ନାହିଁ ମୋବାଇଲ ନେଟୱର୍କ ଆଉ ପକେଟରେ ଟଙ୍କା, ପ୍ରଭାବିତ ଅଞ୍ଚଳ ଲୋକଙ୍କ ଜୀବନ ବିପର୍ଯ୍ୟୟ

କେବେ କାର୍ଯ୍ୟକ୍ଷମ ହେବ ମୋବାଇଲ୍‌ ସେବା? କାରଣ ଖାଦ୍ୟ, ପାନୀୟ ସମସ୍ୟା ଭିତରେ ଯୋଗାଯୋଗ ବିନା ବାତ୍ୟା ପ୍ରଭାବିତ ଅଞ୍ଚଳ ଲୋକଙ୍କ ଜୀବନ ଦୁର୍ବିସହ ହେଲାଣି। ଯେଉଁଠି ୫-ଜି କଥା ଉଠୁଛି, ସେଠି ପ୍ରାକୃତିକ ବିପର୍ଯ୍ୟୟ ପରେ ଲୋକ ଦିନ ଦିନ ମୋବାଇଲ୍‌ ସେବାରୁ ବଞ୍ଚିତ ହେବାକୁ ନେଇ ପ୍ରଶ୍ନବାଚୀ ବି ଉଠିଲାଣି। ମୋବାଇଲ୍‌ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ପାଇଁ ଏହା ଏକ ଚ୍ୟାଲେଞ୍ଜ। ସେହିପରି ବ୍ୟାଙ୍କ କାରବାର ବାଧାପ୍ରାପ୍ତ ହେବା ଓ ଏଟିଏମ୍‌ ସମସ୍ୟା ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି।

Airtel_vs_Reliance

ଲୋକଙ୍କ ହାତରେ ମୋବାଇଲ୍‌ ଅଛି, କିନ୍ତୁ ନେଟଓ୍ଵାର୍କ ନାହିଁ। ବାତ୍ୟା ମାଡ଼ରେ ଡଙ୍କ ମୋଡ଼ି ପଡ଼ିଛନ୍ତି ମୋବାଇଲ୍‌ ଟାଓ୍ଵାର ସବୁ। ଅଣ୍ଟା ସଳଖି ଠିଆ ହେବାକୁ ସମୟ ଲାଗୁଛି। ବାତ୍ୟାର ୬ ଦିନ ପରେ ଏକାଠି ହାତ ମିଳାଇଛନ୍ତି ୫ଟି ମୋବାଇଲ୍‌ ସେବା ପ୍ରଦାନକାରୀ ସଂସ୍ଥା। ଓଡ଼ିଶାର ଫନି ପ୍ରଭାବିତ ଅଞ୍ଚଳରେ BSNL, Jio, Airtel, Idea, Vodafone ଏକାଠି ଉପଭୋକ୍ତାଙ୍କୁ ଦେଉଛନ୍ତି ନେଟ୍‌ଓ୍ଵର୍କ। ଗ୍ରାହକ ନିଜ ମୋବାଇଲରେ ଡାଟା ରୋମିଂ ସହ ମାନୁଆଲ ସେଟିଂରେ ନେଟ୍‌ଓ୍ଵର୍କ ସେଟ୍‌ କରିବେ। ଯେକୌଣସି ସର୍ଭିସ ପ୍ରୋଭାଇଡରକୁ କନେକ୍ଟ କରି ପାରିବେ ମୋବାଇଲ୍‌ ଉପଭୋକ୍ତା। ଏହାପରେ ଚାରିଆଡେ ନିରବଚ୍ଛିନ୍ନ ସେବା ଆସିବ ବୋଲି ଆଶା କରାଯାଉଛି। କିନ୍ତୁ ବେଳେ ବେଳେ ଏଥିରେ ବି ସମସ୍ୟା ଦେଖାଦେଉଛି।
ଇଣ୍ଟରନେଟ୍‌ ନାହିଁ, ବ୍ୟାଙ୍କ କାରବାର ବି ବାଧାପ୍ରାପ୍ତ। ନଗଦ ନେଣଦେଣ ହୋଇ ପାରୁନି। ଲୋକଙ୍କ ପକେଟରୁ ବି ସରି ଗଲାଣି ଟଙ୍କା। ସେପଟେ ଅନେକ ସ୍ଥାନରେ ଏଟିଏମ୍‌ରେ ବି ବନ୍ଦ। ଯେଉଁ କେତୋଟି ଚାଲୁଛି, ସେଠାରେ ଗ୍ରାହକଙ୍କ ଲମ୍ବା ଲାଇନ୍‌ ଲାଗୁଛି। ଟଙ୍କା ପାଁ କଲବଲ ହେଉଛନ୍ତି ଲୋକ।

ଦିନ ପରେ ଦିନ, ଏମିତି ୬ ଦିନ ହେଲାଣି। ଅସୁବିଧା ସହ ସଂଘର୍ଷ ଚଳାଇଛନ୍ତି ଲୋକ। ସମସ୍ତଙ୍କ ମୁହଁରେ ଗୋଟିଏ କଥା, କେବେ ସ୍ୱାଭାବିକ ହେବ ସ୍ଥିତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.