ଡିଜିଟାଲ ଦୁନିଆରେ ସୁରକ୍ଷିତ ରହିବାକୁ ଫଲୋ କରନ୍ତୁ ଏହି ଟିପ୍ସ, କେବେ ବି ହ୍ୟାକ୍ ହେବନି ଫୋନ୍
![hacking-phone](https://knewsodisha.com/wp-content/uploads/2020/02/hacking-phone.jpg)
ଆଜିକାଲି ଲୋକଙ୍କ ପାଖରେ କିଛି ଥାଉ କି ନଥାଉ ସ୍ମାର୍ଟଫୋନ୍ କିନ୍ତୁ ନିହାତି ଥିବା ଦେଖିବାକୁ ମିଳୁଛି। ଲୋକମାନେ ସ୍ମାର୍ଟଫୋନ୍ ସହ ଏତେ ଜଡ଼ିତ ହୋଇଗଲେଣି ଯେ ୨୪ ଘଣ୍ଟା ପାଖରେ ଫୋନ୍ ନ ରଖିଲେ ତାଙ୍କୁ ଆଦୌ ଭଲ ଲାଗୁନାହିଁ। ସକାଳୁ ବିଛଣା ଛାଡ଼ିବାଠାରୁ ରାତିରେ ପୁଣିଥରେ ବିଛଣାକୁ ଯିବା ପର୍ଯ୍ୟନ୍ତ ସବୁବେଳେ ସ୍ମାର୍ଟଫୋନ୍କୁ ଆମ ପାଖେ ପାଖେ ରଖିଥାଉ। ପ୍ରଥମେ କେବଳ କଥାବାର୍ତ୍ତା ପାଇଁ ବ୍ୟବହାର କରାଯାଉଥିବା ସ୍ମାର୍ଟଫୋନ୍ ଏବେ ସବୁ କାମରେ ବ୍ୟବହାର କରିହେଉଛି। ମନୋରଞ୍ଜନଠାରୁ ଆରମ୍ଭ କରି ପାଠପଢ଼ା ପର୍ଯ୍ୟନ୍ତ ସବୁ ତଥ୍ୟ କେବଳ କିଛି ନେଟ୍ ଅନ୍ କରିଦେଲେ ହାତପାହାନ୍ତାରେ ମିଳିପାରୁଛି। ଏଣୁ ଲୋକମାନେ ଫୋନକୁ ଛାଡ଼ି କ୍ଷଣେ ମଧ୍ୟ ରହିପାରୁନାହାନ୍ତି। ତେବେ ବେଳେବେଳେ ଯେତେ ଜଗି ରଖି ବ୍ୟବହାର କଲେ ମଧ୍ୟ ଆମ ଫୋନ୍ ହ୍ୟାକ୍ ହୋଇଯାଏ କିମ୍ବା ଫୋନ୍ରେ ଥିବା କେତେକ ଡାଟା ଚୋରି ହୋଇଯାଏ। ତେବେ ଆଜି ଆସନ୍ତୁ ଜାଣିବା ଅନ୍ଲାଇନ୍ ଦୁନିଆରେ ଡାଟାକୁ ସୁରକ୍ଷିତ ରଖିବାକୁ କେତେକ ଟିପ୍ସ…
ମଜଭୁତ ପାସ୍ଓ୍ଵାର୍ଡ ଓ ଟୁ ଫ୍ୟାକ୍ଟର ଭେରିଫିକେସନ୍:
ମୋବାଇଲ ସହ ମୋବାଇଲରେ ବ୍ୟବହାର କରୁଥିବା ଫେସ୍ବୁକ୍, ଟ୍ଵିଟର, ଇନ୍ଷ୍ଟାଗ୍ରାମ୍ ଭଳି ସୋସିଆଲ ମିଡିଆ ସାଇଟ୍ରେ ମଜଭୁତ ପାସ୍ଓ୍ଵାର୍ଡ ବ୍ୟବହାର କରନ୍ତୁ। ସବୁବେଳେ ଏମିତି ପାସ୍ଓ୍ଵାର୍ଡ ଦିଅନ୍ତୁ ଯାହାକୁ ହ୍ୟାକ୍ କରିବାକୁ କେହି ଚିନ୍ତା ବି କରିନଥିବେ। ଏଥିପାଇଁ ଆପଣ ଚାହିଁଲେ ଟୁ ଫ୍ୟାକ୍ଟର ଭେରିଫିକେସନ୍ ବିକଳ୍ପକୁ ମଧ୍ୟ ବାଛିପାରିବେ। ବର୍ତ୍ତମାନ ଫେସ୍ବୁକ୍ରେ ଏହି ସୁବିଧା ଉପଲବ୍ଧ ହେଉଛି। ଏଥିସହ ନିୟମିତ ବ୍ୟବଧାନରେ ସବୁବେଳେ ପାସ୍ଓ୍ଵାର୍ଡ ବଦଳାନ୍ତୁ।
