Below header

ସ୍କୁଟରକୁ ବନାଇଲେ ଟ୍ରାକ୍ଟର ଆଉ ମେକାନିକ୍‌ରୁ ବନିଗଲେ ଚାଷୀ, ମହେଶ କରମାଳିଙ୍କ ଆବିଷ୍କାର

କୁହାଯାଏ “Necessity is the mother of Invention”। ଲୋକମାନେ ନିଜର ଆବଶ୍ୟକତା ପୂରଣ କରିବାକୁ ଯାଇ ବେଳେବେଳେ ଏପରି କିଛି ନୂଆ ଜିନିଷ ଆବିଷ୍କାର କରନ୍ତି ଯାହାକି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଯାଏ । କିଛିଦିନ ତଳେ ବିହାରର ଜଣେ ବ୍ୟକ୍ତି ନିଜର ନାନୋ କାରକୁ ହେଲିକପ୍ଟର ବନାଇ ଚର୍ଚ୍ଚାକୁ ଆସିଥିଲେ । ଏବେ ବିହାରର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାକାର ଜଣେ ବ୍ୟକ୍ତି ନିଜର ବଜାଜ ସ୍କୁଟରକୁ ଏକ ଛୋଟ ଟ୍ରାକ୍ଟରର ରୂପ ଦେଇଛନ୍ତି ।

ଝାଡ଼ଖଣ୍ଡ ଅନ୍ତର୍ଗତ ହଜାରିବାଗ ନିକଟ ବିଷ୍ଣଗଡ଼ର ଉଞ୍ଚାଘନା ଗାଁର ମହେଶ କରମାଳି । ଏହି ୩୩ ବର୍ଷ ବୟସ୍କ ଯୁବକ ଜଣକ ପେସାରେ ଜଣେ କୃଷକ । ନିକଟରେ ସେ ନିଜ ଖେତରେ କାମ କରିବା ପାଇଁ କମ ଖର୍ଚ୍ଚରେ ଏକ ଟ୍ରାକ୍ଟର ନିର୍ମାଣ କରିଛନ୍ତି । ଆଶ୍ଚର୍ଯ୍ୟ ଲାଗୁଛି ନା ? ଜଣେ ଅଳ୍ପ ପାଠ ପଢୁଆ ଲୋକ କେମିତି ଏକ ଟ୍ରାକ୍ଟର ତିଆରି କର ପାରିଲା ? ତାହା ପୁଣି ଏକ ଭଙ୍ଗା ଦଦରା ସ୍କୁଟରରୁ ? ମହେଶ୍ ନିଜର ଏହି ଆବିଷ୍କାର ବା ଏହି ଛୋଟ ଟ୍ରାକ୍ଟରକୁ ‘ପାୱାର ଟିଲର୍’ ନାମ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ସେ ବଜାଜ୍ ଶୋରୁମ୍‌ରେ ଜଣେ ମେକାନିକ ଭାବେ କାମ କରୁଥିଲେ ଏବଂ ସେହି ଅନୁଭୂତିରୁ ସେ ଯେଉଁ ଟ୍ରାକଟର ବନାଇଛନ୍ତି ତାହା ତାଙ୍କୁ ଚାଷ କାର୍ଯ୍ୟରେ ବହୁତ ସହାୟକ ହେଉଛି ।

ନିଜ ଆବିଷ୍କାର ମେସିନ୍‌ ଦ୍ୱାରା ସେ ମେକାନିକ୍‌ରୁ ପାଲଟି ଯାଇଛନ୍ତି ଜଣେ ଭଲ ଚାଷୀ । ଯାହାକୁ ସେ ଆର୍ଥିକ ସମସ୍ୟା କାରଣରୁ ଛାଡି ଦେଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଯେ ସେ ମାତ୍ର ୩ ଦିନ ମଧ୍ୟରେ ଏହି ଛୋଟ ଟ୍ରାକ୍ଟରକୁ ପ୍ରସ୍ତୁତ କରିଥିଲେ । ନିଜ ବନ୍ଧୁଙ୍କ ଠାରୁ ମାତ୍ର ୪୨୫୧ ଟଙ୍କା ଆଣି ଏହି କବାଡ଼ି ବଜାଜ୍ ସ୍କୁଟରକୁ କିଣିଥିଲେ । ବର୍ତ୍ତମାନ ଏହାର ମାଇଲେଜ ବିଷୟରେ ପ୍ରଶଂସା କରି ସେ କୁହନ୍ତି ଯେ ଏହି ଛୋଟ ଟ୍ରାକ୍ଟର ମାତ୍ର ୨.୫ ଲିଟର ତେଲରେ ୮୪୬୦ ସ୍କୋୟାର ଫୁଟ ବିଲକୁ ହଳ କରି ପାରୁଛି।

