ଆପଣଙ୍କ ଫୋନ୍କୁ ଖରାପ କରିପାରେ ୫ଜି ନେଟ୍ଓ୍ଵାର୍କ, ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ମାଇନସ୍ ପଏଣ୍ଟ
ଭାରତରେ ୫ଜି ନେଟ୍ଓ୍ଵାର୍କକୁ ଲୋକମାନେ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏବେ ବି ଏହି ନୂଆ ସେଲ୍ୟୁଲାର ନେଟ୍ଓ୍ଵାର୍କର ଫାଇଦା ସମ୍ପର୍କରେ କୁହାଯାଉଛି। କିନ୍ତୁ ପ୍ରଥମ ଥର ପାଇଁ ୫ଜି ନେଟ୍ଓ୍ଵାର୍କର ଏକ ଡିମେରିଟ୍ ସାମ୍ନାକୁ ଆସିଛି। ବିଦେଶରେ ୫ଜି ନେଟ୍ଓ୍ଵାର୍କକୁ ନେଇ କିଛି ଗାଇଡ୍ଲାଇନ୍ସ ମଧ୍ୟ ଜାରି କରାଯାଇଛି।
ରିପୋର୍ଟ ମୁତାବକ, ୫ଜି ନେଟ୍ଓ୍ଵାର୍କ ଆପଣଙ୍କ ମୋବାଇଲର ବ୍ୟାଟେରୀ ପାଇଁ ଆଦୌ ଭଲ ନୁହେଁ। ୫ଜି ନେଟ୍ଓ୍ଵାର୍କ ଯୋଗୁ ଆପଣଙ୍କ ମୋବାଇଲର ବ୍ୟାଟେରୀ ଶୀଘ୍ର ସରିଯାଏ। ନିକଟରେ ଆମେରିକାର ସେଲ୍ୟୁଲାର କମ୍ପାନୀ Verizon ନିଜ ଗ୍ରାହକଙ୍କୁ ମୋବାଇଲରେ ୫ଜି ନେଟ୍ଓ୍ଵାର୍କ ଅଫ୍ ରଖିବାକୁ କହିଛି। କମ୍ପାନୀ ଟ୍ଵିଟ୍ କରି ଗ୍ରାହକଙ୍କୁ କହିଛି ଯେ ମୋବାଇଲର ବ୍ୟାଟେରୀ ବ୍ୟାକ୍ଅପ୍ ରଖିବା ପାଇଁ କେବଳ ଗୋଟିଏ ମାତ୍ର ଉପାୟ ହେଉଛି ନିଜ ଫୋନ୍କୁ ଏଲ୍ଟିଇ ଓ ୪ଜି ନେଟ୍ଓ୍ଵାର୍କରେ ରଖିବା ଉଚିତ୍।
ମିଳିଥିବା ସୂଚନାନୁସାରେ, ଆମେରିକାରେ ୫ ଜି ନେଟ୍ଓ୍ଵାର୍କ ଆରମ୍ଭ ହୋଇଯାଇଛି। କିନ୍ତୁ ଇତି ମଧ୍ୟରେ କେତେକ ୟୁଜର ମୋବାଇଲର ବ୍ୟାଟେରୀ ଶୀଘ୍ର ସରୁଥିବା ଅଭିଯୋଗ କରିଛନ୍ତି। ଲୋକମାନେ କହିଛନ୍ତି, ଯେବେଠୁ ସେମାନେ ୫ଜି ନେଟ୍ଓ୍ଵାର୍କ ବ୍ୟବହାର କରୁଛନ୍ତି ସେବେଠୁ ବାରମ୍ବାର ମୋବାଇଲକୁ ଚାର୍ଜ କରିବାକୁ ପଡ଼ୁଛି। ପ୍ରକାଶ ଯେ, ୫ ଜି ନେଟ୍ଓ୍ଵାର୍କ ବର୍ତ୍ତମାନ ଥିବା ୪ଜି ନେଟ୍ଓ୍ଵାର୍କଠାରୁ ବହୁ ଗୁଣ ସ୍ପିଡ୍। ଏଥିରେ ୧୦ରୁ ୧୦୦ ଗୁଣ ସ୍ପିଡ୍ରେ ଡାଟା ଟ୍ରାନ୍ସଫର ହୋଇଯିବ।