Below header

କିଟ୍‌ରେ ୟୁଥ-୨୦ କନ୍‌ସଲ୍‌ଟେସନ୍ ଉଦ୍‌ଘାଟିତ : ଶାନ୍ତ, ସମୃଦ୍ଧ ଓ ସ୍ଥାୟୀ ବିଶ୍ୱ ଗଠନରେ ଯୁବଗୋଷ୍ଠୀର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଆଜି କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଛି ୟୁଥ୍-୨୦ କନ୍‌ସଲ୍‌ଟେସନ୍ । ଏଥିରେ କେନ୍ଦ୍ର ଓ ରାଜ୍ୟର ମନ୍ତ୍ରୀଙ୍କ ସମେତ ଦେଶ ବିଦେଶର ବହୁ ଅତିଥି ଯୋଗ ଦେଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ୍‌) : ଏକ ଶାନ୍ତ ଓ ସମୃଦ୍ଧ ଓ ସ୍ଥାୟୀ ବିଶ୍ୱ ଗଠନରେ ଯୁଗଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଜି କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ୟୁଥ୍-୨୦ କନ୍‌ସଲ୍‌ଟେସନ୍ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଏହି ମତ ପ୍ରକାଶ କରିଛନ୍ତି । ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ଯୋଗାଣ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଛନ୍ତି । ଯୁବଶକ୍ତି ହେଉଛନ୍ତି ରାଷ୍ଟ୍ରଶକ୍ତି । ସେମାନଙ୍କ ମଧ୍ୟରେ ଦକ୍ଷତା, ସୃଜନଶୀଳତା, ଅପାର ଶକ୍ତି ଓ ଉତ୍ସାହ ଭରି ରହିଛି । ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ନୀତିକୁ ଅନୁସରଣ କରି ଏକବିଂଶ ଶତାବ୍ଦୀରେ ଭାରତ ଯେପରି ସମଗ୍ର ବିଶ୍ୱର ନେତୃତ୍ୱ ନେବ ସେହି ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବାକୁ ସେ ଯୁବକ ଓ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।
ଅନ୍ୟତମ ଅତିଥି ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପର ମନ୍ତ୍ରୀ ତୁଷାରକାନ୍ତି ବେହେରା ୱାଇ-୨୦ର ବିଷୟବସ୍ତୁ ଉପରେ ଆଲୋକପାତ କରି କହିଲେ, ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ସଂସ୍କୃତି । ବସୁଧୈବ କୁଟୁମ୍ବକମ୍ ଅର୍ଥାତ ବିଶ୍ୱ ହେଉଛି ଗୋଟିଏ ପରିବାର । ଏହା ହେଉଛି ଭାରତର ପରମ୍ପରା । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଯୁବଗୋଷ୍ଠୀକୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଶ୍ରୀ ବେହେରା କହିଥିଲେ । ତେଣୁ ଆମର ପରମ୍ପରା ଓ ସଂସ୍କୃତିକୁ ଅକ୍ଷୁଣ୍ଣ ରଖି ଯୁବକମାନେ ଦେଶର ବିକାଶ ପାଇଁ ଏକାଠି ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ।
