ଜଙ୍ଗଲରେ ପରମବ୍ରହ୍ମଙ୍କୁ ପ୍ରାପ୍ତ କରିବାକୁ ମହିଳା ତପସ୍ୟା, ୫ ଦିନ ଧରି ମୁଠାଏ ଦାନା ବି କରିନାହାନ୍ତି ଗ୍ରହଣ

ନବରଙ୍ଗପୁର(କେନ୍ଯୁଜ୍): ୫ ଦିନ ଧରି ଜଙ୍ଗଲରେ ତପସ୍ୟା । ଏକଥା ଆପଣ ଗପରେ କିମ୍ବା କୌଣସି ମୁନି ଋଷିଙ୍କ କ୍ଷେତ୍ରରେ ଶୁଣିଥିବେ । ହେଲେ ଆଜିର ଆଧୁନିକ ଯୁଗରେ ଏସବୁ କଥା ଶୁଣିବା ବିରଳ । କିନ୍ତୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଢାମଣାପଦର ର ବାହାଲି ଜଙ୍ଗଲରେ। ଏଠାରେ କେଉଁ ସାଧୁସନ୍ଥ କିମ୍ବା ମୁନି ଋଷି ନୁହଁନ୍ତି ବରଂ ଜଣେ ସାଧାରଣ ମହିଳା, ଯିଏ ୫ ଦିନ ଧରି ଜଙ୍ଗଲରେ ତପସ୍ୟାରେ ବସିଛନ୍ତି।

ଆପଣ ଜାଣିଲେ ଆଶ୍ଚର୍ଯ୍ଯ ହେବେ ସେ ୫ ଦିନ ହେବ ମୁଠାଏ ଦାନା ମଧ୍ୟ ଗ୍ରହଣ କରି ନାହାନ୍ତି। କାହା ସହିତ କଥା ମଧ୍ୟ ହେଉ ନାହାନ୍ତି। ଜଙ୍ଗଲରେ ପରମବ୍ରହ୍ମଙ୍କୁ ପ୍ରାପ୍ତ କରିବାକୁ ମହିଳା ଏହି ତପସ୍ୟାରେ ବସିଥିବା କଥା ଶୁଣିବାକୁ ମିଳିଛି । ଘଞ୍ଚ ଜଙ୍ଗଲ ଭିତରେ ଏକ ବଡ ପାଲ ଟଣାଯାଇଛି । ଆଉ ପାଲ ତଳେ ମହିଳା ଜଣଙ୍କ ବସିଛନ୍ତି ତପସ୍ଯାରେ । ଆଉ ଏକଥା ଜାଣିବା ପରେ , ମହିଳାଙ୍କ ଦର୍ଶନ ପାଇଁ ଛୁଟି ଆସୁଛନ୍ତି ଆଖ ପାଖ ଅଞ୍ଚଳର ଲୋକ। ଅନେକ ଲୋକ ମହିଳାଙ୍କ ନିକଟରେ ଟଙ୍କା ଦାନ କରୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଏହି ମହିଳା ହେଉଛନ୍ତି ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ଗାଁର ସିଙ୍ଗି ହରିଜନଙ୍କ ଧର୍ମପତ୍ନୀ ବାଳମୋତି ହରିଜନ। ଗତ ଶନିବାର ଠାରୁ ୫ ଦିନ ହେବ ସେ ଏହି ତପସ୍ଯାରେ ବସିଛନ୍ତି। ଆଉ ୨ ଦିନ ସେ ଏମିତି ତପସ୍ଯାରେ ବସିବେ। ତାଙ୍କ ତପସ୍ଯାରେ ଯେପରି କୌଣସି ବାଧା ସୃଷ୍ଟି ନ ହେବ ସେଥିପାଇଁ ତାଙ୍କ ସ୍ୱାମୀ ସିଙ୍ଗି ତପସ୍ଯାରତ ସ୍ତ୍ରୀଙ୍କ ପାଖରେ ଜଗି ବସିଛନ୍ତି।

ଆଧୁନିକ ଯୁଗରେ ଏମିତି ଦୃଶ୍ୟ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଛି। ଆମେ ଏହାକୁ ବିଶ୍ୱାସ ହେଉ କି ଅବିଶ୍ୱାସ ଅଥବା ଅନ୍ଧବିଶ୍ୱାସ , କହିପାରିବା । ତେବେ ପରମବ୍ରହ୍ମଙ୍କୁ ପ୍ରାପ୍ତ କରିବାକୁ ଆଜିବି ମଣିଷ ତପସ୍ୟାରେ ବସୁଛି ଏକଥା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.