Below header

Lava ଲଞ୍ଚ୍‌ କରିବାକୁ ଯାଉଛି ଭାରତର ପ୍ରଥମ ୫ଜି ସ୍ମାର୍ଟଫୋନ୍‌, ୨୦ ହଜାରରୁ କମ୍‌ ରହିବ ଦାମ୍‌

ଭାରତୀୟ ବଜାରରେ ପ୍ରତିଦିନ ନୂଆ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ ହେଉଥିଲେ ମଧ୍ୟ ଏହି ତାଲିକାରେ ଦେଶୀୟ ବା ଘରୋଇ କମ୍ପାନୀର ନାଁ ନଥିଲା। ଗତ ୬ ମାସ ମଧ୍ୟରେ ଭାରତରେ ଅଧିକାଂଶ ଫୋନ୍‌ ୫ଜି ନେଟ୍‌ଓ୍ଵାର୍କ ସହ ଲଞ୍ଚ୍‌ ହୋଇଛି, କିନ୍ତୁ ଏଥିରେ ଗୋଟିଏ ବି ଘରୋଇ ଫୋନ୍‌ ନାହିଁ। ତେବେ ବର୍ତ୍ତମାନ ଖବର ଆସିଛି ଯେ ଲାଭା (Lava) ଆସନ୍ତା ମାସରେ ନିଜର ପ୍ରଥମ ୫ଜି ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି। ଲାଭାର ଏହି ୫ଜି ସ୍ମାର୍ଟଫୋନ୍‌ର ନାଁ ରହିଛି Agni 5G।

Agni 5G କୁ ନେଇ ଲାଭା ପକ୍ଷରୁ ଟିଜର ଜାରି କରାଯାଇଛି। ଏହି ଟିଜର ମୁତାବକ, Agni 5G ର ଲଞ୍ଚିଂ ନଭେମ୍ବର ୯ ତାରିଖରେ ଭର୍ଚୁଆଲ ଇଭେଣ୍ଟରେ ହେବ। ଅପରାହ୍ନ ୧୨.୩୦ରେ ଏହି ଇଭେଣ୍ଟ ଆୟୋଜିତ ହେବ। ତେବେ ଏହି ଫୋନ୍‌ର ଫିଚର ବିଷୟରେ କମ୍ପାନୀ କିଛି ବିଶେଷ ସୂଚନା ଦେଇ ନାହିଁ। କିନ୍ତୁ ଟିଜର ମୁତାବକ, Agni 5G କୁ ପଞ୍ଚ୍‌ହୋଲ୍‌ ଡିସ୍‌ପ୍ଲେ ସହ ଲଞ୍ଚ୍‌ କରାଯିବ। ଏହାର ରିଫ୍ରେସ୍‌ ରେଟ୍‌ ୯୦ହର୍ଜ ରହିବ।

Lava Agni 5G ରେ ମିଡିଆଟେକ୍‌ Dimensity 810 5G ପ୍ରୋସେସର ମିଳିବ, ଯାହାକି ଏକ ଅକ୍ଟାକୋର୍‌ ପ୍ରୋସେସର। ଫୋନ୍‌ରେ ୫୦୦୦ mAh ର ବ୍ୟାଟେରୀ ମିଳିବ, ଫଳରେ ମୋବାଇଲ ଫାଷ୍ଟ୍‍ ଚାର୍ଜିଂ ହୋଇପାରିବ। ଚାର୍ଜିଂ ପାଇଁ ଏଥିରେ ୟୁଏସ୍‌ବି ଟାଇପ୍‌ ସି ପୋର୍ଟ ମିଳିବ। ଫୋନ୍‌ରେ ୩.୫mmର ହେଡ୍‌ଫୋନ୍‌ ଜ୍ୟାକ୍‌ ମଧ୍ୟ ରହିବ ବୋଲି ଆଶା କରାଯାଉଛି।

Lava Agni 5G କୁ ଆଣ୍ଡ୍ରଏଡ୍‌ ୧୧ ସହ ଲଞ୍ଚ୍‌ କରାଯାଇପାରେ। ଫୋନ୍‌ରେ ଗେମିଂ ମୋଡ୍‌ ମଧ୍ୟ ମିଳିପାରେ। ଆଶା କରାଯାଉଛି ଯେ Lava Agni 5G କୁ ଟ୍ରିପଲ ରିୟର କ୍ୟାମେରା ସହ ଲଞ୍ଚ୍‌ କରାଯିବ। ଏଥିରେ ପ୍ରାଇମେରି ଲେନ୍ସ ୬୪ ମେଗାପିକ୍ସେଲର ମିଳିବା ସମ୍ଭାବନା ରହିଛି। ମୋବାଇଲରେ କ୍ୟାମେରା ସହ ଏଲ୍‌ଇଡି ଲାଇଟ୍‌ ମଧ୍ୟ ରହିବ। ଏହି ମୋବାଇଲ କେବଳ ସିଙ୍ଗଲ ବ୍ଲ୍ୟୁ କଲରରେ ଲଞ୍ଚ୍‌ ହେବ। Lava Agni 5G ର ଦାମ୍‌ ୧୯,୯୯୯ ଟଙ୍କା ରହିପାରେ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.