ହ୍ଵାଟ୍ସଆପ୍‌ର ନୂଆ ଭର୍ସନ ଲୋଡ୍‌ କରୁଥିଲେ ସାବଧାନ! ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଉଥିବା ଅଭିଯୋଗ

ବର୍ତ୍ତମାନ ଲୋକଙ୍କ କାମକୁ ଆହୁରି ସହଜ କରି ଦେଇଛି ହ୍ଵାଟ୍ସ ଆପ୍‌। ପୂର୍ବରୁ କାହାକୁ କିଛି କହିବାକୁ ହେଲେ କଲ କରିବାକୁ ପଡ଼ୁଥିଲା କିମ୍ବା ମେସେଜ୍‌ କଲେ ତା’ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିଥିଲା। କିନ୍ତୁ ହ୍ଵାଟ୍ସ ଆପ୍‌ରେ ମେସେଜ୍‌ ପଠାଇବା ହେଉ କି କଲ କରିବା, ସବୁ କିଛି ମାଗଣାରେ ସମ୍ଭବ ହେଉଛି। ଏଣୁ ପାଖାପାଖି ୫୫ କୋଟି ଲୋକ ହ୍ଵାଟ୍ସ ଆପ୍‌ ବ୍ୟବହାର କରୁଛନ୍ତି। ଏହି ଆପ୍‌ର ଲୋକପ୍ରିୟତାକୁ ଦେଖି କିଛି ଥାର୍ଡ ପାର୍ଟି ସୋର୍ସ ଏବେ ଏକ ନୂଆ ହ୍ଵାଟ୍ସ ଆପ୍‌ ତିଆରି କରିଛନ୍ତି।

ହ୍ଵାଟ୍ସ ଆପ୍‌ର ଏହି ନୂଆ ଭର୍ସନ ଏବେ ଖୁବ୍‌ ଭାଇରାଲ ହେଉଛି। ଏହା ଅନ୍‌ ଅଥରାଇଜଡ୍‌ ହୋଇଥିବାରୁ କେବଳ ଏପିକେ ଫାଇଲ କିମ୍ବା ଥାର୍ଡ ପାର୍ଟି ସୋର୍ସ ସାହାଯ୍ୟରେ ହିଁ ଲୋଡ୍‌ କରି ହେଉଛି। ଏହି ନୂଆ ଭର୍ସନର ନାଁ ରହିଛି FMWhatsApp। ତେବେ ଏହି ହ୍ଵାଟ୍ସ ଆପ୍‌ ବେଶ୍‌ ବିପଦପୂର୍ଣ୍ଣ ବୋଲି ଏକ୍ସପର୍ଟ ମତବ୍ୟକ୍ତ କରିଛନ୍ତି। ଏହି ଥାର୍ଡ ପାର୍ଟି ଆପ୍‌ ୟୁଜରଙ୍କ ବିନା ଅନୁମତିରେ ତାଙ୍କ ଡାଟା ଚୋରାଇ ନେଉଛି। କେବଳ ଏତିକି ନୁହେଁ, ଏହି ହ୍ଵାଟ୍ସ ଆପ୍‌ ୟୁଜର୍ସଙ୍କ ସୁରକ୍ଷାକୁ ବି ବିପଦରେ ପକାଇ ଦେଇଛି। FMWhatsApp ମାଧ୍ୟମରେ ଡିଲିଟ୍‌ ହୋଇଥିବା ମେସେଜ୍‌ ବି ପଢ଼ିହେଉଛି ବୋଲି ଦାବି କରାଯାଉଛି।

ବିନା ଅନୁମତିରେ ମୋବାଇଲର ସବୁ ରେକର୍ଡକୁ ଆକ୍ସେସ୍‌ କରିପାରୁଥିବା FMWhatsApp, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବି ହ୍ୟାକ୍‌ କରିପାରେ ବୋଲି ସାଇବର ସିକ୍ୟୁରିଟି ଫାର୍ମ କାସ୍‌ପରସ୍କାଇ ସ୍ପଷ୍ଟ କରିଛି। ଏହି ଥାର୍ଡ ପାର୍ଟି ଆପ୍‌ରେ କେତେକ ଏଭଳି ଫିଚର ରହିଛି, ଯାହା ଅସଲି ଆପ୍‌ରେ ନାହିଁ।

କାସ୍‌ପରସ୍କାଇ ମୁତାବକ, FMWhatsApp ରେ ଟ୍ରୋଜନ Triada ଓ ଏକ ଆଡଭରଟାଇଜିଂ ସଫ୍ଟ ୱେ ୟାର ଡେଭଲପମେଣ୍ଟ କିଟ୍‌ (SDK) ବି ରହିଛି। ଏହି ଦୁଇ ଫିଚର ମିଶି ୟୁଜର୍ସଙ୍କ ଫୋନ୍‌ର ଡିଭାଇସ୍‌ ଆଇଡି, ସବ୍‌ସ୍କ୍ରାଇବର ଆଇଡି, MAC ଆଡ୍ରେସ୍‌ ଆଦି ଏକାଠି କରି ଡେଭଲପରଙ୍କ ରିମୋଟ୍‌ ସର୍ଭରକୁ ପଠାଇଥାନ୍ତି। ଏଣୁ ଏହି ଆପ୍‌ ବ୍ୟବହାର ନ କରିବାକୁ କାସ୍‌ପରସ୍କାଇ ତରଫରୁ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.