ଆଇସୋଲେସନ୍ ୱାର୍ଡରେ ସ୍ବାମୀର ମୃତ୍ୟୁ ପରେ ଆତ୍ମହତ୍ଯା କଲେ ସ୍ତ୍ରୀ
ଜଗତସିଂହପୁର(କେନ୍ଯୁଜ୍): ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ପଲ୍ଲୀକଣ୍ଟା ପଞ୍ଚାୟତର କଟିଜଙ୍ଗା ଗ୍ରାମର ନିର୍ଲିପ୍ତ ଭୋଳ ଏବଂ ତାଙ୍କ ପତ୍ନୀ ସୁଭଦ୍ରା ସ୍ବାଇଁ ତେଲେଙ୍ଗାନାରେ ରହୁଥିଲେ। ଏନେଇ କରୋନା ମହାମାରୀ ପାଇଁ ଜାରି ରହିଥିବା ଲକଡାଉନରେ ଜଗତସିଂହପୁର ଫେରିଥିଲେ ଦମ୍ପତି। ଏହାପରେ ପ୍ରଥମେ ତାଙ୍କୁ ଜଗତସିଂହପୁର ଏସ.ଭି.ଏମ୍ କଲେଜରେ ରଖାଯାଇ ପରେ ଏରସମା ପଠାଯାଇଥିଲା। ସେଠାରେ ଦୁଇ ଦିନ ରହିବା ପରେ ସେମାନଙ୍କର ସ୍ବାବ ପରୀକ୍ଷା ପାଇଁ ପୁଣି ଏସ୍.ଭି.ଏମ୍ କଲେଜକୁ ଅଣାଯାଇଥିଲା।
ଏହାପରେ ସେମାନଙ୍କ ସ୍ବାବ ରଖାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସୂଚନା ମୁତାବକ ସେଠାରେ ହଠାତ୍ ନିର୍ଲିପ୍ତଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଜଗତସିଂହପୁର ମୁଖ୍ଯ ଚିକିତ୍ସାଳୟ କୋଭିଡ-୧୯, ଆଇସୋଲେସନ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗତକାଲି ଅପରାହ୍ନରେ ନିର୍ଲିପ୍ତଙ୍କର ମୃତ୍ୟୁ ହୋଇଯାଇଛି। ଘଟଣାସ୍ଥଳରେ ନିର୍ଲିପ୍ତଙ୍କ ପତ୍ନୀ ଭାରସାମ୍ଯ ହରାଇ ସେହି ୱାର୍ଡରେ ନିଜ ଲୁଗା ସାହାଯ୍ଯରେ ଆତ୍ମହତ୍ଯା କରିଛନ୍ତି। ଏନେଇ ଏସଡିପିଓ ସୂଚନା ଦେଇଛନ୍ତି। ଅନ୍ଯପଟେ ଉଭୟଙ୍କ ମରଶରୀର ପୋଷ୍ଟମର୍ଟମ କରାଯାଇ ନିଜ ଗ୍ରାମକୁ ପଠାଯାଇଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।