କୁଚିଣ୍ଡା : ସାମାନ୍ୟ ଅଣ୍ଡା ତରକାରୀ ପାଇଁ ଜୀବନ ହାରିଦେଲା ଯୁବକ

କୁଚିଣ୍ଡା (କେ ନ୍ୟୁଜ୍‌) : ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଘନସରା ଗାଁରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ହେଲେ ନିଜକୁ ଏଭଳି ଭାବେ ଶେଷ କରିଦେବା ପଛର ଘଟଣା ଶୁଣିଲେ ଆପଣ ତାଜୁବ ହେବେ । ସାମାନ୍ୟ ଅଣ୍ଡା ତରକାରୀକୁ ନେଇ ଯୁବକ ଜଣକ ଜୀବନ ହାରି ଦେଇଥିବା କୁହାଯାଉଛି ।
ବାମରା ବ୍ଲକ ଗଡ଼ପୋଷ ପଂଚାୟତ ଘନସରା କିସାନ ପଡ଼ାର ଗୋକୁଲ ଖଡ଼ିଆ (୬୦)ଙ୍କ ବଡ଼ ପୁଅ ହେଉଛନ୍ତି ବେଦବ୍ୟାସ । ତାଙ୍କ ବୟସ ୨୨ ବର୍ଷ । ସେ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲେ । ଯାହାବି ରୋଜଗାର କରୁଥିଲେ ଘରେ ନଦେଇ ନିଜେ ଖର୍ଚ୍ଚ କରି ଦେଉଥିଲେ । ଏମିତିକି କଥା କଥାରେ ଘରେ ବାପା ମା’ଙ୍କୁ ଡରାଉଥିଲେ ଓ ଧମକ ଦେଉଥିଲେ ।

ANDA-1

ମଙ୍ଗଳବାର ସଂଧ୍ୟାରେ ଗୋକୁଲ କିଛି ଅଣ୍ଡା କିଣି ଆଣି ତାକୁ ତରକାରୀ କରିବା ପାଇଁ ଚୁଲିରେ ବସାଇ ସିଝାଉ ଥିଲେ । ଏହି ସମୟରେ ପୁଅ ବେଦବ୍ୟାସ ଆସି ଅଣ୍ଡା ତରକରୀ କାହାକୁ ନ ଦେଇ ଏକୁଟିଆ ଖାଇବ କହି ଝଗଡ଼ା କରିଥିଲା । ପରେ ବାପା ମା’ଙ୍କ ସହ ଗଣ୍ଡଗୋଳ କରି ସେମାନଙ୍କୁ ଘରୁ ତଡ଼ି ଦେଇଥିଲା । ସେମାନେ ପଳାଇବା ପରେ ସେ ନିଜ କୋଠରୀର କବାଟ ବନ୍ଦ କରି ଶୋଇ ପଡ଼ିଥିଲା । ବୁଧବାର ଦିନ ସକାଳ ପ୍ରାୟ ୯ଟା ବେଳକୁ ବି ବେଦବ୍ୟାସ ନ ଉଠିବାରୁ ବାପା ଗୋକୁଲ ପରିବାର ଲୋକ ଓ ପାଖ ପଡ଼ିଶାଙ୍କୁ ଖବର ଦେଇଥିଲେ । ପରେ ବେଦବ୍ୟାସ ଏକ ପ୍ଲାଷ୍ଟିକ ରଶି ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଏ ନେଇ ଗୋବିନ୍ଦପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ୍ ଅନୁସନ୍ଧାନ ଜାରି ରହିଛି । ବେଦବ୍ୟାସର ମୃତଦେହକୁ ଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖା ଯାଇଥିବା ବେଳେ ଆଜି ବ୍ୟବଚ୍ଛେଦ କରାଯିବ ବୋଲି ତଦନ୍ତ ଅଧିକାରୀ ସବ ଇନ୍ସପେକ୍ଟର ଥୋମାସ କେର୍କେଟା ସୂଚନା ଦେଇଛନ୍ତି ।

ତେବେ ପରିବାର ଲୋକେ ଅଣ୍ଡା ତରକାରୀ କଥା କହୁଥିଲେ ମଧ୍ୟ ବେଦବ୍ୟାସ ଆତ୍ମହତ୍ୟ ପଛର ଅସଲ ଘଟଣା କଣ ସେକଥା ପୋଲିସ୍ ଅନୁସନ୍ଧାନ ପରେ ହିଁ ଜଣାପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.