Below header

ବଡ଼ ଲୋକର ବେଟା କହୁଛନ୍ତି ମୋ ବାପାର ପଇସା ଯାଉଛି ତୋର କଣ ହେଲା !

ଏଇ ରାଜଧାନୀ ଭୁବନେଶ୍ୱରରେ କହିବାକୁ ଗଲେ ଦିନ ରାତି ଟ୍ରାଫିକ୍‌ ପୋଲିସ୍‌ ଜଗୁଛନ୍ତି ବିଭିନ୍‌ ଛୋଟ ବଡ଼ ଛକରେ । ଶୃଙ୍ଖଳାରେ କେମିତି ଲୋକେ ଯାତାୟାତ କରିବେ ତା ଉପରେ ସେମାନେ ନଜର ରଖନ୍ତି । ଏହା ସହିତ ଅମାନିଆଙ୍କୁ ଫାଇନ୍‌ କରନ୍ତି । ନିୟମ ଅନୁସାରେ ଦୁଇ ଚକିଆ ଗାଡ଼ିରେ ଗଲେ ଲୋକଙ୍କୁ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ । ତା ସହିତ ନିର୍ଦ୍ଧାରିତ ବେଗରେ ଗାଡ଼ି ଚଳାଇବା ଉଚିତ । ସେହିପରି କାର୍‌ ଚଳାଇବା ବେଳେ ବେଲ୍‌ଟ ପିନ୍ଧିବା ମଧ୍ୟ ଦରକାର । ଏସବୁ ବାଦ୍‌ ଟ୍ରାଫିକ୍‌ ସିଗନାଲ ମାନିବା ମଧ୍ୟ ଜରୁରୀ । ନଚେତ ଫାଇନ୍‌ କଟିବ ।
ହେଲେ ଏକଥା ଆମ ଓଡ଼ିଶାବାସୀ ଅନ୍ତତଃ ଜାଣିଥିବେ କି ପ୍ରତି ବର୍ଷ ଅମାନିଆଙ୍କ ଠାରୁ ପୋଲିସ୍‌ କୋଟି କୋଟି ଟଙ୍କାର ଫାଇନ୍‌ ଆଦାୟ କରୁଛି । କେହି କେହି ଅଜାଣତରେ ନିୟମର ଶିକାର ହେଉଛନ୍ତି ତ ଆଉ କେହି ଜାଣିଶୁଣି ନିୟମକୁ ଭାଙ୍ଗୁଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରରେ ଅନେକ ଯୁବକ ଅବା କିଶୋର ଅଛନ୍ତି ଯେଉଁମାନେ ଅଭ୍ୟାସଗତ ନିୟମ ଭଙ୍ଗକାରୀ । ଫାଇନ୍‌ କଟିଲେ ବି ସେମାନଙ୍କର ଡର ନାହିଁ । କେବେ ଦାମୀ ବାଇକ୍‌ରେ ଏକା ଏକା ତ ଆଉ କେବେ ସାଙ୍ଗ କି ଗାର୍ଲଫ୍ରେଣ୍ଡକୁ ବସାଇ ପବନ ବେଗରେ ଗାଡ଼ି ଚଳାଉଛନ୍ତି । ଅଧିକାଂଶ ସମୟରେ ଟ୍ରାଫିକ ପୋଲିସ୍‌ ପୋଷ୍ଟ ଉପରେ ଠିଆ ହୋଇଥିଲେ ବି ସେମାନେ ମାନୁ ନାହାନ୍ତି । ଟ୍ରାଫିକ୍‌ ସିଗନାଲ ଯେଉଁ ରଙ୍ଗରେ ଥାଉ ନା କାହିଁକି ତାଙ୍କର କିଛି ସମସ୍ୟା ନାହିଁ । ସେମାନେ ଛକ ପାର ହେବାକୁ ସବୁବେଳେ ରେଡି । କାରଣ ସେମାନେ ଏ ଯୁଗର ପିଲା ତ । ରକ୍ତ ଏକଦମ ଗରମ ।
ଅନେକ ସମୟରେ ଗୋଟିଏ ପଟୁ ଟ୍ରାଫିକ ଛାଡୁଥିବା ବେଳେ ସେମାନେ ଆରପଟୁ ଧସେଇ ପଶି ପଳାଇ ଯାଆନ୍ତି । ଖାଲି ଅପେକ୍ଷା କରିଥିବା ଲୋକେ ନୁହନ୍ତି ଟ୍ରାଫିକ୍‌ ପୋଷ୍ଟରେ ଥିବା କର୍ମଚାରୀ ମଧ୍ୟ ଆଁ କରି ରହି ଯାଆନ୍ତି । ଏପଟେ ସିସିଟିଭି ଲାଗିଥିଲେ ବି ସେମାନେ ଖାତିର କରନ୍ତି ନାହିଁ । କାରଣ ବାପାର ପଇସା ଅଛି । ବାପାଙ୍କ ଆକାଉଣ୍ଟରେ କଟିଲେ କିଛି ଅସୁବିଧା ନାହିଁ ।
ଏଭଳି କ୍ଷେତ୍ରରେ ଆମର କହିବା କଥା କି ପୋଲିସ୍‌ କେବଳ ପୁରୁଣା ନିୟମ ଅନୁଯାୟୀ ଫାଇନ୍‌ କାଟି ବସିଯିବା ଉଚିତ ନୁହେଁ । କିଛି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା କଥା । ଯାହାଫଳରେ ଅମାନିଆ ଠିକଣା ରାସ୍ତାକୁ ଆସିବେ । ଯେମିତି କୋଭିଡ୍‌ କଟକଣା ବେଳେ ବେଶ୍‌ କିଛି କଡ଼ା ପଦକ୍ଷେପ ଲୋକଙ୍କୁ ସୁଧାରି ଦେଇଥିଲା ସେହିଭଳି କାର୍ଯ୍ୟାନୁଷ୍ଠାନ ଜରୁରୀ । ନହେଲେ ଏଇ ବଡ଼ ଲୋକର ବେଟାମାନେ ଏମିତି କରି ଚାଲିବେ ଆଉ ନିଜେ ତ କେବେ ଦୁର୍ଘଟଣାର ଶିକାର ହେବେ ନହେଲେ ଆଉ କାହାକୁ ଦୁର୍ଘଟଣାରେ ପକାଇ ଦେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.