କିଏ ହେବ ଭୁବନେଶ୍ୱର କ୍ଲବର ମୁଖିଆ?, ଦୁଇ ପୂର୍ବତନ ଆଇଏଏସ୍‌ ଅଧିକାରୀ ଏବେ ମୁହାଁମୁହିଁ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟର ହାଇପ୍ରୋଫାଇଲ କ୍ଲବ୍‌ ଭୁବନେଶ୍ୱର କ୍ଲବର ମୁଖିଆ କିଏ ହେବ। ଅସିତ ତ୍ରିପାଠୀ ନା ବିଜୟ ପଟ୍ଟନାୟକ। ଉଭୟ ପୂର୍ବତନ ମୁଖ୍ୟ ଶାସନ ସଚିବ। ବର୍ତ୍ତମାନ ଅସିତ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି। ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଜଣାପଡିବ ଫଳାଫଳ। କ୍ଲବର ସଭାପତି ପଦ ସହ ଅନ୍ୟ ପଦପଦବୀ ପାଇଁ ଶନିବାର ଓ ରବିବାର ଭୋଟିଂ ହୋଇଥିଲା। କ୍ଲବରେ ଥିବା ୧୮୫୪ ସଦସ୍ୟଙ୍କ ମଧ୍ୟରୁ ୧୨୬୭ ସଦସ୍ୟ ଭୋଟ ଦେଇଥିଲେ। ଭୋଟ ଦେବାକୁ ଆସିନଥିଲେ ୫୮୭ ଜଣ। ୨୦୧୩ରେ ଶେଷ ଥର ପାଇଁ ଭୁବନେଶ୍ଵର କ୍ଲବରେ ନିର୍ବାଚନ ହୋଇଥିଲା। ଏହାପରଠାରୁ କ୍ଲବ ସଭାପତି ଓ ଅନ୍ୟ କର୍ମକର୍ତ୍ତା ପଦ ପାଇଁ ସିଲେକ୍ସନ ହେଉଥିଲା। ଏଥର ହାଇପ୍ରୋଫାଇଲ ଲଢେଇ।

ପୂର୍ବରୁ ରାଜ୍ୟ ପ୍ରଶାସନର ମଙ୍ଗ ଧରିଥିବା ଦୁଇ ପୂର୍ବତନ ଆଇଏଏସ୍‌ ଅଧିକାରୀ ଏବେ ମୁହାଁମୁହିଁ। କିଛି ସମୟ ପରେ ଜଣା ପଡିବ କିଏ ପ୍ରତିଷ୍ଠିତ କ୍ଲବର ସଭାପତି ଦାୟିତ୍ୱ ନେବେ। ସମ୍ପାଦକ ପଦ ରେସରେ ଅଛନ୍ତି ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିଶାଲ ଦେବ। ତାଙ୍କ ବିପକ୍ଷରେ ଅଛନ୍ତି ଅଶୋକ ଚିଞ୍ଚେଲା, ଦାମୋଦର ପ୍ରଦାନି, ଜ୍ୟୋତ୍ସ୍ନାମୟୀ ପରିଡ଼ା ଓ ପାର୍ଥ ସାରଥି ପାଣିଗ୍ରାହୀ। ୧୯୪୯ରେ ପ୍ରତିଷ୍ଠା ହୋଇଥିଲା ଭୁବନେଶ୍ଵର କ୍ଲବ। ୧୯୫୦ରେ ପ୍ରଥମ ସଭାପତି ହୋଇଥିଲେ ଖଲ୍ଲିକୋଟ ରାଜା। ସେହିଦିନଠାରୁ ୧୯୬୪ ପର୍ଯ୍ୟନ୍ତ ବିଭିନ୍ନ ରାଜ ପରିବାରର ମୁଖ୍ୟ କିମ୍ବା ମୁଖ୍ୟମନ୍ତ୍ରୀ କ୍ଲବର ସଭାପତି ପଦରେ ରହି ଆସୁଥିଲେ। ୧୯୬୪ରେ ଶେଷ ଥର ପାଇଁ ବିଜୁ ପଟ୍ଟନାୟକ ସଭାପତି ରହିବା ପରେ କ୍ଲବର ମଙ୍ଗ ଜଣେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ହାତରେ ରହି ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.