ଆମେରିକାରେ ବାର୍ଡ ଫ୍ଲୁ ! ପୁଣି ମଣିଷଠାରେ ଚିହ୍ନଟ ହେଲା ଭାଇରସ୍; ଅଷ୍ଟ୍ରେଲିଆରେ ଭାରତ ଫେରନ୍ତା ଶିଶୁ ଆକ୍ରାନ୍ତ
ଭାରତ ସମେତ ବିଶ୍ୱର ଅନେକ ଦେଶରେ ଏବେ ବାର୍ଡ ଫ୍ଲୁ ଆତଙ୍କ । ବର୍ତ୍ତମାନ ଆମେରିକାରେ ମଣିଷଠାରେ ବାର୍ଡ ଫ୍ଲୁର ଦ୍ୱିତୀୟ ମାମଲା ନିଶ୍ଚିତ ହୋଇଛି । ଏହା ପୂର୍ବରୁ ଟେକ୍ସାସ୍ର ଜଣେ ବ୍ୟକ୍ତିଙ୍କଠାରେ ବାର୍ଡ ଫ୍ଲୁର ପ୍ରଥମ ମାମଲା ନିଶ୍ଚିତ ହୋଇଥିଲା ।

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଏବେ ବାର୍ଡ ଫ୍ଲୁ ଆତଙ୍କ । ବର୍ତ୍ତମାନ ଆମେରିକାରେ ମଣିଷଠାରେ ବାର୍ଡ ଫ୍ଲୁର ଦ୍ୱିତୀୟ ମାମଲା ନିଶ୍ଚିତ ହୋଇଛି । ଏହା ପୂର୍ବରୁ ଟେକ୍ସାସ୍ର ଜଣେ ବ୍ୟକ୍ତିଙ୍କଠାରେ ବାର୍ଡ ଫ୍ଲୁର ପ୍ରଥମ ମାମଲା ନିଶ୍ଚିତ ହୋଇଥିଲା । ସେପଟେ ଅଷ୍ଟ୍ରେଲିଆରେ ମଧ୍ୟ ମଣିଷ ଶରୀରରେ ବାର୍ଡ ଫ୍ଲୁର ପ୍ରଥମ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଶିଶୁ ବାର୍ଡ ଫ୍ଲୁ ଭାଇରସ୍ରେ ଆକ୍ରାନ୍ତ ହୋଇଛି ।
ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ଏହି ଶିଶୁଠାରେ ଭାଇରସ୍ ଚିହ୍ନଟ ହୋଇଛି । ଶିଶୁ ଜଣକ କିଛି ଦିନ ତଳେ ଭାରତରୁ ନିଜ ଦେଶକୁ ଫେରିଥିଲେ । ସେ ଭାରତ ଯାତ୍ରା ସମୟରେ ଗୁରୁତର ଭାବରେ ଅସୁସ୍ଥ ହୋଇପଡ଼ିଥିଲେ । ଅଷ୍ଟ୍ରେଲିଆ ଫେରିବା ପରେ ଏଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ଯେଉଁଥିରୁ ସେ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବା ଡାକ୍ତର ଜାଣିବାକୁ ପାଇଥିଲେ ।
ସେପଟେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ପୁଣି ଉଗ୍ର ରୂପ ନେଇଛି ବାର୍ଡ ଫ୍ଲୁ । ଏଠାରେ ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସିବା ପରେ ରାଞ୍ଚିର ଏକ ଫାର୍ମରେ ୯୨୦ଟି କୁକୁଡ଼ା ଓ ବତକଙ୍କୁ ମରାଯାଇଛି । ଏହା ସହିତ ୪୩୦୦ଟି ଅଣ୍ଡା ନଷ୍ଟ କରି ଦିଆଯାଇଛି । ବର୍ତ୍ତମାନ ସ୍ଥିତିରେ ରାଜ୍ୟ ସରକାର ଆଲର୍ଟ ମୋଡରେ ଅଛନ୍ତି । ଭାଇରସ୍ ଚିହ୍ନଟ ପରେ ସରକାର ବୁଧବାର ଆଲର୍ଟ ଜାରି କରିଛନ୍ତି ।
ଭୋପାଳସ୍ଥିତ ଆଇସିଏଆର୍- ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ଆନିମଲ୍ ଡିଜିଜ୍ (NIHSAD)କୁ ଯାଞ୍ଚ ପାଇଁ ନମୁନା ପଠାଯାଇଥିଲା । ଯେତେବେଳେ ନମୁନା ପରୀକ୍ଷା କରାଯାଇଥିଲା, ସେତେବେଳେ ଏଚ୍୫ଏନ୍୧ (ଏକ ପ୍ରକାରର ଆଭିଆନ୍ ଇନ୍ଫ୍ଲୁଏଞ୍ଜା ଏ) ଭାଇରସ୍ ଚିହ୍ନଟ ହୋଇଥିଲା ।
ବାର୍ଡ ଫ୍ଲୁକୁ ଆଭିଆନ୍ ଇନ୍ଫ୍ଲୁଏଞ୍ଜା ମଧ୍ୟ କୁହନ୍ତି, ଯାହା ଏକ ଭାଇରାଲ ଇନ୍ଫେକ୍ସନ । ଏହା ପକ୍ଷୀମାନଙ୍କଠାରୁ ପକ୍ଷୀଙ୍କୁ ବ୍ୟାପିଥାଏ ଏବଂ ଏହି ସଂକ୍ରମଣ ଅଧିକାଂଶ ପକ୍ଷୀଙ୍କ ପାଇଁ ମରଣାନ୍ତକ ମଧ୍ୟ ପାଲଟେ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ମୁତାବକ, ବାର୍ଡ ଫ୍ଲୁ କିମ୍ବା ଆଭିଆନ୍ ଫ୍ଲୁ ଏ ଟାଇପ୍ର ଇନ୍ଫ୍ଲୁଏଞ୍ଜା ଭାଇରସ୍ । ଏହା ମଣିଷ ସହିତ ଜୀବଜନ୍ତୁମାନଙ୍କୁ ମଧ୍ୟ ସଂକ୍ରମିତ କରିପାରେ ।