Below header

ଯାଜପୁର: ମହିଳା ଟ୍ରାଫିକ ଥାନା ଇନ୍ସପେକ୍ଟରଙ୍କୁ ଆକ୍ରମଣ ଘଟଣା, ୨ ଅଭିଯୁକ୍ତକୁ ଗିରଫ କଲା ବଡ଼ଚଣା ପୋଲିସ

ଯାଜପୁର(କେନ୍ୟୁଜ୍): ମଙ୍ଗଳବାର ରାତି ସମୟରେ ଡିୟୁଟିରେ ଥିବା ଚଣ୍ଡିଖୋଲ ଟ୍ରାଫିକ ଥାନା ଇନ୍ସପେକ୍ଟର ବିଜୟିନୀ ମଲ୍ଲ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଥିଲେ । ଏହି ଘଟଣାରେ ବଡ଼ଚଣା ପୋଲିସ ୨ଜଣ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନେ ହେଲେ ଧର୍ମଶାଳା ଥାନା ନେଉଳପୁର ଅଂଚଳର ସେକ ରିଜୁଆନ ଅଲି ଏବଂ ସେକ ସରିଫୁଲ ହକ। ମଙ୍ଗଳବାର ପ୍ରାୟ ରାତି ୯ଟା ସମୟରେ ବିଜୟିନୀ ଚଣ୍ଡିଖୋଲ ଛକ ନିକଟସ୍ଥ ମାଂସମରା ଛକରେ ଗାଡିଚେକିଂ କରୁଥିବା ବେଳେ ଏମାନେ ଢେଲାମାଡ଼ କରି ଫେରାର ହୋଇଯାଇଥିଲେ। ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତୁରନ୍ତ ତାଙ୍କୁ ବଡ଼ଚଣା ମେଡିକାଲ ନିଆଯାଇ ଚିକିତ୍ସା କରାଯିବା ସହ ତାଙ୍କ ମୁଣ୍ଡରେ ୬ଟି ଷ୍ଟିଜ ଲାଗିଥିଲା। ଏନେଇ ସେ ବଡ଼ଚଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲା। ତେବେ ପୋଲିସ ଆଜି ଆକ୍ରମଣକାରୀ ଦୁଇ ଅଭିଯୁକ୍ତଙ୍କୁ ନେଉଳପୁରରୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ତେବେ ପୋଲିସ ଯାଞ୍ଚ ସମୟରେ ଟ୍ରାଫିକ ଇନ୍ସପେକ୍ଟରଙ୍କ ସହ ଯୁକ୍ତିତର୍କ ହେବାରୁ ଏଥିରେ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିବା ଦୁଇ ଅଭିଯୁକ୍ତ ସ୍ୱୀକାର କରିଥିବା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.