ସଫାରୀ କର୍ମଚାରୀଙ୍କୁ କିଏ ଦେଲା ଅଧିକାର ପର୍ଯଟକଙ୍କୁ ପିଟିବା ପାଇଁ? ସିକ୍ୟୁରିଟି ରେଞ୍ଜ ଅଫିସରଙ୍କୁ ରିପୋର୍ଟ ତଲବ

ଭୁବନେଶ୍ବର(କେନ୍ୟୁଜ୍):  ନନ୍ଦନକାନନରେ ହାତାହାତି । ପର୍ଯ୍ୟଟକ ଓ ସଫାରୀ କର୍ମଚାରୀଙ୍କ ମଧ୍ୟରେ ତୁମୁଳକାଣ୍ଡ । ବାଉଁଶବାଡ଼ି ଓ ଲୁହା ରଡ଼ରେ ପର୍ଯ୍ୟଟକଙ୍କ ଆକ୍ରମଣ ଘଟଣାରେ ୩ ଜଣ ଗିରଫ । ଘଟଣାବେଳର ଭିଡିଓ ଫୁଟେଜ ଭାଇରାଲ ହୋଇଥିଲା । ଏହାକୁ ଅନୁଧ୍ୟାନ ପରେ ୩ଜଣ ସଫାରୀ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ । ସେହିପରି ନନ୍ଦନକାନନ କର୍ତ୍ତୃପକ୍ଷ ସିକ୍ୟୁରିଟି ରେଞ୍ଜ ଅଫିସରଙ୍କୁ ରିପୋର୍ଟ ମାଗିଛନ୍ତି । ଯଦି ତଦନ୍ତ ପରେ ସଫାରି କର୍ମଚାରୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହେବ ତେବେ ସମାନଙ୍କ ଲାଇସେନ୍ସ ବାତିଲ ହୋଇପାରେ ।

ଘଟଣା ଥିଲା କିଛି ଏପରି । ଛତିଶଗଡ଼ ରାୟପୁରରୁ ଗୁପ୍ତା ପରିବାରର ୨୭ଜଣ ଗତକାଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବାକୁ ଆସିଥିଲେ । ସଫାରୀ ଟିକେଟ ବୁକିଂକୁ ନେଇ ହୋଇଥିଲା ପାଟିତୁଣ୍ଡ । ଏହାପରେ ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକ ଓ ସଫାରି କର୍ମଚାରୀ ମୁହାଁମୁହିଁ ହୋଇଥିଲେ । ଆକ୍ରମଣରେ ମହିଳାଙ୍କ ସମେତ କିଛି ପର୍ଯ୍ୟଟକ ଆହତ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଉଭୟ ପକ୍ଷ ପରସ୍ପର ବିରୋଧରେ ନନ୍ଦନକାନନ ଥାନାରେ ଏତଲା ଦେଇଛନ୍ତି ।  କେବଳ ଏହି ଗୋଟିଏ ଘଟଣା ନୁହେଁ । ନନ୍ଦନକାନନରେ ବିଭିନ୍ନ ସମୟରେ ଅପ୍ରୀତିକର ଘଟଣା ଘଟୁଛି । ପର୍ଯ୍ୟଟକଙ୍କ ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.