ଏହି ଟ୍ରାକ୍ଟର ବା ପାଓ୍ଵାରଟିଲର ନିର୍ମାଣରେ ଖର୍ଚ୍ଚ କରିଛନ୍ତି ମୋଟ୍‌ ୧୨ ହଜାର ଟଙ୍କା । ଏହି ଛୋଟ ଟ୍ରାକ୍ଟରଟି କମ୍ ଖର୍ଚ୍ଚରେ ଅଧିକ ମାଇଲେଜ ଦେଉଛି । ସେ କହିଛନ୍ତି କି ବର୍ତ୍ତମାନ ହଳ କଲା ବେଳେ ଲଗାତର ଭାବେ ଟ୍ରାକ୍ଟର ପଛରେ ବୁଲିବାକୁ ପଡ଼ୁଛି । ଆସନ୍ତା ବର୍ଷ ସେ ଏହାର ପାୱାର୍ କୁଲ ଭର୍ସନ ପ୍ରସ୍ତୁତ କରିବେ । ଯାହାଦ୍ୱାରା ଏହା ଉପରେ ବସି ସହଜରେ କାମ କରି ହେବ ଏବଂ ସମ୍ପୂର୍ଣ୍ଣ ଭାବେ ଅନ୍ୟ ବଡ ଟ୍ରାକ୍ଟର ଭଳି ରହିବ ।

ଯେବେଠାରୁ ମହେଶ ଏହି ଛୋଟ ଟ୍ରାକ୍ଟର ବା ପାୱାରଟିଲର ଦ୍ୱାରା ନିଜ ଖେତରେ କାମ କରିବା ଆରମ୍ଭ କରିଛନ୍ତି ସେବେଠାରୁ ତାଙ୍କ ପଡୋଶୀମାନେ ତାଙ୍କର ତାରିଫ କରିଛନ୍ତି ।ଖାଲି ସେତିକି ନୁହେଁ, ପଡ଼ୋଶୀଙ୍କ ସମେତ ଅନ୍ୟମାନେ ତାଙ୍କୁ ଏଭଳି ଟ୍ରାକ୍ଟର ବନାଇଦେବା ଲାଗି ଅର୍ଡର ଦେଇଛନ୍ତି । ଏହା ସହିତ ସେ ଏକ ଇଂଜିନିୟରିଂ ୱାର୍କସପ୍‌ ଖୋଲିବାକୁ ଚାଁହୁଛନ୍ତି ବୋଲି କହିଛନ୍ତି । ଯାହା ଫଳରେ ତାଙ୍କ ଭଳି ଆର୍ଥିକ ଦୁର୍ବଳ କୃଷକମାନଙ୍କ ପାଇଁ କମ୍‌ ଖର୍ଚ୍ଚରେ ଏପରି ମେସିନ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ ।

ଏହାସହ ପଢନ୍ତୁ ଏବେବି ସବୁ ସ୍ଥାନରେ ଉପଲବ୍ଧ ନାହିଁ ଟେଲିସେବା, ଜାଣନ୍ତୁ ଦେଶର କେଉଁ ସ୍ଥାନରେ ରହିଛି ଓଡିଶା

ମହେଶ କରମାଳିଙ୍କର ଏହି ଆବିଷ୍କାର ହୁଏତ ଅଟୋମୋବାଇଲ୍‌ ଜଗତର ଏକ ବିସ୍ମୟ ନହୋଇ ପାରେ ହେଲେ ଚାଷ କରି ନିଜ ପେଟ ପୋଷୁଥିବା ଆର୍ଥିକ ଦୁର୍ବଳ ଚାଷୀଙ୍କ ପାଇଁ ଏକ ବରଦାନ ସଦୃଶ ହେବ । କାରଣ ଏହାକୁ କମ ଖର୍ଚ୍ଚରେ ଏବଂ କମ ସମୟ ମଧ୍ୟରେ ପ୍ରସ୍ତୁତ କରାଯାଇ ପାରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.