିଖ ବେଳକୁ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିମି ରହିବାର ସମ୍ଭାବନା ରହିଥିବାବେଳେ ୧୩ ଓ ୧୪ ତାରିଖ ବେଳକୁ ପବନର ବେଗ ବୃଦ୍ଧି ପାଇବ । ୧୫ ତାରିଖରେ ସ୍ଥଳ ଭାଗ ଛୁଇଁବା ସମୟରେ ପବନର ବେଗ ୫୦ରୁ ୭୦ କିମି ରହିବ। ଏହି ସମୟରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ପ୍ରବଳ ବର୍ଷା ହେବାସହ ସ୍ଥଳ ଭାଗ ଛୁଇଁବା ପରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୬ ଓ ୧୭ ତାରିଖରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବ । ଗଭୀର ଅବପାତ ରୂପ ନେବା ପରେ ଯଦି ଗତିପଥ ପରିବର୍ତନ କରିବ ତେବେ ଓଡ଼ିଶା ଉପରେ ପ୍ରଭାବ ପଡ଼ିବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।