ଓଡ଼ିଶା ଆକାଶରେ ପ୍ରଚଣ୍ଡ ଶବ୍ଦ ଆସିଲା କେଉଁଠୁ ? ବାୟୁସେନା ଯୁଦ୍ଧ ବିମାନରୁ ଶବ୍ଦ ଶୁଣିବାକୁ ମିଳିଥିବା ସନ୍ଦେହ

କେନ୍ୟୁଜ୍(ବ୍ୟୁରୋ):ଓଡ଼ିଶା ଆକାଶରେ ପ୍ରଚଣ୍ଡ ଶବ୍ଦ କେଉଁଠୁ ଆସିଲା ? ବିକଟାଳ ଶବ୍ଦକୁ ନେଇ ଲୋକଙ୍କ ଭିନ୍ନ ମତ ଭିତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ତେବେ କୁହାଯାଉଛି, ବାୟୁସେନାର ଯୁଦ୍ଧ ବିମାନରୁ ଏହି ଶବ୍ଦ ଶୁଣିବାକୁ ମିଳିଛି । କଲାଇକୁଣ୍ଡାରେ ଭାରତୀୟ ବାୟୁସେନା ଏବଂ ସିଙ୍ଗାପୁର ବାୟୁସେନାର ମିଳିତ ସୈନ୍ୟ ଅଭ୍ୟାସ ଚାଲିଛି । ଓଡ଼ିଶା ସୀମା ନୀକଟବର୍ତ୍ତୀ କଲାଇକୁଣ୍ଡା ଏୟାରବେସ୍‌ । ଏଠାରୁ ଯୁଦ୍ଧ ବିମାନ ଉତ୍ତର ଓଡ଼ିଶା ଉପକୂଳ ଆକାଶ ଦେଇ ଯାଇଥିବା କୁହାଯାଉଛି । ଏହି ସୈନ୍ୟ ଅଭ୍ୟାସରେ ଭାରତୀୟ ବାୟୁସେନାର SU-30MKI, ଯାଗୁଆର, ମିଗ୍‌-୨୯ ଏବଂ ସିଙ୍ଗାପୁରର ବାୟୁସେନାର F-16 ଏୟାରକ୍ରାଫଟ୍‌ ସାମିଲ ହୋଇଛି ।

ସୁପରସୋନିକ୍‌ ଗତିରେ ଯୁଦ୍ଧ ବିମାନ ଗୁଡ଼ିକ ଯାଉଥିବାରୁ ଏଭଳି ବିକଟାଳ ଶବ୍ଦ ଶୁଣିବାକୁ ମିଳିଥିବ ବୋଲି କୁହାଯାଉଛି । ଗତକାଲି ଯାଜପୁର, ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୁଣିବାକୁ ମିଳିଥିଲା ପ୍ରଚଣ୍ଡ ଶବ୍ଦ । ଏହାକୁ ନେଇ ଗୁଜବ ପ୍ରଚାର ହୋଇଥିଲା । କିଏ କହିଲା ଭୂମିକମ୍ପ ତ ଆଉ କିଏ କହିଲା କୌଣସି ଏକ ବଡ଼ ବିସ୍ଫୋରଣ ହୋଇଛି । ସେସବୁ ଗୁଜବ ଥିଲା ବୋଲି ସ୍ପଷ୍ଟ ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.