ଆନନ୍ଦପୁରରେ ଥାଇଲାଣ୍ଡ କୋଳି ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଯୁବଚାଷୀ ଶଶିଭୂଷଣ, ସାଜିଛନ୍ତି ସମସ୍ତଙ୍କ ପାଇଁ ଉଦାହରଣ

ଥାଇଲାଣ୍ଡ ବରକୋଳି ଚାଷ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ଜଣେ ଯୁବଚାଷୀ । ଶଶିଭୂଷଣଙ୍କ ବରକୋଳି ବଗିଚାକୁ ଯିଏ ଦେଖିଛି ପ୍ରସଂଶା ନକରି ରହିପାରିନାହିଁ, ପାହାଡତଳି ମଫସଲ ଗାଁରେ ଏଭଳି ଏକ ଉନ୍ନତ କିସମର ଥାଇଲାଣ୍ଡ ବରକୋଳି ଚାଷକରି ଆଜିକାଲିର ଯୁବ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଶଶିଭୂଷଣ ।

ଥାଇଲାଣ୍ଡ ବରକୋଳି ଚାଷ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ଜଣେ ଯୁବଚାଷୀ । ନିଜ ବାଡିରେ ଥାଇଲାଣ୍ଡ ବରକୋଳି ଚାଷ କରି ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ସେ । କାମ ଅଭାବରୁ ଅନେକ ଲୋକ ଦୁର୍ବିସହ ଜୀବନ ଜିଉଥିବା ସହିତ ଦାଦନ ଖଟିବାକୁ ଯାଉଥିବା ବେଳେ ଗଡବାନ୍ଧଗୋଡା ପଞ୍ଚାୟତ ଅନ୍ତର୍ଗତ କରଡାମାଳି ଗାଁର ଚାଷୀ ଶଶିଭୂଷଣ ନାୟକ ସମସ୍ତଙ୍କ ପାଇଁ ସାଜୁଛନ୍ତି ଉଦାହରଣ । ଗ୍ରାଜୁଏସନ ପାଶ କଲାପରେ ଚାକିରି ନପାଇ ଋଣ କରି ଏକ ଅଟୋ କିଣିଥିଲେ ଶଶିଭୂଷଣ । ଅଟୋରୁ ଆରମ୍ଭ ହୋଇଥିଲା କ୍ୟାରିୟର, ଅଟୋକୁ ପାଥେୟ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ ଶଶିଭୂଷଣ ।

ଘର ପାଖରେ ଅନେକ ଜମି ପଡିଆ ପଡିଥିଲା, ହଠାତ ୟୁଟ୍ୟୁବରୁ ଥାଇଲାଣ୍ତ ବରକୋଳି ସମ୍ପର୍କରେ କିଛି ତଥ୍ୟ ହାସଲ ପରେ ଆରମ୍ଭ କରିଥିଲେ ଚାରା ସଂଗ୍ରହ । କଲିକତାରୁ ଗଛ ପ୍ରତି ଦୁଇଶହ ଟଙ୍କା କରି ଶହେ ଗଛ ମଗାଇ ପ୍ରାୟ ଅଧା ଏକର ଢିପ ଜମିରେ ଆରମ୍ଭ କରିଥିଲେ ଏହି ଚାଷ । ୨୦୨୩ ମସିହା ମାର୍ଚ୍ଚରେ ଚାରା ରୋପଣ ହେଲା । ଖାଲି ଥାଇଲାଣ୍ଡ ଆପଲ ବରକୋଳି ନୁହେଁ ଏଥିସହ ଭାରତ ସୁନ୍ଦରୀ, କାଶ୍ମୀରି ସୁନ୍ଦରୀ, ମିସ ଇଣ୍ତିଆ ପ୍ରଭୁତି କୋଳି ମଧ୍ୟ ସେ ଚାଷ କରିଛନ୍ତି । ଗଛ ଲଗାଇବାର ୯ ମାସ ମଧ୍ୟରେ କୋଳି ଫଳିଥିଲା, ଗଛକୁ ଏବେ ବର୍ଷେ ନପୁରୁଣୁ ପ୍ରତ୍ୟେକ ଗଛରେ ୧୦ ରୁ ୧୫ କେଜି ଫଳ ଫଳିଥିବା ଦେଖିବାକୁ ମିଳୁଛି ।

ଚଳିତ ବର୍ଷ ବରକୋଳି ଚାଷରୁ ୫୦ ହଜାର ଲାଭ ମିଳିବ ବୋଲି ଆଶା ରଖିଛନ୍ତି ଶଶିଭୂଷଣ, ଏହି କୋଳି ଚାଷରେ ଥରେ ମାତ୍ର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଏଥିରୁ କମ ଖର୍ଚ୍ଚରେ ଅଧିକ ଲାଭବାନ ହୋଇପାରିବ ବୋଲି ସେ କହନ୍ତି । ଅଳ୍ପ ପାଣିରେ ଖୁବ କମ୍ ସାର ପିଡିଆରେ ଏହି ଗଛ ଗୁଡିକ ଭଲ ବଢିବା ସହ ଆଶାମୁତାବକ ଫଳ ମଧ୍ୟ ଦେଇଥାନ୍ତି । ଏହି ଥାଇଲାଣ୍ଡ ଆପଲ ବରକୋଳି ଗୁଡିକ ସେଓ ପରି ଦେଖାଯାଇଥାଏ, କିନ୍ତୁ ଏହା ସେଓ ଠାରୁ ଆକାରରେ ଛୋଟ ଓ ବହୁତ ମିଠା ହୋଇଥାଏ । ଏହି କୋଳିର ବିକ୍ରିବଟା ପାଇଁ ଗ୍ରାମାଞ୍ଚଳରେ ସେପରି ବଜାର ସୁବିଧା ନଥିଲେ ମଧ୍ୟ ଘର ପାଖରୁ ଲୋକେ ୮୦ ରୁ ଶହେ ଟଙ୍କା କେଜିପ୍ରତି ଦରରେ କୋଳି ନେଇଯାଉଛନ୍ତି ।

ଏହି କୋଳିଚାଷ ପାଇଁ ପତ୍ନୀ କାଞ୍ଚନ ପ୍ରଥମେ ବିମୁଖ ହେଉଥିଲେ ମଧ୍ୟ ଦିନ କେଇଟାରେ ଗଛରେ କୋଳି ଫଳିବା ଦେଖି ସହଯୋଗ ପାଇଁ ଆଗେଇ ଆସିଛନ୍ତି । ଗଛରେ ପେନ୍ଥାପେନ୍ଥା କୋଳିକୁ ଦେଖି ଶଶିଭୂଷଣ କୋଳି ବଗିଚାକୁ ନେଇ ଏକ ଗୀତ ଲେଖି ନିଜେ ଆବୃତ୍ତି କରିଛନ୍ତି । ଶଶିଭୂଷଣଙ୍କ ବରକୋଳି ବଗିଚାକୁ ଯିଏ ଦେଖିଛି ପ୍ରସଂଶା ନକରି ରହିପାରିନାହିଁ, ପାହାଡତଳି ମଫସଲ ଗାଁରେ ଏଭଳି ଏକ ଉନ୍ନତ କିସମର ଥାଇଲାଣ୍ଡ ବରକୋଳି ଚାଷକରି ଆଜିକାଲିର ଯୁବ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଶଶିଭୂଷଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.