Below header

ଧର୍ମଶାଳା ତହସିଲରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଯାଜପୁର (କେନ୍ୟୁଜ) : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ଜଣେ ମହିଳା କରିଛନ୍ତି ଆତ୍ମାହୁତି ଉଦ୍ୟମ । ଦେହରେ କିରୋସିନ ଢାଳି ତହସିଲ ଅଫିସ ଭିତରେ ସମସ୍ତଙ୍କ ଉପସ୍ଥିତିରେ ଆତ୍ମହୁତି ଉଦ୍ୟମ କରିଛନ୍ତି ମହିଳା । ସୂଚନା ମୁତାବକ, ମହିଳାଙ୍କର ଏକ ଚକ ଜମି ବିକ୍ରି ନ ହୋଇପାରିବାରୁ ସେ ଆତ୍ମାହୁତି ଉଦ୍ୟମ କରିଥିବା କହିଛନ୍ତି।ଉକ୍ତ ମହିଳା ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଗ୍ରାମର ଅକ୍ଷୟ ରାଉତଙ୍କ ସ୍ତ୍ରୀ ଅନିମା ରାଉତ ।

ମହିଳାଙ୍କ କହିବାନୁଯାୟୀ ତାଙ୍କ ନାଁରେ ସଂପୃକ୍ତ ମୌଜାରେ ଏକ ଚକ ଜମି ଅଛି । ହେଲେ ସେ ବିକ୍ରି କରିପାରୁନାହାନ୍ତି ।ପ୍ରଥମେ ତହସିଲଦାର ତାଙ୍କୁ କହିଲେ ଆରଆଇ ଅଫିସ ଯାଆନ୍ତୁ ଆଣିବେ ରିପୋର୍ଟ । ପରେ କହିଲେ ଯାଅ ଏଡିଏମଙ୍କୁ ଦେଖା କର। ତାପରେ କହିଲେ କଲେକ୍ଟର ଅଫସି ଯାଆ ଅର୍ଡର ଆଣିବେ । ତହସିଲ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଅଧିକାରୀ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଆଜି ମହିଳା ଜଣକ ଏଭଳି ଚରମ ପଦକ୍ଷେପ ବାଛି ଥିଲେ।

ଆଜି ମଧ୍ୟାହ୍ନ ସମୟରେ ତହସିଲ କାର୍ଯ୍ୟାଳୟକୁ ମହିଳା ଜଣକ ଆସି ତହସିଲଦାରଙ୍କୁ ପଚାରିବାରୁ ତାଙ୍କ କାମ ହୋଇପାରିବ ନାହିଁ ବୋଲି ତହସିଲଦାର କହିଥିଲେ। ବାସ ତା ପରେ ମହିଳା ଜଣକ ପୂର୍ବରୁ ପ୍ରସ୍ତୁତି ହୋଇ ସାଙ୍ଗରେ ଆଣିଥିବା ଏକ କିରାସିନ ଜାରରୁ କିରାସିନକୁ ଦେହରେ ଢାଳି ହୋଇ ଦିଆସିଲ ମାରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ତହସିଲ କର୍ମଚାରୀ ଓ ସେଠାରେ ଥିବା ଲୋକମାନେ ଅଟକାଇଥିଲେ।

ମହିଳା ଜଣକ ଜମି ବିକ୍ରି କରିବାକୁ ଚାହୁଁଥିଲେ ମଧ୍ୟ ୪ ମାସ ହେଲାଣି ସେ ଆରଆଇ ଅଫିସ, କଲେକ୍ଟର ଅଫିସ ଦୌଡି ଦୌଡି ନୟାନ୍ତ ହେଲେଣି । ତାଙ୍କ କହିବା କଥା ଜମି ବିକିଲେ ମୋ ପିଲା ପାଠ ପଢିବେ । ମୋ ନାଁରେ ଚକ ଜମି ଅଛି । ହେଲେ ବିକ୍ରି କରିବାକୁ ତହସିଲଦାର ୪ ମାସ ହେଲା ଦୌଡେଇଲେଣି । ସରକାର ତାଙ୍କୁ ଦେଢ ଲକ୍ଷ ଟଙ୍କା ଦରମା ଦେଉଛନ୍ତି । କ’ଣ ଖାଲି ଚ୍ୟାମ୍ବର ଭିତରେ ବସିବାକୁ ? ଆଜି ମୁଁ ମରିବି…ତତେ ମାରିବି..। ଏଭଳି କହି ମହିଳା ଜଣଙ୍କ ତହସିଲ ଅଫିସ ଭିତରେ ପସି ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.