ଯୁବକମାନେ ଚାହିଁଲେ ଏକ ଶାନ୍ତ, ସମୃଦ୍ଧ ଓ ସ୍ଥାୟୀ ବିଶ୍ୱ ସମ୍ଭବ ବୋଲି ସ୍ୱିଜରଲ୍ୟାଣ୍ଡ ସାଂସଦ ତଥା କିଟ୍ ଓ କିସ୍ର ବ୍ରାଣ୍ଡ ଆମ୍ବାସାଡାର ଡ. ନିକଲ୍ସ ସାମୁଏଲ୍ ଗଗ୍ର ମତ ପ୍ରକାଶ କରିଥିଲେ । ଯୁବକମାନେ ସେମାନଙ୍କ କଠିନ ପରିଶ୍ରମ, ଦକ୍ଷତା ଓ ନିଷ୍ଠା ବଳରେ ସମାଜ, ଦେଶ ତଥା ବିଶ୍ୱରେ ପରିବର୍ତ୍ତନ ଆଣି ପାରିବେ ବୋଲି ବ୍ରିଟେନ୍ର ସାଂସଦ ବୀରେନ୍ଦ୍ର ଶର୍ମା ମତ ପ୍ରକାଶ କରିଥିଲେ । ଏଭଳି ସମ୍ମିଳନୀ ଆୟୋଜନ କରିବାର କିଟ୍ ବିଶ୍ୱବିଦ୍ୟାଳୟ ପ୍ରକୃଷ୍ଟ ସ୍ଥାନ ବୋଲି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ସଚିବ ମିତା ରାଜୀବ ଲୋଚନ କହିଥିଲେ । ବିଶ୍ୱର ଭବିଷ୍ୟତ ପାଇଁ ଯୁବକମାନଙ୍କ ଦୂରଦୃଷ୍ଟି ଗୁରୁତ୍ୱ ବହନ କରେ । ତେଣୁ ଭବିଷ୍ୟତ ବିଶ୍ୱ କିପରି ହେବା ଦରକାର ତାହା କଳ୍ପନା କରିବାକୁ ଯୁବଗୋଷ୍ଠୀଙ୍କୁ ପରାମର୍ଶ ଦେଇଥିଲେ ।
କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରି ୱାଇ-୨୦ କନ୍‌ସଲ୍‌ଟେସନ୍ ଭାରତ ସମେତ ଜି-୨୦ ରାଷ୍ଟ୍ର ସମୁହର ଛାତ୍ର, ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ, ରାଷ୍ଟ୍ରନୀତିଜ୍ଞ, କୂଟନୀତିଜ୍ଞ, ଟେକ୍ନୋକ୍ରାଟ, ବିଜିନେସ୍ ଲିଡର ଏବଂ ଆଧ୍ୟାତ୍ମିକ ଗୁରୁ ସମସ୍ତଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ପାରିଛି ବୋଲି କହିଥିଲେ । ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗ ଉପରେ ସଚେତନ ହେବା ଏବଂ ଏସବୁର ସମାଧାନ ପନ୍ଥା ନେଇ ଆଲୋଚନା, ବିଭିନ୍ନ ସର୍ଜନାତ୍ମକ ଚିନ୍ତାଧାରାର ଆଦାନ ପ୍ରଦାନ ନିମନ୍ତେ ଏହି ଫୋରମ୍ ଯୁବଗୋଷ୍ଠୀକୁ ଏକ ପ୍ଲାଟ୍‌ଫର୍ମ ଯୋଗାଇ ଦେଇଛି ବୋଲି ଶ୍ରୀ ସାମନ୍ତ କହିଥିଲେ । ୱାଇ-୨୦ କନସଲ୍‌ଟେସନ୍ର ନିଷ୍କର୍ଷ ଜି-୨୦ ଶିଖର ସମ୍ମିଳନୀରେ ଉପସ୍ଥାପନ କରାଯିବ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଆମେରିକାର ପୂର୍ବତନ ସାଂସଦ ରବର୍ଟ ପିଟେନ୍‌ଞ୍ଜର, ଭାରତରେ ଅବସ୍ଥାପିତ ମାଲ୍‌ଟା ହାଇକମିଶନର୍ ରିୟୁବେନ୍ ଗୁସି ଓ ଗ୍ରାମୀ ପୁରସ୍କାରପ୍ରାପ୍ତ ସଙ୍ଗୀତଜ୍ଞ ରିକି କେଜ୍ ଏବଂ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳପତି ସରନ୍‌ଜିତ୍ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ବ୍ୟତୀତ ବିଭିନ୍ନ ସମାନ୍ତରାଳ ବକ୍ତୃତା ପ୍ରଦାନ କାର୍ଯ୍ୟକ୍ରମରେ ଭାରତ ସମେତ ବିଭିନ୍ନ ଦେଶର ସାଂସଦ, ଶିକ୍ଷାବିତ୍, ବୁଦ୍ଧିଜୀବୀ କୂଟନୀତିଜ୍ଞ, ଟେକ୍ନୋକ୍ରାଟ୍, ବିଜିନେସ୍ ଲିଡର ପ୍ରମୁଖ ବକ୍ତୃତା ପ୍ରଦାନ କରିଥିଲେ ।
ସୂଚନାଯୋଗ୍ୟ, ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜି-୨୦ ଢାଞ୍ଚାର ଅଂଶବିଶେଷ ୱାଇ-୨୦ କନ୍‌ସଲ୍‌ଟେସନ୍ ଭାରତର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେଉଥିବା ବେଳେ ଓଡ଼ିଶାରେ ଏହି ସମ୍ମାନଜନକ ସମ୍ମିଳନୀ ଆୟୋଜନ ପାଇଁ କିଟ୍‌କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.