ସ୍ପାମ୍, ଠକେଇ, ଫିସିଂ ଠାରୁ ଦୂରେଇ ରୁହନ୍ତୁ:
ବେଳେବେଳେ ନେଟ୍ରେ କୌଣସି କାମ କରିବା ବେଳେ ଆମ ପାଖକୁ ଏମିତି କିଛି ବିଜ୍ଞାପନ ଆସିଥାଏ ଯେଉଁଥିରେ ଆପଣ ଉପହାର ଜିତିଛନ୍ତି ବୋଲି ଲେଖାଯାଇଥାଏ। ଯାହାକୁ ଦେଖି ଲୋକମାନେ ଲୋଭରେ ସେହି ନୋଟିଫିକେସନ୍କୁ କ୍ଲିକ୍ କରିଥାନ୍ତି। ମାତ୍ର ଏଭଳି ଆଦୌ କରନ୍ତୁ ନାହିଁ। ଏହି ସ୍ପାମ ମାଧ୍ୟମରେ ହ୍ୟାକର ଆପଣଙ୍କ ଡାଟା ଚୋରି କରିପାରେ। ଏହି ଲୋଭନୀୟ ବିଜ୍ଞାପନକୁ କ୍ଲିକ୍ କରିବା ପରେ ଆପଣଙ୍କ ମୋବାଇଲରେ ଥିବା ସମସ୍ତ ପର୍ସନାଲ ଡାଟା ହ୍ୟାକର ପାଖକୁ ଚାଲିଯାଏ। ଫଳରେ ଆପଣଙ୍କ ଆକାଉଣ୍ଟ, ଆଧାର ଓ ଅନ୍ୟାନ୍ୟ ତଥ୍ୟ ହ୍ୟାକ୍ ହେବା ଆଶଙ୍କା ରହିଛି।
କୁକିଜ୍ ଉପରେ ନଜର ରଖନ୍ତୁ:
ଯଦି ଆପଣ ନିଜ ଡାଟାକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ବ୍ରାଉଜିଂ କୁକିଜ୍ ଉପରେ ନଜର ରଖନ୍ତୁ। କାରଣ କୁକିଜ୍ ଅନ୍ୟ ସାଇଟ୍କୁ ଆପଣଙ୍କ ସୂଚନା ଦେଇଥାଏ। ପ୍ରାଇଭେଟ୍ ଟୁଲ୍ କୁକିଜ୍ ଉପରେ ସମ୍ପୂର୍ଣ୍ଣ ନଜର ରଖିଥାଏ। ଏହା ବ୍ୟତୀତ ଆପଣ ସିକ୍ୟୁରିଟି ଫିଚରକୁ ମଧ୍ୟ ବ୍ୟବହାର କରିପାରିବେ।
ସାଇଟ୍ ସୁରକ୍ଷିତ କି ନୁହେଁ ଚେକ୍ କରନ୍ତୁ:
ଯେକୌଣସି ୱେବ୍ସାଇଟ୍କୁ ଯିବା ପୂର୍ବରୁ ପ୍ରଥମେ ସେ ସାଇଟ୍ ସୁରକ୍ଷିତ କି ନାହିଁ ଚେକ୍ କରନ୍ତୁ। ସୁରକ୍ଷିତ ସାଇଟ୍ର ୟୁଆର୍ଏଲ୍ର https ରୁ ଆରମ୍ଭ ହୋଇଥାଏ। ଯଦି ୱେବ୍ସାଇଟ୍ ଆରମ୍ଭ କେବଳ http ରୁ ହୋଇଛି ତେବେ ସେଠାକୁ ଭିଜିଟ୍ କରନ୍ତୁ ନାହିଁ। କେବଳ s ଥିଲେ ହିଁ ସେ ସାଇଟ୍କୁ ଯାଆନ୍ତୁ।
ବିଜ୍ଞାପନ ଉପରେ ରଖନ୍ତୁ କଡ଼ା ନଜର:
ମୋବାଇଲରେ ଆସୁଥିବା କୌଣସି ମୋବାଇଲ କିମ୍ବା କମ୍ପ୍ୟୁଟରର ବିଜ୍ଞାପନ ଉପରେ ଭୁଲରେ ବି କ୍ଲିକ୍ କରନ୍ତୁନାହିଁ। ହ୍ୟାକର ସବୁବେଳେ ବିଜ୍ଞାପନ ମାଧ୍ୟମରେ ହିଁ ଡାଟା ଚୋରି କରିଥାନ୍ତି। ଏଣୁ ଅଯଥା ବିଜ୍ଞାପନ ଠାରୁ ଦୂରେଇ ରୁହନ୍ତୁ।