ଆଫଗାନ୍‌ ୟୁଜର୍ସଙ୍କ ପାଇଁ ଫେସ୍‌ବୁକ୍‌ ଲଞ୍ଚ୍‌ କଲା One Click Tool, ଏମିତି କରିବ କାମ

ଆଫଗାନିସ୍ତାନରେ ତାଲିବାନ୍‌ କବ୍‌ଜା କରିବା ପରେ ପ୍ରତ୍ୟେକ ସୋସିଆଲ ମିଡିଆ ଓ ଟେକ୍‌ କମ୍ପାନୀ ନିଜ ୟୁଜର୍ସଙ୍କୁ ନେଇ ସତର୍କ ହୋଇଯାଇଛନ୍ତି। କିଛି ଦିନ ପୂର୍ବରୁ ଫେସ୍‌ବୁକ୍‌ କହିଥିଲା ଯେ ସେ ଆମେରିକା ଆଇନ୍‌ ମୁତାବକ, ତାଲିବାନକୁ ଆତଙ୍କବାଦୀ ବୋଲି ମାନୁଛି। ଏଣୁ ତାଲିବାନ ଓ ତାକୁ ସମର୍ଥନ କରୁଥିବା ସମସ୍ତ ପୋଷ୍ଟ ଓ ଆକାଉଣ୍ଟକୁ ଡିଲିଟ୍‌ କରି ଦେବ।

ଏବେ କମ୍ପାନୀ ପକ୍ଷରୁ ନିଜ ଆଫଗାନ ୟୁଜର୍ସଙ୍କ ପାଇଁ One Click Tool ଲଞ୍ଚ୍‌ କରାଯାଇଛି। ଏହା ସାହାଯ୍ୟରେ ସେଠାକାର ଫେସବୁକ୍‌ ୟୁଜର୍ସ ନିଜ ପ୍ରୋଫାଇଲ ଲକ୍‌ କରିପାରିବେ। ୟୁଜର୍ସଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଫେସ୍‌ବୁକ୍‌ ଏହି ନୂଆ ଫିଚର ଲଞ୍ଚ୍‌ କରିଛି। One Click Tool ବ୍ୟବହାର କରିବା ପରେ ୟୁଜର୍ସଙ୍କ ଫ୍ରେଣ୍ଡ ଲିଷ୍ଟ ଓ ଟାଇମ୍‌ଲାଇନ୍‌ ହିଷ୍ଟ୍ରି କୌଣସି ଅନ୍ୟ ୟୁଜର ଦେଖିପାରିବେ ନାହିଁ। ତେବେ ଏହି ଫିଚର ଫେସ୍‌ବୁକ୍‌ ଅସ୍ଥାୟୀ ଭାବେ ଲଞ୍ଚ୍‌ କରିଥିବା ଜଣାଯାଇଛି।


ଫେସ୍‌ବୁକ୍‌ ସିକ୍ୟୁରିଟି ପଲିସିର ମୁଖ୍ୟ ନଥାନିଏଲ ଗ୍ଲିଶର କହିଛନ୍ତି, କମ୍ପାନୀ ପକ୍ଷରୁ ଆଫଗାନିସ୍ତାନରେ ଫେସ୍‌ବୁକ୍‌ରେ ଲୋକଙ୍କ ଫ୍ରେଣ୍ଡ୍‌ ଲିଷ୍ଟ ଦେଖିବା କିମ୍ବା ସର୍ଚ୍ଚ କରିବା ବିକଳ୍ପକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ଆଫଗାନ୍‌ ୟୁଜର୍ସଙ୍କୁ ତାଲିବାନ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣରୁ ବଞ୍ଚାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ତେବେ କେବଳ ଫେସ୍‌ବୁକ୍‌ ନୁହେଁ, ଲିଙ୍କଡ୍‌ ଇନ୍‌ ମଧ୍ୟ ନିଜ ଆଫଗାନୀ ୟୁଜର୍ସଙ୍କ କନେକ୍ସନ୍‌କୁ ହାଇଡ୍‌ କରିଛି। ଫଳରେ କୌଣସି ୟୁଜର ଅନ୍ୟ ୟୁଜରଙ୍କ ବିଷୟରେ କିଛି ସୂଚନା ଯୋଗାଡ଼ କରିପାରିବ ନାହିଁ। ସେହିପରି ୟୁଟ୍ୟୁବ୍‌ ମଧ୍ୟ ନିଜ ପ୍ଲାଟଫର୍ମରେ କୌଣସି ତାଲିବାନୀ ଚ୍ୟାନେଲକୁ ଅନୁମତି ଦେବ ନାହିଁ ବୋଲି ସ୍ପଷ୍ଟ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.