ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ସତର୍କତା, ୧୦ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ
ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଜି ପାଇଁ ୧୦ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ଆସନ୍ତା ୬ ତାରିଖ ଯାଏ ରାଜ୍ୟରେ ଏଭଳି ପାଗ ଜାରି ରହିଛି । କାଲିଠାରୁ ସାମାନ୍ୟ ହ୍ରାସ ପାଇବ କାଳବୈଶାଖୀ ପ୍ରଭାବ ।
କେନ୍ୟୁଜ୍(ବ୍ୟୁରୋ): ଜଳୁଛି ପଶ୍ଚିମ ଓଡ଼ିଶା । ଦିନ ସାଢ଼େ ୨ଟା ସୁଦ୍ଧା ୪୨ ଡିଗ୍ରୀ ପାର କରିଛି ତାତି । ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା । ଦିନ ସାଢ଼େ ୨ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ସେଠାରେ ତାପମାତ୍ରା ୪୨ ଦଶମିକ ୮ ଜିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସେହିପରି ହୀରାକୁଦରେ ୪୧.୬, ଝାରସୁଗୁଡ଼ାରେ ରେକର୍ଡ ହୋଇଛି ୪୧ ଡିଗ୍ରୀ ସେଲସିୟସ୍ ତାପମାତ୍ରା ।
ଭୁବନେଶ୍ୱରରେ ଦିନ ସାଢ଼େ ୨ଟା ସୁଦ୍ଧା ପାରଦ ରହିଛି ୩୯.୪ ଡିଗ୍ରୀ ସେଲସିୟସ୍ । ଚାନ୍ଦବାଲିରେ ୩୮.୮, ବାଲେଶ୍ୱରରେ ୩୭.୮, କେନ୍ଦୁଝରରେ ତାପମାତ୍ରା ରହିଛି ୩୭.୨ ଡିଗ୍ରୀ ସେଲସିୟସ୍ । ଦିନରେ ତାତି, ଅପରାହ୍ଣ ପରେ ଆଶ୍ୱସ୍ତି ଦେଉଛି କାଳବୈଶାଖୀ । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଜି ପାଇଁ ୧୦ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ଆସନ୍ତା ୬ ତାରିଖ ଯାଏ ରାଜ୍ୟରେ ଏଭଳି ପାଗ ଜାରି ରହିଛି । କାଲିଠାରୁ ସାମାନ୍ୟ ହ୍ରାସ ପାଇବ କାଳବୈଶାଖୀ ପ୍ରଭାବ ।