ପୁରୀ ଝାଡ଼େଶ୍ୱରୀ ମନ୍ଦିର ନିକଟରେ ଗଣଦୁଷ୍କର୍ମ ଘଟଣା, ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ନାଁରେ ପୂର୍ବରୁ ରହିଛି ବହୁ ଅଭିଯୋଗ

ପୁରୀ: ପୁରୀରେ ଲଜ୍ଜା। ଝାଡ଼େଶ୍ୱରୀ ମନ୍ଦିର ନିକଟରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ପୋଲିସ କ୍ୱାର୍ଟର୍ସରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏ ଘଟଣାରେ ୪ ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିଛି। ମୁଖ୍ୟ ଅଭିଯୁକ୍ତ ଜଣେ ବହିଷ୍କୃତ କନେଷ୍ଟବଳ। ତାଙ୍କ ନାମ ଜିତେନ୍ଦ୍ର କୁମାର ସେଠୀ । ମୁଖ୍ୟ ଅଭିଯୁକ୍ତ ସହ ମୋଟ ୪ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ।
ସୂଚନା ମୁତାବକ, ଯୁବତୀଙ୍କ ଜଣଙ୍କ ନିମାପଡ଼ାରୁ କୋଣାର୍କ ଯିବାର ଥିଲା। ତାଙ୍କୁ ଲିଫ୍ଟ ଦେବାକୁ କହି ଅଭିଯୁକ୍ତମାନେ ଯୁବତୀଙ୍କୁ ପୁରୀ ଆଣି ଥିଲେ। ପୋଲିସ କ୍ୱାର୍ଟର୍ସରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ନିଜେ ଆସି ପୁରୀ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ। ଏସ୍ପି ତୁରନ୍ତ କାର୍ଯ୍ୟାନୁଷ୍ଠା ଗ୍ରହଣ କରିଥିଲେ। ଗଠନ ହୋଇଥିଲା ସ୍ୱତନ୍ତ୍ର ଟିମ୍। ଅଭିଯୁକ୍ତଙ୍କୁ ଖୋଜିବାକୁ ରେଡ୍ ଆରମ୍ଭ ହୋଇଥିଲା। ଅଭିଯୋଗର ମାତ୍ର କେଇ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଧରି ଥିଲା ପୋଲିସ। ଯୁବତୀ ଜଣଙ୍କର ବୟାନ ରେକର୍ଡ କରାଯିବ ସହ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ସେହିପରି ପୀଡିତା ଏହି ଘଟଣା ସଂପର୍କୀତ ଏକ ଭିଡିଓ ପୁରୀ ଏସପିଙ୍କୁ ଦେଇଛନ୍ତି । ଘଟଣା ପରେ କୁମ୍ଭାରପଡା ଥାନାରେ ଏକ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଯୁବତୀ ଜଣଙ୍କ ଘର କାକଟପୁର ଅଂଚଳରେ। ସେ ଭୁବନେଶ୍ୱରରେ ରୁହନ୍ତି।
ସେପଟେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ନାଁରେ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ରହିଛି। ସେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ପୋଡି ମାରିଦେବା ପାଇଁ ଉଦ୍ୟମ କରିଥିବା, ଦେଢ଼ ଶାଶୂଙ୍କୁ ଦୁଷ୍କର୍ମ ଉଦ୍ୟମ ସହ ବ୍ରହ୍ମଗିରିରେ ମଧ୍ୟ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ଥିଲା। ପୂର୍ବରୁ ତାଙ୍କୁ ବହିଷ୍କାର କରାଯାଇଥିଲା ।